ଓଡିଶାର ଶିଳ୍ପ, ଅର୍ଥନୈତିକ ପ୍ରଗତି, ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା 

ଭୁବନେଶ୍ବର : ଓଡ଼ିଶା ଓ ରତନ ଟାଟାଙ୍କ ମଧ୍ୟରେ ସମ୍ପର୍କ ଥିଲା ଅତି ନିବିଡ଼ । ଓଡିଶାର ଶିଳ୍ପ, ଅର୍ଥନୈତିକ ପ୍ରଗତି, ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଅତୁଳନୀୟ ଅବଦାନ ।
ଓଡ଼ିଶାର ଯାଜପୁରର କଳିଙ୍ଗନଗର ଇସ୍ପାତ କାରଖାନା, ଗୋପାଳପୁରରେ ପ୍ରତିଷ୍ଠା ହୋଇଛି ଟାଟା ପ୍ରକଳ୍ପ । ଏହି ପ୍ରୋଜେକ୍ଟ ପାଇଁ ଏକାଧିକ ଥର ଓଡ଼ିଶା ଆସିଛନ୍ତି ରତନ ଟାଟା ।
୧୯୯୫ରେ ଗୋପାଳପୁର ଷ୍ଟିଲ୍ ପ୍ରକଳ୍ପ ପାଇଁ ଓଡ଼ିଶା ଆସିଥିଲେ ରତନ ଟାଟା । ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ । ୨୦୧୮ରେ ଗଞ୍ଜାମ ଜାଗା ମିଶନ ପ୍ରକଳ୍ପ ସହ ସେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିଲେ ।
ଓଡ଼ିଶାରେ ବସ୍ତି ବାସିନ୍ଦାମାନଙ୍କୁ ଘର ଯୋଗାଇ ଦେବା କ୍ଷେତ୍ରରେ ଟାଟା ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ‘ଜାଗା ମିଶନ’ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଯାହାକି ସେତେବେଳେ ବସ୍ତି ବାସିନ୍ଦାଙ୍କ ପାଇଁ ବିଶ୍ୱର ସବୁଠୁ ବଡ଼ ପ୍ରକଳ୍ପର ମାନ୍ୟତା ପାଇଥିଲା।
ଶିଳ୍ପ ଓ ଆର୍ଥିକ ବିକାଶ ସହ ସାମାଜିକ ଉତ୍ତରଦାୟିତ୍ୱର ସନ୍ତୁଳନ ରକ୍ଷା କରି ଓଡ଼ିଶାର ସାମଗ୍ରିକ ବିକାଶରେ ନିଜର ସ୍ପଷ୍ଟ ଛାପ ଛାଡ଼ିବାରେ ସକ୍ଷମ ହୋଇଛନ୍ତି । ୧୯୯୯ ମହାବାତ୍ୟା ହେଉ କି ୨୦୧୧ର ବନ୍ୟା ବିତ୍ପାତ ଅବା ଅନ୍ୟ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ସବୁବେଳେ ସହଯୋଗର ହାତ ବଢ଼ାଇଛନ୍ତି ରତନ ଟାଟା । ନିଜର ଟାଟା ଗ୍ରୁପ ମାଧ୍ୟମରେ ଦେଶବିଦେଶର ୪ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦେଇଥିବା ରତନ ଟାଟାଙ୍କର ଓଡ଼ିଶାର ଶିଳ୍ପ, ସାମାଜିକ ବିକାଶ, ଐତିହ୍ୟ ଓ ସାଂସ୍କୃତିକ ସୁରକ୍ଷା, ଏମଏସଏମଇକୁ ସହାୟତା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ରାଜ୍ୟର ସାମଗ୍ରିକ ବିକାଶ ଗତିଶୀଳ ହୋଇପାରିଛି ।
