ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁବୃତ୍ତ

ପୁରୀ: ପୁରୀ ସହରରେ ଆଉ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଟାଉନଥାନା ଅନ୍ତର୍ଗତ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନ୍ ଠାରେ କିଛି ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନର ଦିନେଶ କୁମାର ଖୁଣ୍ଟିଆ । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

ଏହି ଘଟଣାଟି ଗୁରୁବାର ରାତିରେ ଘଟିଛି ଯାହାକୁ ନେଇ ପୁରୀରେ ବିଭିନ୍ନ ମହଲରେ ଉଦ‌ବେଗ ପ୍ରକାଶ ପାଇବା ସହ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଖଜା ଦୋକାନକୁ ନେଇ କିଛି ମାସ ହେବ ଉଭୟଙ୍କ ମଧ୍ୟରେ ଶତ୍ରୁତା ରହିଥ‌ିବା ସୂଚନା ମିଳିଛି । ଦିନେଶଙ୍କ ଭାଇଙ୍କ କହିବା ଅନୁଯାୟୀ ତାଙ୍କ ଭାଇକୁ ହତ୍ୟା କରିଥ‌ିବା ଅଭିଯୁକ୍ତ କାହ୍ନା ଓ ତାର ପରିବାର ଲୋକ ଫୋନ୍ କରି ତାଙ୍କୁ ବାହାରକୁ ଡାକିଥିଲେ। ମାତ୍ର ସେ ଯିବାକୁ ମନା କରିଦେଇଥିଲେ । ଦୀନେଶ କୋଉଠି ଅଛି ତାକୁ ଆମ ପାଖକୁ ପଠା ବୋଲି କହିଥିଲେ । ମାତ୍ର ଦିନେଶ ଘରେ ନଥିବା କହିବା ସହ ବଜାର ଯାଇଥିବା ନେଇ କହିଥିଲେ ।

ତେବେ ଦିନେଶ ଘରକୁ ଫେରୁଥିବା ସମୟରେ ଛକ ନିକଟରେ ଅଭିଯୁକ୍ତ ମାନେ ତାଙ୍କୁ ଆକ୍ରମଣ କରିଥିଲେ । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୩ ଜଣ ବିଭିନ୍ନ ମାରଣାସ୍ତ୍ର ଛୁରୀ ଓ କଟୁରୀରେ ଆକ୍ରମଣ କରିଥିବା ବେଳେ ୨ ଜଣ ଘରେ ରହିଥିଲେ । ଆକ୍ରମଣରେ ଦିନେଶଙ୍କ ବାମପଟ ବେକରେ ଆଘାତ ଲାଗିଥିଲା । ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ମଧ୍ୟ ଆଘାତ ଲାଗିଥିଲା । ଦିନେଶ ସେଠାରେ ଆହାତ ହୋଇ ପଡିଥିବା ବେଳେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ଖବରପାଇ ପରିବାରଲୋକ ଘଟଣାସ୍ଥଳକୁ ଯାଇ ଦିନେଶକୁ ଉଦ୍ଧାର କରି ମେଡିକାଲ ନେଇଥିଲେ । ତେବେ ସେଠାରେ ଡାକ୍ତର ଦିନେଶକୁ ମୃତ୍ୟୁ ଘୋଷଣା କରିଥିବା ଦିନେଶଙ୍କ ଭାଇ କହିଛନ୍ତି । ଖବରପାଇ ଟାଉନଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।

ସଦର ଏସଡିପିଓ ରବି ନାରାୟଣ ଭଞ୍ଜ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅପରପକ୍ଷରେ ଅଭିଯୁକ୍ତ ମାନଙ୍କୁ ଧରିବା ନିମନ୍ତେ ପୋଲିସ ପକ୍ଷରୁ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିବା ଜଣାପଡିଛି । ଏନେଇ ଅତିରିକ୍ତ ଏସପି ଦେବଦତ ଚକ୍ର କହିଛନ୍ତି ଯେ, ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି। ତେବେ ଏନେଇ ବର୍ତ୍ତମାନ କିଛି କହିହେବ ନାହିଁ । ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ । ଅପରପକ୍ଷରେ ଅପ୍ରିତୀକର ପରିସ୍ଥିତିକୁ ଏଡାଇବା ନିମନ୍ତେ ପୋଲିସ ପକ୍ଷରୁ ମେଡିକାଲ ଓ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.