ବାତ୍ୟା ପରେ ମାଡ଼ି ଆସିଲା ଉଚ୍ଚ ଜୁଆର, ପାଣିଘେରରେ ୫୭୧ ପରିବାର

ରାଜନଗର : ବାତ୍ୟା ପରେ ମାଡ଼ି ଆସିଲା ସମୁଦ୍ର ଜୁଆର । ପ୍ରବଳ ବର୍ଷାରେ ବୁଡ଼ିଗଲା ବଗପଟିଆ । ସାତଭାୟା ଥଇଥାନ ଆଶ୍ରୟସ୍ଥଳୀ ବଗପାଟିଆରେ ପଶିଲା ଜୁଆର ପାଣି । ୫୭୧ ପରିବାର ପାଣି ଘେରରେ ରହିଛନ୍ତି । ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାତ୍ୟା ଦାନା ଲ୍ୟାଣ୍ଡଫଲ୍‌ କରିବା ପରେ ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରର ଉପକୂଳ ଅଞ୍ଚଳରେ ୧୦୦ ରୁ ୧୧୦ କିମି ବେଗରେ ପବନ ବହିଥିଲା ।

ସେପଟେ ବାତ୍ୟା ଦାନା ପ୍ରଭାବରେ ରାଜନଗର-ଗୁପ୍ତି, ନଳିତାପାଟିଆ-ଡାଙ୍ଗମାଳ, ରାଜନଗର-ତାଳଚୁଆ ରାସ୍ତାରେ ଗଛ ଭାଙ୍ଗି ପଡ଼ିଛି । ଭାଙ୍ଗି ଯାଇଥିବା ଗଛକୁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ସଙ୍ଗେ ସଙ୍ଗେ କାଟି ହଟାଇ ଦିଆଯାଇଛି ।  କେତେକ ସ୍ଥାନରେ କଚ୍ଚାଘର ପବନ ମାଡ଼ରେ ଶୋଇପଡ଼ିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମୁଖ୍ୟତଃ ରାଜନଗର ବ୍ଲକର ତାଳଚୁଆ, ବାଘମାରି, ରଙ୍ଗଣୀ, କୃଷ୍ଣନଗର, ଖମାରସାହି, ଡାଙ୍ଗମାଳ, ଗୁପ୍ତି, ସାତଭାୟା, ପେଣ୍ଠ ଆଦି ଅଧିକ କ୍ଷୟକ୍ଷତି ହୋଇଛି।

nis-ad
Leave A Reply

Your email address will not be published.