ଓଡ଼ିଶାର ଶିଳ୍ପ ବିକାଶରେ ରତନ ଟାଟାଙ୍କ ଯୋଗଦାନ ଅବିସ୍ମରଣୀୟ । ତାଙ୍କ କମ୍ପାନୀ ଟାଟା ଷ୍ଟିଲ ଓଡ଼ିଶାରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରି ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କଳିଙ୍ଗନଗରଠାରେ ଟାଟା ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା ରତନ ଟାଟାଙ୍କ ଉଦ୍ୟମ ଓ ପ୍ରତିବଦ୍ଧତା ଯୋଗୁ ସମ୍ଭବପର ହୋଇପାରିଥିଲା । ଟାଟା ଷ୍ଟିଲ ନିଜର କଳିଙ୍ଗନଗରଠାରେ ଥିବା ପ୍ଲାଂଟ କଳେବର ବୃଦ୍ଧି କରିବା ସହ ୨୦୨୨ରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଓ ଢେଙ୍କାନାଳରେ ଭୂଷଣ ଷ୍ଟିଲକୁ ଅଧିଗ୍ରହଣ କରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରାଜ୍ୟର ୧ଲକ୍ଷ ଲୋକଙ୍କୁ ରୋଜଗାର ଦେଇପାରିଛିି । ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ଟାଟା ଷ୍ଟିଲର ଫେରେକ୍ରୋମ ପ୍ଲାଂଟ୍ ମଧ୍ୟ କାର୍ଯ୍ୟ କରୁଛି । ଏସବୁ କେବଳ ରତନ ଟାଟାଙ୍କ ଦୂରଦୃଷ୍ଟି ଯୋଗୁ ସମ୍ଭବପର ହୋଇପାରିଛି ।
ଓଡ଼ିଶାର ଭିତ୍ତିଭୂମିରେ ନିବେଶ
ରତନ ଟାଟା ୧୯୯୧ ମସିହାରେ ଟାଟା ଗ୍ରୁପ୍ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବା ପରେ ତାଙ୍କ କମ୍ପାନୀ ଓଡ଼ିଶାରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ କରିଥିଲା । ୨୦୧୨ରେ ସେ ଅଧ୍ୟକ୍ଷ ପଦରୁ ଓହରିବା ପରେ ମଧ୍ୟ ଏହି ପୁଞ୍ଜିନିବେଶ ଧାରା ଅବ୍ୟାହତ ରହିଥିଲା । ଓଡ଼ିଶାର ବିଭିନ୍ନ ସଡ଼କ, ବନ୍ଦର, ରାସ୍ତା ସଂଯୋଗୀକରଣ, ଶିଳ୍ପ ଗତିବିଧି, ବିଦ୍ୟୁତ ଯୋଗାଣ ଆଦି କ୍ଷେତ୍ରରେ ଟାଟା ଗ୍ରୁପ୍ ଅର୍ଥନିବେଶ କରିଛି । କେବଳ ସେତିକି ନୁହେଁ ରାଜ୍ୟରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ ପାଇଁ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ସୁବିଧା ମଧ୍ୟ ଯୋଗାଇ ଦେଇଛି ।
ସାମାଜିକ ଉତ୍ତରଦାୟିତ୍ୱ
