ଗଣେଶ ପୂଜା ପାଇଁ କଟକଣା, ପୂଜା ପେଣ୍ଡାଲ ଉପରେ ନଜର ରଖିବ ଡ୍ରୋନ୍

ଭୁବନେଶ୍ୱର : ଆସୁଛି ପାର୍ବଣ ଋତୁ । ସେପ୍ଟେମ୍ୱର ୭ ତାରିଖରେ ପାଳିତ ହେବ ଗଣେଶ ପୂଜା । ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ଉପରେ ଗୁରୁତ୍ବ ଦେଇଛି କମିସନରେଟ ପୋଲିସ । ଏବେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ପାଇଁ ଚ୍ୟାଲେଞ୍ଜ ରହିବ ସାମ୍ପ୍ରଦାୟିକ ସଦଭାବନା ଅକ୍ଷୁର୍ଣ୍ଣ ରଖିବା । ଏଥିପାଇଁ ସମସ୍ତ ପୂଜା କମିଟି ସହ ଆଲୋଚନା କରିଛନ୍ତି ଭୁବନେଶ୍ବର ଡସିପି ପ୍ରତୀକ ସିଂ। ପୂଜା ପେଣ୍ଡାଲ , ବିସର୍ଜନ ଓ ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ ଉପରେ କମିନରେଟ ପୋଲିସର କଡା ନଜର ରହିବ। ନଜର ରଖିବା ପାଇଁ ଡ୍ରୋନ୍ ଓ AIର ବ୍ୟବହାର କରାଯିବ । ସଂଖ୍ୟା ଲଘୁ ରହୁଥିବା ବସ୍ତି, ସାହି, ନିକଟରେ ଥିବା ମେଢ଼ ଓ ଶୋଭା ଯାତ୍ରା ଉପରେ କଡା ନଜର ରଖାଯିବ। ଏନେଇ ଗୃହ ବିଭାଗ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଘନ ଘନ ବୈଠକ ଚାଲିଛି । ପୂଜା ସମୟରେ ଗଣ୍ଡଗୋଳକାରୀଙ୍କୁ କଡ଼ା ଚେତାବନୀ ଦେଇ DCP କହିଛନ୍ତି , ଯିଏ ଆଇନକୁ ହାତକୁ ନେବ ତା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅନ୍ୟପଟେ ପୂଜା ହେଉ ବା ପର୍ବପର୍ବାଣୀ ହେଉ, ଉତ୍ସବ ପାଳନ କରିବାରେ ଅସୁବିଧା ନାହିଁ। କିନ୍ତୁ ଉତ୍ସବ ପାଳନ ପାଇଁ ଅନ୍ୟର କ୍ଷତି କରିବା ତାହା ବି ଠିକ୍ ନୁହେଁ। ଆଜିକାଲିର ଯୁବପିଢ଼ି ନିଜେ ଉତ୍ସବ ପାଳନ କରିବା ସମୟରେ ଅନ୍ୟକୁ କ୍ଷତି ପହଞ୍ଚାଉଥିବା ନଜିର ରହିଛି। ପୂଜା ହେଉ ବା ଭସାଣୀ ସମୟରେ ଯୁବକମାନେ ମଦପିଇବା, ଗଣ୍ଡଗୋଳ କରିବା ଏକ ସାଧାରଣ ଘଟଣା ହୋଇଯାଇଛି। ଏପରିକି ପୂଜା ସମୟରେ ହିଂସାତ୍ମକ କାଣ୍ଡ ମଧ୍ୟ ହୋଇଛି। ଭୁବନେଶ୍ବରରେ ଗତ ବର୍ଷ ଗଣେଶ ପୂଜା ସମୟରେ ଡିଜେ ପାଇଁ ଜଣେ ବୃଦ୍ଧଙ୍କ ଜୀବନ ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କମିସନରେଟ୍ ପୋଲିସ ପକ୍ଷରୁ ସମସ୍ତ ଗଣେଶ ପୂଜା କମିଟି ସହିତ ଆଲୋଚନା ପରେ ବଡ଼ ନିଷ୍ପତ୍ତି ନେଇଛି।

nis-ad
Leave A Reply

Your email address will not be published.