ବାତ୍ୟା ଭୟରେ ଗର୍ଭବତୀଙ୍କୁ କରାଯାଉଛି ମେଡିକାଲକୁ ସ୍ଥାନାନ୍ତର

ରାଜନଗର: ପ୍ରସୂତି କକ୍ଷରେ ଜମିଛି ଗର୍ଭବତୀ ମହିଳାଙ୍କ ଭିଡ । ଡାକ୍ତର ବି କୌଣସି ହେଳା କରୁନାହାନ୍ତି । କିଛି କିଛି ସମୟ ବ୍ୟବଧାନରେ ଗର୍ଭବତୀଙ୍କର ଚାଲିଛି ସ୍ୱାସ୍ଥ୍ୟ ଯାଞ୍ଚ । ହେଲେ ଏକାବେଳକେ ଏତେ ଗର୍ଭବତୀ ମହିଳା ଏମିତି ହଠାତ୍ ମେଡିକାଲ୍ କୁ ଆସିବାର କାରଣ?

ଦର୍ଶକବନ୍ଧୁ କାରଣ ପଛରେ ବାତ୍ୟା ‘ଦାନା’ । ବାତ୍ୟା ‘ଦାନା’ କୁ ନେଇ ଆଶା ଆଶଙ୍କାରେ ରାଜ୍ୟବାସୀ । ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ବି ନେଉଛନ୍ତି ଅନେକ ପଦକ୍ଷେପ । ଆରମ୍ଭ ହୋଇଛି ସ୍ଥାନାନ୍ତରଣ।  ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।  ଆଜି ସଂଧ୍ୟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ । ଏବେ ସୁଦ୍ଧା ୬ ହଜାର ୨୪୪ ଟି ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇସାରିଛି । ୧୦ ଲକ୍ଷ ଲୋକଙ୍କୁ ଅସ୍ଥାୟୀ ଭାବେ ଥଇଥାନ ପାଇଁ ସରକାର ପ୍ରସ୍ତୁତି କରିଛନ୍ତି  । ୮ ହଜାର ୬୪୭ ଜଣ ଗର୍ଭବତୀ ମହିଳା ଚିହ୍ନଟ ହୋଇଛନ୍ତି ।

ଏହି ପରିପେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଲୋକମାନଙ୍କୁ ଗତକାଲିଠୁ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ କରିସାରିଛି । ବିଶେଷ କରି ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜନଗର ମେଡିକାଲ ଟିମ୍ ରାଜନଗର ବ୍ଲକର ବିଭିନ୍ନ ସ୍ଥାନରୁ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଆଣି ରାଜନଗର ମେଡିକାଲ କୁ ସ୍ଥାନାନ୍ତରିତ କରିଛି । ଏହି ବ୍ଲକର ୩୨ ଜଣ ଗର୍ଭବତୀ ମହିଳାଙ୍କୁ ବାତ୍ୟା ପୂର୍ବରୁ ସୁରକ୍ଷିତ ଭାବେ ରଖିବା ସହ ଏମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପ୍ରତି ଗୁରୁତ୍ୱ ଦେଇଛି ।

ତେବେ ସୂଚନା ଥାଉକି, ବାଲେଶ୍ୱର, ଭଦ୍ରକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ଜିଲ୍ଲାରେ ବାତ୍ୟା ‘ଦାନା’ର ଅଧିକ ପ୍ରଭାବ ପଡିପାରେ ।  ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ସ୍ଥାନାନ୍ତର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ରନ୍ଧା ଖାଦ୍ୟ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି ।

ରିଲିଫ ସେଣ୍ଟରରେ ମହିଳା ପୋଲିସ୍ ନିୟୋଜିତ ହେବେ । ୫୧ଟି ଓଡ୍ରାଫ୍ ଟିମ୍ ମୁତୟନ ହୋଇସାରିଛନ୍ତି । ୨୦ ଏନଡିଆରଏଫ୍ ଟିମ୍ ମୁତୟନ ହୋଇସାରିଛନ୍ତି । ବାହାର ରାଜ୍ୟର ଅଧିକ ଏନଡିଆରଏଫ ଟିମ୍ ଆସୁଛନ୍ତି । ଏହାସହ ଗର୍ଭବତୀ ମହିଳାମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଏଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

nis-ad
Leave A Reply

Your email address will not be published.