ରତନ ଟାଟା ଜଣେ ଏଭଳି ଶିଳ୍ପପତି ଥିଲେ, ଯିଏ ନିଜର ଉପାର୍ଜନର ସିଂହଭାଗ ସମାଜସେବାରେ ବିନିଯୋଗ କରୁଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ଗୋଷ୍ଠୀ ବିକାଶ ଓ ଗରିବ ଲୋକଙ୍କ ସାମାଜିକ କଲ୍ୟାଣ ସମେତ ‘ବୁଲାକୁକୁର’ଙ୍କ ପାଇଁ ସେ ଜଣେ ଦରଦୀ ବନ୍ଧୁ ଥିଲେ । ଯେଉଁ ଅଂଚଳରେ ତାଙ୍କର ଶିଳ୍ପ ରହିଥିଲା ସେଠାର ପାରିପାଶ୍ୱର୍ରେ ରହୁଥିବା ଲୋକଙ୍କ ପ୍ରତି ସାମାଜିକ ଉତ୍ତରଦାୟିତ୍ୱବୋଧ ତୁଲାଇବା ଦିଗରେ ରତନ ଟାଟା କେବେବି କାର୍ପଣ୍ୟ କରିନାହାନ୍ତି । କଳିଙ୍ଗ ନଗର ଓ ଗୋପାଳପୁରଠାରେ ଟାଟା ସହଯୋଗରେ ମେଡ଼ିକା ହସ୍ପିଟାଲ ଗ୍ରୁପ ସ୍ଥାନୀୟ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛି । ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନ କାର୍ଯ୍ୟକ୍ରମରେ ରତନ ଟାଟା ନିଜର ଆନ୍ତରିକତା ଦେଖାଇ ସହଯୋଗର ହାତ ବଢ଼ାଇଥିଲେ ।
୧୯୯୯ ମହାବାତ୍ୟାରେ ଉପକୂଳ ଓଡ଼ିଶା ଧ୍ୱଂସବିଧ୍ୱସ୍ତ ହୋଇ ପଡ଼ିଥିବାବେଳେ ଆଗକୁ ଆସିଥିଲେ ରତନ ଟାଟା । ମହାବାତ୍ୟା ସମୟରେ ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ମୟୂରଭଞ୍ଜର ଲୋକେ ସହାୟତା ପାଇଁ ଚାହିଁ ବସିଥିବାବେଳେ ରତନ ଟାଟାଙ୍କ ନିର୍ଦ୍ଦେଶରେ ଓଡ଼ିଶା ପାଇଁ ସତେଯେମିତି ନିଜର ରାଜକୋଷକୁ ଖୋଲି ଦେଇଥିଲା ଟାଟା ଗ୍ରୁପ୍ । ରାସ୍ତାଘାଟ ବନ୍ଦ ଓ ଜରୁରୀ ସେବା ବନ୍ଦ ଥାଇ ମଧ୍ୟ ପ୍ରାୟ ୧୨ହଜାର ପ୍ରଭାବିତ ପରିବାରକୁ ଜରୁରୀ ରିଲିଫ ସାମଗ୍ରୀ ପହଂଚାଇଥିଲା । ଆଉ ଟାଟା ମେନ୍ ହସ୍ପିଟାଲର ଡାକ୍ତରୀ ଟିମ୍ ଦ୍ୱାରା ପ୍ରଭାବିତ ଅଂଚଳରେ ଚିକିତ୍ସା ସେବା ପ୍ରଦାନ ସହ ୧ଲକ୍ଷ କମ୍ବଳ ବଂଟନ କରାଯାଇଥିଲା । ସର୍ବାଧିକ ବାତ୍ୟା ପ୍ରଭାବିତ ଜଗତସିଂହପୁର ଜିଲ୍ଲାର ଆମ୍ବିକି ଓ ଜପା ପଂଚାୟତର ୬ଟି ଗାଁର ୪୩୫ଟି ପରିବାରକୁ ୨୫୦ବର୍ଗଫୁଟର କୋଠା ଘର ମଧ୍ୟ ପ୍ରଦାନ କରି ରାଜ୍ୟବାସୀଙ୍କ ଦୁଃସ୍ଥିତିରେ ସେ ରହିଥିବାର ସନ୍ଦେଶ ଦେଇଥିଲେ । ୨୦୦୧ରେ ବନ୍ୟା ବିତ୍ପାତରେ ୫ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ଟାଟା ଗ୍ରୁପ୍ ପ୍ରାୟ ୫୦ହଜାର ପରିବାରକୁ ସହଯୋଗର ହାତ ବଢ଼ାଇଥିଲା । ୨୦୧୧ ବନ୍ୟା ବିତ୍ପାତବେଳେ ଯାଜପୁର ଜିଲ୍ଲାର ବରୀ ଓ ବଡ଼ଚଣା ଏବଂ ପୁରୀର କଣାସ ବ୍ଲକରେ ବ୍ୟାପକ ସହାୟତା ବଂଟନ କରିଥିଲା ଟାଟା ଗ୍ରୁପ୍ । ଆଉ ଏସବୁ କେବଳ ରତନ ଟାଟାଙ୍କ ପ୍ରତିବଦ୍ଧତା କାରଣରୁ ସମ୍ଭବପର ହୋଇପାରିଥିଲା ।
ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ନିଯୁକ୍ତ
ସ୍ଥାନୀୟ ପିଲାମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ଓ ପିଲାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସେମାନଙ୍କର ଦକ୍ଷତା ବିକାଶ କରିବା ଦିଗରେ ରତନ ଟାଟାଙ୍କ ଯୋଗଦାନକୁ ଭୁଲି ହେବ ନାହିଁ । ହସ୍ତଶିଳ୍ପୀଙ୍କୁ ସେମାନଙ୍କର ଉତ୍ପାଦ ପାଇଁ ପ୍ରୋତ୍ସାହନ ଓ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସହାୟତା ପ୍ରଦାନ ଉପରେ ସେ ପ୍ରାଥମିକତା ଦେଉଥିଲେ ।
ସ୍ୱାସ୍ଥ୍ୟ ଓ ଚିକିତ୍ସା ସେବା
ରତନ ଟାଟାଙ୍କ ପ୍ରୟାସ ଯୋଗୁ ଭୁବନେଶ୍ୱରରେ ଟାଟା ଗ୍ରୁପର ଏକ ଉନ୍ନତମାନର କ୍ୟାନସର ହସ୍ପିଟାଲ ନିର୍ମାଣ ସମ୍ଭବପର ହୋଇପାରିଛି । କେନ୍ଦ୍ର ସରକାରଙ୍କ ସହ ମିଶି ଟାଟା ଗ୍ରୁପ୍ ଏକ କ୍ୟାନସର ହସ୍ପିଟାଲ ସହ ଗବେଷଣା କେନ୍ଦ୍ର ମଧ୍ୟ ସ୍ଥାପନ ପାଇଁ ସମ୍ମତି ଦେଇଥିଲା । କ୍ୟାନସର ସମ୍ପର୍କରେ ଗବେଷଣା,ଶିକ୍ଷା ଓ ଚିକିତ୍ସା ପାଇଁ ଏହି ପ୍ରକଳ୍ପ କାର୍ଯ୍ୟ ଏବେ ଜାରି ରହିଛି । ଗଞ୍ଜାମ ଓ ମୟୂରଭଞ୍ଜରେ ଥିବା ନିଜର ହସ୍ପିଟାଲରେ କ୍ୟାନସର କେୟାର ୱିଙ୍ଗକୁ ମଧ୍ୟ ସୁଦୃଢ଼ କରାଯାଇଛି । ଏହି କ୍ୟାନସର ହସ୍ପିଟାଲ ସ୍ଥାପନ ନିମନ୍ତେ ଆଲୋଚନା ପାଇଁ ରତନ ଟାଟା ନିଜେ ଓଡ଼ିଶା ଆସି ତତକାଳୀନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ । କେବଳ ସେତିକି ନୁହେଁ ରତନ ଟାଟାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଳିଙ୍ଗନଗର ଓ ଗୋପାଳପୁରରେ ଉନ୍ନତମାନର ହସ୍ପିଟାଲ ନିର୍ମାଣ ହୋଇପାରିଛି । କୋଭିଡ୍ ସମୟରେ ଗୋପାଳପୁରରେ ଥିବା ନିଜର ହସ୍ପିଟାଲକୁ ରାଜ୍ୟବାସୀଙ୍କ ଉପଯୋଗ ନିମନ୍ତେ ସମ୍ପୂର୍ଣ୍ଣ ଭାବେ କୋଭିଡ୍ ହସ୍ପିଟାଲରେ ପରିବର୍ତ୍ତନ କରିବାକୁ ପଛାଇନଥିଲା ।
ପଦ୍ମବିଭୂଷଣ ରତନ ଟାଟା ନିଜର ମହାନ ସାମାଜିକ କାର୍ଯ୍ୟ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ । ତାଙ୍କର ସମାଜ ପ୍ରତି ଅବଦାନ ପରବର୍ତ୍ତୀ ପୀଢ଼ୀ ପାଇଁ ଉହାହରଣ ଓ ପ୍ରେରଣାଦାୟୀ ସାଜିବ ।

nis-ad
Leave A Reply

Your email address will not be published.