ଅଜୟଙ୍କ ନାଁରେ ଏତଲା ଘଟଣା; କହିଲେ, ‘ରାଜନୈତିକ ଷଡଯନ୍ତ୍ର ଚାଲିଛି’

ଭୁବନେଶ୍ବର: ଭରତପୁର ଥାନାରେ ଟଙ୍କା ଠକେଇ ଅଭିଯୋଗର ମାମଲା ରୁଜ୍ଜୁ ହେବା ଘଟଣାରେ ନିଜର ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଏନେଇ ତାଙ୍କ ବିରୁଦ୍ଧରେ ରାଜନୈତିକ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ ଆଣିଛନ୍ତି ଅଜୟ ।

ତେବେ ଏନେଇ ଅଜୟ କହିଛନ୍ତି, ଏହି ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା । ଏହା ତାଙ୍କ ବିରୁଦ୍ଧରେ ରାଜନୈତିକ ଷଡଯନ୍ତ୍ର ରଚାଯାଇଛି । ଏଥିସହିତ ଅଜୟ ଏତଲା ଦାୟରର ସମୟକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ଅଜୟ କହିଛନ୍ତି, ଜୁନ୍ ୨୦ରେ ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା ବେଳେ ଅକ୍ଟୋବର ୧୨ରେ ମାମଲା କିପରି ରୁଜ୍ଜୁ ହେଲା ? ନିହାତି କେହି ଜଣେ ମୋତେ ଫସାଇବାକୁ ଚେଷ୍ଟା କରୁଛି । ଏଥିସହିତ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର କିଛି ପ୍ରମାଣ ନାହିଁ ବୋଲି ସେ ଦର୍ଶାଇଛନ୍ତି ।

ଅପରପକ୍ଷେ ପୂର୍ବତନ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ, ଏହି ଘଟଣାକୁ ଅଜୟ କୁମାରଙ୍କ ଆଡୁକୁ ଠେଲି ଦେଇଛନ୍ତି । ଏନେଇ ଶରତ କହିଛନ୍ତି, ଏ ବିଷୟରେ ମୁଁ କିଛି ଜାଣିନାହିଁ । ଯାହାବି ଫଣ୍ଡ ଆସେ ସବୁ ପ୍ରତ୍ୟକ୍ଷ ଭାବେ ଅଜୟ କୁମାରଙ୍କୁ କିମ୍ବା ଏଆଇସିସିଙ୍କୁ ହସ୍ତଗତ କରିଦିଆଯାଇଥାଏ ।

ତେବେ କହିରଖୁଛୁ, ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଜୟ କୁମାରଙ୍କ ସମେତ ପୂର୍ବତନ ପିସିସି ଅଧ୍ୟକ୍ଷ ଶରତ କୁମାର ପଟ୍ଟନାୟକ ଓ କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ ଦେଢ଼କୋଟି ଟଙ୍କାର ଠକେଇ ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି । ଭୁବନେଶ୍ୱର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶରେ ଭରତପୁର ଥାନାରେ ବିଭିନ୍ନ ଦଫାରେ ପୁଲିସ ମାମଲା ରୁଜୁ କରିଛି । ଥାନାରେ ଅଭିଯୋଗ ଅନୁସାରେ, ଗତ ସାଧାରଣ ନିର୍ବାଚନବେଳେ ପ୍ରଚାର ପାଇଁ ଏଲଇଡି ଟିଭି ଓ ଗାଡ଼ି ଯୋଗାଇ ଦେବା ପାଇଁ ଆଶୁତୋଷ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ସହ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଦେଢ଼କୋଟି ଟଙ୍କା ଦେବାକୁ ଚୁକ୍ତିବଦ୍ଧ ହୋଇଥିଲେ । ଆଡଭାନ୍ସବାବଦରେ ୮ଲକ୍ଷ ଟଙ୍କା ଆଶୁତୋଷଙ୍କୁ ଦିଆଯାଇଥିଲା । ବାକି ଟଙ୍କା ଭୋଟ୍ ସରିବାପରେ ଦେବାକୁ କହି ଏହି ଦୁଇ କଂଗ୍ରେସ ନେତା ପ୍ରତିଶ୍ରୁତି ଦେଇଥିଲେ ।

ତେବେ ଭୋଟ ସରିବା ପରେ ଏହି ଟଙ୍କା ଦେବା ତ ଦୂରର କଥା ଉଭୟ ନେତା କାଳେ ଫୋନ୍ ଉଠାଇନଥିଲେ । ପରବର୍ତ୍ତୀ ସମୟରେ ଉଭୟ ଅଜୟ କୁମାର ଓ ଶରତ ପଟ୍ଟନାୟକ ତାଙ୍କୁ ଧମକ ଚମକ ଦେବା ସହ ବକେୟା ଟଙ୍କା ଫାଙ୍କି ଦେଇଥିଲେ ବୋଲି ଅଭିଯୋଗ କରି  ଜେଏମଏଫସି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ହସ୍ତକ୍ଷେପ ପରେ ଭରତପୁର ଥାନା ଏହି ଅଭିଯୋଗକୁ ଆଧାର କରି ଅକ୍ଟୋବର ୧୨ତାରିଖରେ କଂଗ୍ରେସ ନେତା ଅଜୟ କୁମାର, ଶରତ ପଟ୍ଟନାୟକ ଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ନାଁରେ ମାମାଲା ରୁଜୁ କରିଛି । ସେମାନଙ୍କ ବିରୁଦ୍ଧରେ ଧାରା ୧୨୦-ଖ,୪୨୦,୫୦୬ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.