ବିଭିନ୍ନ ମାମଲାର ଅଭିଯୁକ୍ତଙ୍କ ଘର ଉପରେ ସରକାର ଚଢ଼ାଉଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ମତ ରଖିଛନ୍ତି ସୁପ୍ରିମକୋର୍ଟ। ଯଦି ଜଣେ ବ୍ୟକ୍ତି ଦୋଷୀ ବି ସାବ୍ୟସ୍ତ ହେଉଛନ୍ତି, ତଥାପି ତାଙ୍କ ଘର ଭଙ୍ଗା ଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଅଭିଯୁକ୍ତଙ୍କ ଘର ଉପରେ ସରକାର ବୁଲଡୋଜର ଚଳାଉଥିବାରୁ ଏହା ବିରୋଧରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଆଗତ କରାଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏପରି କଥା କହିଛନ୍ତି।
ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କହିଛନ୍ତି, ସର୍ବଭାରତୀୟ ସ୍ତରରେ ଘର ଓ ବିଲଡିଂ ଉଚ୍ଛେଦ ନେଇ ସର୍ବୋଚ୍ଚ ଅଦାଲତ ଗୋଟିଏ ଗାଇଡଲାଇନ ଜାରି କରିବେ। ଜଣେ ବ୍ୟକ୍ତି ଅଭିଯୁକ୍ତ ହୋଇଛନ୍ତି ବୋଲି ତାଙ୍କ ଘର କେମିତି ଭାଙ୍ଗିବା? ଯଦି ବି ସେ ଦୋଷୀ ସାବ୍ୟସ୍ତ ହେଉଛନ୍ତି, ତଥାପି ତାଙ୍କ ଘରକୁ ଭଙ୍ଗା ଯାଇ ପାରିବ ନାହିଁ।
ଏ ସମ୍ପର୍କରେ ସୁପ୍ରିମକୋର୍ଟ ବାର ଆସୋସିଏସନକୁ କୁହାଯାଇଥିଲା। କିନ୍ତୁ ଏହି ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବା ଭଳି ଆମକୁ ଦୃଶ୍ୟମାନ ହେଉନି ବୋଲି ଜାମିଆ ଉଲେମା ଇ- ହିନ୍ଦର ଆବେଦନର ଶୁଣାଣି ବେଳେ ଜଷ୍ଟିସ ଗଭାଇ କହିଛନ୍ତି।
ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରୁଥିବା ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ କହିଥିଲେ ଯେ ୨୦୨୨ ଦଙ୍ଗା ପରେ ତୁରନ୍ତ ଦିଲ୍ଲୀରେ ଅନେକ ଘର ଭାଙ୍ଗି ଦିଆଯାଇଥିଲା। କୁହାଯାଇଥିଲା ଯେ ଏଠାରେ ରହୁଥିବା ଲୋକମାନେ ହିଂସାକୁ ଉସକାଇଥିଲେ।
ବରିଷ୍ଠ ଆଇନଜୀବୀ ଚନ୍ଦ୍ର ଉଦୟ ସିଂହ ରାଜସ୍ଥାନର ଉଦୟପୁରରେ ଘଟିଥିବା ଗୋଟିଏ ଘଟଣାର ଉଦାହରଣ ଦେଇଥିଲେ। ଏଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପୁଅ ଗୋଟିଏ ଅପରାଧରେ ସାମିଲ ଥିବା ଅଭିଯୋଗ ହେବାରୁ ପ୍ରଶାସନ ତାଙ୍କ ଘର ଭାଙ୍ଗି ଦେଇଥିଲା।
କେହି ବି ଲାକୁନାଗୁଡ଼ିକର ଫାଇଦା ଉଠାଇବା କଥା ନୁହେଁ ବୋଲି ମତ ରଖିଥିବା ଜଷ୍ଟିସ ବିଶ୍ୱନାଥନ କହିଛନ୍ତି ଯେ ବାପାଙ୍କର ସମ୍ଭବତଃ ଗୋଟିଏ ଆଜ୍ଞା ପାଳନ କରୁ ନଥିବା ପୁଅ ରହିଥାଇ ପାରେ, କିନ୍ତୁ ଏଥିପାଇଁ ଯେ ବାପା ରହୁଥିବା ଘରକୁ ଭାଙ୍ଗିବା ଆଦୌ ଉଚିତ ନୁହେଁ।
ସଲିସିଟର ଜେନେରାଲ ତୁଷାର ମେହେଟା କେନ୍ଦ୍ର ସରକାରଙ୍କ ପକ୍ଷ ରଖି କହିଥିଲେ ଯେ ଘର ସେତେବେଳେ ଭଙ୍ଗା ଯାଉଛି ଯେତେବେଳେ ଆଇନର ଉଲ୍ଲଙ୍ଘନ ଥିବା ଜଣାପଡ଼ୁଛି। ପୌର ପାଳିକା ଆଇନ ଉଲ୍ଲଙ୍ଘନ ହେବା କଥା ଜଣାପଡ଼ିବା ପରେ ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ।
ଏହାର ଜବାବରେ ବେଞ୍ଚ କହିଥିଲେ ଆମେ ଅଭିଯୋଗ ଗୁଡ଼ିକୁ ଦେଖିଲା ବେଳେ ଭାବୁଛୁ ଯେ କିଛି ତ ଉଲ୍ଲଙ୍ଘନ ହୋଇଛି। ଜଷ୍ଟିସ ଗବାଇ କହିଛନ୍ତି, “ଏହା ଏକ ଜବରଦଖଲ ଆଇନ ହୋଇଥିଲେ ହେଁ ଏହାକୁ ଅଲଗା ଉଦ୍ଦେଶ୍ୟରେ ଉଲ୍ଲଙ୍ଘନ କରି ବ୍ୟବହାର କରାଯାଉଛି। ଯଦି ନିର୍ମାଣ ବେଆଇନ ଭାବେ ହୋଇଛି, ତା’ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ।”
ବିଭିନ୍ନ ରାଜ୍ୟରେ ଅନାଧିକୃତ ଭାବେ ହୋଇଥିବା ବିଲଡିଂ ଭାଙ୍ଗିବା ପାଇଁ ଗୋଟିଏ ଗାଇଡଲାଇନର ଆବଶ୍ୟକତା ରହିଛି। ଏହା ପାଇଁ ପ୍ରସ୍ତାବ ଆସୁ। ଆମେ ସର୍ବଭାରତୀୟ ସ୍ତରରେ ଏନେଇ ଗାଇଡଲାଇନ ଜାରି କରିବୁ ବୋଲି ବିଶ୍ୱନାଥନ କହିଛନ୍ତି।
ସୁପ୍ରିମକୋର୍ଟ ଆସନ୍ତା ୧୭ ତାରିଖରେ ପୁଣି ଏହା ଉପରେ ଶୁଣାଣି କରିବେ।