କଲେଜ ଯାଉଥିବା ସମୟରେ ଗୋଡ଼ାଇ ଗୋଡ଼ାଇ ଅଧ୍ୟାପକଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ

ଉଦଳା: ସବୁଦିନ ଭଳି ସେଦିନ ବି କଲେଜ ଯାଉଥିଲେ ଏ ଅଧ୍ୟାପକ, କିନ୍ତୁ ସେ କେବେ ବି ଭାବିନଥିଲେ ତାଙ୍କ ସହ ଏମିତି ଘଟିଯିବ । ହେଲମେଟ ପିନ୍ଧି ବାଇକ୍‌ ଯୋଗେ କଲେଜ ଯାଉଥିଲେ । କିନ୍ତୁ ହଠାତ ପଛରୁ ଦୁଇ ଦୁର୍ବୁତ୍ତ ଆସି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କଲେ । ଆଉ ମୁଣ୍ଡରେ ହେଲମେଟ ଥିବାରୁ ଅଳ୍ପକେ ଜୀବନ ବଞ୍ଚାଇପାରିଲେ ଅଧ୍ୟାପକ । କିନ୍ତୁ ଦୁର୍ବୁତ୍ତଙ୍କ ଦ୍ୱିତୀୟ ଆକ୍ରମଣରୁ ନିଜକୁ ବଞ୍ଚାଇ ପାରିଲେନି ବ୍ୟକ୍ତି । ଧାରୁଆ ଅସ୍ତ୍ରର ପ୍ରହାର ତାଙ୍କ କାନ୍ଧରେ ବାଜିଲା । କ୍ଷତାକ୍ତ ହୋଇ ଦୁର୍ବୁତ୍ତଙ୍କ ଠାରୁ ବଞ୍ଚିବା ପାଇଁ ବାଇକରେ ଗାଁ ଭିତରକୁ ମାଡ଼ିଗଲେ । ଆଉ ଗାଁ ଭିତରେ ପଶିଯିବାରୁ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଖସି ପଳାଇଲେ ।

ଏଭଳି ଅଘଟଣ ମୟୁରଭଞ୍ଜ ଜିଲ୍ଳା କପ୍ତିପଦା ଥାନା କୁକୁରଡିମା ଛକ ନିକଟରେ ଘଟିଛି । କପ୍ତିପଦା ଥାନା ନୁଦଡିହା ମେଘାସନ ମହାବିଦ୍ୟାଳୟ ଯୁକ୍ତ ୩ ଗଣିତ ବିଭାଗର ଅଧ୍ୟାପକ ରୂପେଶ କୁମାର ମହାପାତ୍ର ଆଜି କଲେଜ ଯାଉଥିବା ସମୟରେ ତାଙ୍କ ଉପରେ ହୋଇଥିଲା ଆକ୍ରମଣ । ବାଇକରେ କଲେଜ ଯାଉଥିବା ବେଳେ କୁକୁରଡିମା ଛକ ନିକଟରେ ଦୁଇ ଜଣ ଯୁବକ ପଛ ପଟୁ ବାଇକରେ ଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । କିନ୍ତୁ ହେଲମେଟ ପିନ୍ଧିଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ରୂପେଶ । ଏତିକିରେ ଶାନ୍ତ ହୋଇନଥିଲେ ଦୁର୍ବୁତ୍ତ ଆଉ ପୁଣି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ ଯାହା ତାଙ୍କ କାନ୍ଧରେ ବାଜିଥିଲା । ସେ ଗୁରୁତର ଭାବେ ଆହତ ହୋଇଥିଲେ । ରୂପେଶ ନିଜକୁ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଖସିଯିବାକୁ ବାହାରିଥିବା ବେଳେ ଦୁର୍ବୁତ୍ତମାନେ କିଛି ବାଟ ତାଙ୍କୁ ଗୋଡାଇଥିଲେ । ହେଲେ ସେ ନିକଟସ୍ଥ ଗାଁ ଭିତରକୁ ପଶିଯିବାରୁ ଦୁର୍ବୁତ୍ତମାନେ ସେଠାରୁ ଖସି ଚାଲିଯାଇଥିଲେ ।

ତେବେ ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତାରେ ଜଣେ ଅଧ୍ୟାପକଙ୍କୁ ଏପରି ଦୁଇ ଜଣ ଦୁର୍ବୁତ୍ତ ଆକ୍ରମଣ କଲେ ତାକୁ ନେଇ ଖୋଳତାଡ କରୁଛି ପୋଲିସ୍ । କେଉଁ କାରଣରୁ ଏହି ମରଣାନ୍ତକ ଆକ୍ରମଣ ହୋଇଛି ତାହା ଅସ୍ପଷ୍ଟ ରହିଛି । କିନ୍ତୁ ସୌଭାଗ୍ୟବଶତଃ ରୂପେଶ ହେଲମେଟ ପିନ୍ଧିଥିବାରୁ ତାଙ୍କ ଜୀବନ ବଞ୍ଚିଲା । ଏଠାରେ ପ୍ରଶ୍ନ ଉଠୁଛି ଦୁର୍ବୁତ୍ତଙ୍କ ସାହସ କେମିତି ହେଉଛି ଏସବୁ କରିବା ପାଇଁ । କଣ ଏମାନଙ୍କୁ ପୋଲିସର ଭୟ ନାହିଁ । ମଣିଷ ଜୀବନ ନେବାକୁ ପଛାଉ ନାହାନ୍ତି ଏ ଦୁର୍ବୁତ୍ତ । ତେଣୁ ଏ ଦୁର୍ବୁତ୍ତଙ୍କୁ ଧରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ତାହା ହିଁ ସାଧାରଣରେ ଦାବି ।

nis-ad
Leave A Reply

Your email address will not be published.