ବିଧାନସଭାରେ ସଂରକ୍ଷଣ ତାତି: ପ୍ରଥମାର୍ଦ୍ଧରେ ଚାଲିପାରିଲାନି ଗୃହ

ଭୁବନେଶ୍ବର: ମୋହନ ସରକାର ଛି… ଛି.., ମୋହନ ସରକାର ଥୁ… ଥୁ…, ଆମର ଦାବି ପୂରଣ ହେଉ…। ଗତକାଲି ପରି ଆଜି ବି ଏମିତି ନାରାବାଜିରେ ବିଧାନସଭା ଗୃହ କମ୍ପିଥିଲା। ତେବେ ପ୍ରସଙ୍ଗ ଭିନ୍ନ ଥିଲା। ଆଜି ସଂରକ୍ଷଣ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିଜେଡି ଓ କଂଗ୍ରେସ ସଭ୍ୟମାନେ। ସ୍ଥିତି ଏମିତି ହୋଇଥିଲା ଯେ ପ୍ରଥମାର୍ଦ୍ଧରେ ଗୃହ ସ୍ବାଭାବିକ ହୋଇପାରି ନଥିଲା। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିବା ପାଇଁ ଠିଆ ହେଲେ। ବାଚସ୍ପତି ତାଙ୍କୁ ସୁଯୋଗ ଦେଲେ। ଶ୍ରୀ କାଡ଼ାମ କହିଲେ, ରାଜ୍ୟରେ ଓବିସି ସଂଖ୍ୟା ୫୪%। ଏସ୍‌ସି ଓ ଏସ୍‌ଟିଙ୍କ ସଂଖ୍ୟା ୪୦%। ତେଣୁ ସମୁଦାୟ ସଂରକ୍ଷଣ ୯୪% ହେବା କଥା। ମେଡିକାଲ ଓ ବୈଷୟିକ ଶିକ୍ଷାରେ ଏସ୍‌ସି/ଏସ୍‌ଟିଙ୍କ ସଂରକ୍ଷଣ ମାତ୍ର ୨୦% ରହିଛି। ପଛୁଆ ବର୍ଗ ଗଣନା ବି ହେଉନି। ଜାତିଭିତ୍ତିକ ଜନଗଣନାର ଆବଶ୍ୟକତା ରହିଛି। ଏବେ ମେଡିକାଲରେ ନାମ ଲେଖା ଚାଲିଛି। ସଂରକ୍ଷଣ ନ ମିଳିଲେ ଓବିସି ବାଦ୍ ପଡ଼ିବେ। ଅଧିକାର ନମିଳିଲେ ଆମେ ଆନ୍ଦୋଳନ କରିବୁ।
ବିଜେଡି ବିଧାୟକ ଅରୁଣ ସାହୁ କହିଲେ, ସଂରକ୍ଷଣ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଓଡ଼ିଶାରେ ଏସ୍‌ସି/ଏସ୍‌ଟିଙ୍କ ପାଇଁ ୩୮.୭୫% ସଂରକ୍ଷଣ ଅଛି। ହେଲେ ମେଡିକାଲ ଓ ଇଞ୍ଜିନିୟରିଂରେ ମାତ୍ର ୨୦%। ଓବିସିଙ୍କ ପାଇଁ ଆଦୌ ନାହିଁ। ଓବିସି ପିଲାଙ୍କୁ ୨୭% ସଂରକ୍ଷଣ ନହେଲେ ବି ୧୧.୨୫% ସଂରକ୍ଷଣ ଲାଗୁ କରାଯାଉ। ନହେଲେ ଅସଙ୍ଗତି ହେବ। ଦୁର୍ଭାଗ୍ୟ ହେଲା ପ୍ରତି ୧୦ ବର୍ଷରେ ଜନଗଣନା ହେବା କଥା। ହେଲେ ୨୦୨୧ରେ ହେଲା ନାହିଁ। ବିଜେପି ଏସ୍‌ସି, ଏସ୍‌ଟି ଓ ଓବିସିଙ୍କ ପାଇଁ କିଛି କରୁନାହାନ୍ତି। ଜାତି ଭିତ୍ତିକ ଜନଗଣନା କରାଯାଉ। ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୫୪% ହେଉଛନ୍ତି ଓିବିସି। ତେଣୁ ସେମାନଙ୍କ ପାଇଁ ୧୧.୨୫% ସଂରକ୍ଷଣ ନରହିଲେ ଆଗାମୀ ଦିନରେ ଓବିସି ଛାତ୍ରଛାତ୍ରୀ ଆନ୍ଦୋଳନ କରିବେ। ଏବେ ମେଡିକାଲ ନାମଲେଖା ଚାଲିଛି। ଏଥିରେ ଏସ୍‌ସି/ଏସ୍‌ଟିଙ୍କୁ ୩୮.୭୫% ଓ ଓବିସି ଛାତ୍ରଛାତ୍ରୀଙ୍କୁ ୧୧.୨୫% ସଂରକ୍ଷଣ ମିଳୁ। ବିଧାନସଭା ଚାହିଲେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ପାରିତ କରି କେନ୍ଦ୍ରକୁ ପଠାଇପାରିବ। ଓବିସିଙ୍କୁ ସଂରକ୍ଷଣ ନଦେଲେ ଆନ୍ଦୋଳନ ହେବ।
