ଓଡ଼ିଶାରେ ଲାଗୁ ହେଲା ପିଏମ୍-ଉଷା ଯୋଜନା, ଗୁଣାତ୍ମକ ଶିକ୍ଷାଦାନ ଉଦ୍ଦେଶ୍ୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଉପସ୍ଥିତିରେ ଓଡିଶାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ – ପିଏମ ଉଷା କାର୍ଯ୍ୟକାରୀ କରିବା ନିମନ୍ତେ ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ରାଜ୍ୟରେ ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ଉନ୍ନତି କରିବା ଲକ୍ଷ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି ।
ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ସମୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ ଦିଗରେ ପିଏମ-ଉଷା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କେନ୍ଦ୍ର ଓ ରାଜ୍ୟର ପାଣ୍ଠି ସହାୟତାରେ, ଗୁଣାତ୍ମକ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାର ବିକାଶ, ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକର ସ୍ୱୀକୃତି ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରିବା ସହ ବହୁବିଭାଗୀୟ ପାଠ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ବୃଦ୍ଧି କରିବା ଏହି ପଦକ୍ଷେପର ଲକ୍ଷ୍ୟ ରହିଛି।
ସେ କହିଛନ୍ତି, ଓଡ଼ିଶାର ପୁଞ୍ଜି ହେଉଛି ବୌଦ୍ଧିକ କ୍ଷମତା ଏବଂ ମାନବ ସମ୍ବଳ। ଓଡ଼ିଶା ଜନସଂଖ୍ୟାର ଏକ ଚତୁର୍ଥାଂଶ ହେଉଛନ୍ତି ଛାତ୍ରଶକ୍ତି। ବୌଦ୍ଧିକ ଶକ୍ତିର ଅଧିକାରୀ ହେବା ଓଡ଼ିଆ ପିଲାଙ୍କ ଡିଏନଏରେ ଅଛି। ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତିର ମହାନ ଅବସର ଦେଉଥିବା ବେଳେ ଏହି ସମୟରେ ଓଡ଼ିଶାର ଏହି ୧ କୋଟି ଛାତ୍ରଶକ୍ତିଙ୍କୁ ବୈଶ୍ୱିକ ଦକ୍ଷତା ସହ ଯୋଡିବା ପାଇଁ ହେବ। ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ମଜଭୂତ୍ କରିବା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗୀ ହେବେ। ଏକବିଂଶ ଶତାବ୍ଦୀରେ ଓଡ଼ିଶା ଯେପରି ବୈଶ୍ୱିକ ସ୍ତରରେ ନେତୃତ୍ୱ ନେବ, ଏହା ଆମର ସଂକଳ୍ପ ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.