ଆମେରିକାରେ ଘୂର୍ଣ୍ଣିବାତ୍ୟା ‘ହେଲେନ୍‌’ ନେଲା ୫୦ରୁ ଅଧିକ ଜୀବନ, ମେକ୍ସିକୋରେ ‘ଜନ୍‌’ର ତାଣ୍ଡବ

ଆମେରିକାରେ ଧ୍ୱଂସର ତାଣ୍ଡବ ରଚିଛି ଘୂର୍ଣ୍ଣିବାତ୍ୟା ‘ହେଲେନ୍‌’ । ଏଥିରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ବାସହୀନ ହୋଇପଡ଼ିଛନ୍ତି । ସେପଟେ ମେକ୍ସିକୋରେ ଘୂର୍ଣ୍ଣିବାତ୍ୟା ‘ଜନ୍‌’ ମଧ୍ୟ ବହୁ ବିନାଶ ଘଟାଇଛି ।

ଦକ୍ଷିଣ-ପଶ୍ଚିମ ମେକ୍ସିକୋରେ ଶନିବାର ହଜାର ହଜାର ସଂଖ୍ୟାରେ ଲୋକେ ନିଜ ଘର ଛାଡ଼ିଛନ୍ତି । ପାଖାପାଖି ସପ୍ତାହେ ଧରି ଏହି ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଏଥିରେ ପ୍ରାୟ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।

ମେକ୍ସିକୋର ସବୁଠାରୁ ଗରିବ ଅଞ୍ଚଳ କୁହାଯାଉଥିବା ଗୱେରିରୋରେ ଏହି ବାତ୍ୟାର ଅଧିକ ପ୍ରଭାବ ପଡ଼ିଛି । ଏଠାରେ ବାତ୍ୟା ସଂସ୍ପର୍ଶରେ ଆସି ୧୮ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମାଟି ଧସିବା କାରଣରୁ ମୃତ୍ୟୁ ହୋଇଛି । ଦକ୍ଷିଣରେ ଓକ୍ସାକାରେ ୩ ଜଣ ପ୍ରାଣ ହରାଇଥିବା ବେଳେ ଉତ୍ତର ମିଶୋଆକାନ ରାଜ୍ୟରେ ନଦୀରେ ବୁଡ଼ି ଜଣେ ଛୋଟ ପିଲାର ମୃତ୍ୟୁ ଘଟିଛି ।

ଯଦିଓ ଆଶ୍ୱସ୍ତିକର କଥା ଯେ ଗତ ଶୁକ୍ରବାରଠାରୁ ଜନ୍‌ର ପ୍ରଭାବ ଦୁର୍ବଳ ହେବାକୁ ଲାଗିଛି ଏବଂ ବର୍ତ୍ତମାନ ଏହାକୁ ସକ୍ରିୟ ଝଡ଼ ବୋଲି କୁହାଯାଉ ନାହିଁ ।

ଆମେରିକାରେ ବାତ୍ୟା ହେଲେନ୍‌ ପ୍ରଭାବରେ ପ୍ରବଳ କ୍ଷୟକ୍ଷତି ହୋଇଛି । ଏହାର ଘଣ୍ଟା ପ୍ରତି ସର୍ବାଧିକ ବେଗ ଥିଲା ୨୨୫ କିଲୋମିଟର । ଗତ ଗୁରୁବାର ବିଳମ୍ବିତ ରାତିରେ ଏହି ବାତ୍ୟା ଫ୍ଲୋରିଡ଼ାର ଗ୍ରାମାଞ୍ଚଳ ବିଗ୍‌ ବେଣ୍ଡର ଏକ କମ୍‌ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିଥିଲା । ଏହି ବାତ୍ୟାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

nis-ad
Leave A Reply

Your email address will not be published.