ଏହି ସମୟରେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗରେ ହୋହାଲ୍ଲା କରିଥିଲେ। ସରକାରଙ୍କ ବିରୋଧରେ ନାରାବାଜି କରି ସଂରକ୍ଷଣ ଦାବିରେ କାଗଜ ଦେଖାଇଥିଲେ। ଆଦିବାସୀ, ଦଳିତ ଓ ପଛୁଆ ବର୍ଗ ମାରଣ ନୀତି ଚଳିବ ନାହିଁ ବୋଲି ଚିତ୍କାର କରିଥିଲେ। ହୋହଲ୍ଲା ଭିତରେ ବାଚସ୍ପତି ବିଜେପିର କିଛି ସଭ୍ୟଙ୍କୁ କହିବା ପାଇଁ ସୁଯୋଗ ଦେଇଥିଲେ।
ଶାସକ ଦଳ ସଭ୍ୟ ଟଙ୍କଧର ତ୍ରିପାଠୀ କହିଲେ, ବିଜେଡି ସରକାରର ୨୪ ବର୍ଷ ଭିତରେ ଓବିସିଙ୍କ ପ୍ରତି ବେଶୀ ଅନ୍ୟାୟ କରାଯାଇଛି। ସେମାନେ ପ୍ରତାରଣାର ଶୀକାର ହୋଇଛନ୍ତି। କେନ୍ଦ୍ରରେ ବିଜେପି ସରକାର ଆସିଲା ପରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉତ୍‌ଥାନ ପାଇଁ ବହୁ ପଦକ୍ଷେପ ନିଆଯାଇଛି। ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନାହିଁ। ସେଥି ପାଇଁ ଅପ୍ରସଙ୍ଗକୁ ପ୍ରସଙ୍ଗ କରିଛନ୍ତି।
ଶାସକ ଦଳ ବିଧାୟକ ଦୁର୍ଗାପ୍ରସନ୍ନ ନାୟକ କହିଲେ, ବିରୋଧୀମାନେ କେବଳ ହଟ୍ଟଗୋଳ କରିବା ପାଇଁ ଯେମିତି ବିଧାନସଭାକୁ ଆସୁଛନ୍ତି। ଏମାନେ ଲୋକଙ୍କ ହିତରେ ନାହାନ୍ତି। ପବିତ୍ର ଗୃହର ସୁପରିଚାଳନା ପାଇଁ ସେମାନେ କେବେ ଭାବୁ ନାହାନ୍ତି। ଚପଲ ପିନ୍ଧି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଯାଉଛନ୍ତି। ସେମାନଙ୍କର ଏମିତି ଆଭିମୁଖ୍ୟ ଯୋଗୁ ଲୋକମାନେ ପ୍ରତ୍ୟାଖ୍ୟାନ କରିଥିଲେ। ଶାସକ ଦଳ ସଭ୍ୟ ସିଦ୍ଧାନ୍ତ ମହାପାତ୍ର ବିରୋଧୀଙ୍କୁ ଭର୍ତ୍ସନା କରିଥିଲେ। ବାଚସ୍ପତିଙ୍କ ପ୍ରତି ସମସ୍ତଙ୍କ ସମ୍ମାନ ରହିବା ଉଚିତ ବୋଲି କହିଥିଲେ। ମାନସ ଦତ୍ତ ମଧ୍ୟ ବିରୋଧୀଙ୍କୁ ସମାଲୋଚନା କରିଥିଲେ।
ଗୃହର ସ୍ଥିତି ସ୍ବାଭାବିକ ନହେବାରୁ ବାଚସ୍ପତି ଗୃହକୁ ଏକ ଘଣ୍ଟା ମୁଲତବୀ ରଖିଲେ। ଘଣ୍ଟାଏ ପରେ ବି ସମାନ ସ୍ଥିତି ଲାଗି ରହିଲା। ମନ୍ତ୍ରୀମାନେ କିଛି ରିପୋର୍ଟ ଉପସ୍ଥାପନ କଲା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଲେ। ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ କଂଗ୍ରେସ ସଭ୍ୟମାନେ ପୁଣି ମଧ୍ୟ ଭାଗକୁ ଆସି ସଂରକ୍ଷଣ ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲେ। କିଛି ସମୟ ପରେ ସେମାନେ କକ୍ଷତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। କଂଗ୍ରେସ ସଭ୍ୟଙ୍କ ଅନୁପସ୍ଥିତିରେ ଦୁଇଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ପାରିତ ହୋଇଥିଲା।

nis-ad
Leave A Reply

Your email address will not be published.