ଲୋକଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ‌ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଝିପ୍ ଝିପ୍ ବର୍ଷା ଆରମ୍ଭ ହୋଇଗଲାଣି । ସନ୍ଧ୍ୟାକୁ ବର୍ଷାର ପରିମାଣ ବଢିବ । ଶେଷ ଆକଳନ ସୁଦ୍ଧା ପୂର୍ବ ପ୍ରସ୍ତୁତି ହୋଇଛି । ବିଭିନ୍ନ ବିଭାଗ ନିଜ ନିଜ ଭୂମିକା ତୁଲାଇବାକୁ ପ୍ରସ୍ତୁତ ଅଛନ୍ତି ।

ରାଜସ୍ୱ ବିଭାଗର କଣ୍ଟ୍ରୋଲ ରୁମ୍ ସହ ଭିନ୍ନ ଭିନ୍ନ ବିଭାଗ ମଧ୍ୟ ନିଜସ୍ଵ କଣ୍ଟ୍ରୋଲ ରୁମ୍ ରହିବ ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କୃଷି, ଶକ୍ତି, ଯୋଗାଣ , ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗର କଣ୍ଟ୍ରୋଲ ରୁମ୍ ହୋଇଛି ।

ଅସୁବିଧାରେ ଥିବା ଲୋକେ ଯେଉଁ ବିଭାଗର ସହାୟତା ଚାହିଁବେ ଅଧିକାରୀମାନେ ସହାୟତା ଯୋଗାଇବେ । ମନ୍ତ୍ରୀମାନଙ୍କୁ ପ୍ରଭାବିତ ଜିଲ୍ଲା ଗୁଡ଼ିକର ଦାୟିତ୍ଵ ଦିଆଯାଇଛି । ବାତ୍ୟା ଗଲା ପରେ କ୍ଷୟକ୍ଷତି ଆକଳନ କରିବେ । ଚାଷ ଫସଲ, ଘର ଭଙ୍ଗା ଓ ଥଇଥାନ ପର୍ଯ୍ୟନ୍ତ ତଦାରଖ କରିବେ ।
ଅଫିସରମାନଙ୍କୁ ମଧ୍ୟ ଦାୟିତ୍ଵ ବଣ୍ଟା ଯାଇଛି । ସରକାରୀ ଅଧିକାରୀମାନେ ଗ୍ରାଉଣ୍ଡ ଜିରୋରେ ଅଛନ୍ତି । ସ୍ଥାନାନ୍ତରଣ ମଧ୍ୟ ଆରମ୍ଭ ହୋଇଯାଇଛି। ସନ୍ଧ୍ୟା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ।

ରିଲିଫ କେନ୍ଦ୍ରରେ ସବୁ ସୁବିଧା ଯୋଗାଇ ଦିଆଯିବ । ଯେଉଁ ଜାଗାରେ ବାତ୍ୟା ପ୍ରଭାବ ରହିବ, ସେ ସବୁ ସ୍ଥାନର ଲୋକଙ୍କୁ ଘର ଛାଡି ରିଲିଫ କେନ୍ଦ୍ରକୁ ଆସିବାକୁ ରାଜସ୍ୱ ଏବଂ ବିପର୍ଯ୍ୟୟ ମନ୍ତ୍ରୀ ଅପିଲ କରିଛନ୍ତି। ଘର ନିରାପତ୍ତା ପାଇଁ ଗାଁଗୁଡ଼ିକ ପୋଲିସ ଦାୟିତ୍ୱରେ ରହିବ । ‘ଦାନା’ ଧାମରା ପାଖାପାଖି ଲ୍ୟାଣ୍ଡ ଫଲ୍ କରିବ । ଲୋକଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ସାରିଛନ୍ତି । ଏ ପରିସ୍ଥିତିର ଫାଇଦା ଉଠାଇବାକୁ କେହି ଉଦ୍ୟମ ନ କରିବା ପାଇଁ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଯୋଗାଣ ବିଭାଗ ଅଧିକାରୀମାନେ ତୀକ୍ଷଣ ନଜର ରଖିଛନ୍ତି । ଯିଏ ଫାଇଦା ଉଠାଇବାକୁ ଚେଷ୍ଟା କରିବ ତାଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

nis-ad
Leave A Reply

Your email address will not be published.