ଆଳୁ ନ ଦେଲେ ଛାଡିବୁନି ମାଛ ଅଣ୍ଡା ଗାଡି

କଟକ : ଆଳୁ ଦବନି ତ ମାଛ, ଅଣ୍ଡା ପାଇବନି । କଟକ ମଙ୍ଗୁଳି ଛକରେ ପଶ୍ଚିମବଙ୍ଗ ଯାଉଥିବା ଅଣ୍ଡା ଓ ମାଛଗାଡି ଅଟକାଇଲେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା । ଗତ କିଛି ଦିନ ଧରି ରାଜ୍ୟରେ ଲାଗି ରହିଛି ଆଳୁ ସମସ୍ୟା । ପଶ୍ଚିମବଙ୍ଗରୁ ଆସି ପାରୁ ନାହିଁ ଆଳୁ ଗାଡି । ଏହାକୁ ନେଇ ଲୋକଙ୍କ ମଧ୍ୟରେ କ୍ଷୋଭ ଦେଖିବାକୁ ମିଳିଛି । ଏନ୍‌ଏଚ୍‌ ୧୬ ମଙ୍ଗୁଳି ଛକରେ ଅଟକି ରହିଛି ବହୁ ଖାଦ୍ୟସାମଗ୍ରୀ ଗାଡ଼ି।

ସୂଚନା ଅନୁଯାୟୀ, ସୀମାନ୍ତ ରାସ୍ତା ଦେଇ ଓଡ଼ିଶାକୁ ଆସୁଥିବା ଆଳୁ ଟ୍ରକକୁ ଅଟକାଇବା ପାଇଁ ଜଗି ବସିଛି ପଶ୍ଚିମବଙ୍ଗ ପୋଲିସ। ଗତ ବୁଧବାର ବିଳମ୍ୱିତ ରାତିରେ ପଶ୍ଚିମବଙ୍ଗ ସୀମାର ଏକ ଗଳା ବାଟ ଗୋମୁଣ୍ଡାରୁ ଭୋଗରାଇ ବ୍ଲକର ବାଲିମ ରାସ୍ତା ଦେଇ ଏକ ଆଳୁ ବୋଝେଇ ଟ୍ରକ ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପଶ୍ଚିମବଙ୍ଗ ପୋଲିସ୍‌ ଗାଡ଼ି ପଛରେ ଗୋଡ଼େଇ ଥିଲା। ଗାଡ଼ିଟି ଦ୍ରୁତ ଗତିରେ ଓଡ଼ିଶା ଭିତରକୁ ମାତ୍ର ପାଞ୍ଚଶହ ମିଟର ଆସିବା ପରେ କମର୍ଦ୍ଦା ଥାନା ଅନ୍ତର୍ଗତ କଲ୍ୟାଣପୁର ଗାଁ ନିକଟରେ ରାସ୍ତା ପାର୍ଶ୍ବରେ ଭାରସାମ୍ୟ ହରାଇ ଅଟକି ଯାଇଥିଲା। ସେହି ସମୟରେ ପଶ୍ଚିମବଙ୍ଗ ପୁଲିସ ସେଠାରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ଗାଡିରେ ଥିବା ଆଳୁକୁ ପଶ୍ଚିମବଙ୍ଗର ମୋହନପୁର ଥାନାକୁ ନେଇ ଯାଇଥିବାର ସୂଚନା ମିଳିଛି।

ଏସବୁ ଭିତରେ ଗତକାଲି ଭୁବନେଶ୍ବରକୁ ପଶ୍ଚିମବଙ୍ଗରୁ ୩ଟି ଏବଂ ୟୁପିରୁ ଗୋଟିଏ ଗାଡ଼ି ପହଞ୍ଚିଛି। ଓଡ଼ିଶାକୁ ଦୈନିକ ଦରକାର ପ୍ରାୟ ୫ ହଜାର ଟନ୍ ଆଳୁ। ଏବେ ଶୀତଳଭଣ୍ଡାରରେ ଯେତିକି ଅଛି, ତାହା ଆଉ ୩ ଦିନ ପରେ ସରିଯିବ। ତଥାପି ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବାରୁ ଆଉ ଦିନେ ଦୁଇଦିନ ମଧ୍ୟରେ ଆଳୁ ସମସ୍ୟାର ସମାଧାନ ହେବ ବୋଲି କହିଛି ବ୍ୟବସାୟୀ ମହାସଂଘ। ସେପଟେ ବଙ୍ଗ ସୀମାନ୍ତ ଭୋଗରାଇର ବିଭିନ୍ନ ହାଟ ବଜାରକୁ ଯାଇ ଆଳୁ ବିକ୍ରିବଟାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଯୋଗାଣ ଅଧିକାରୀ ।

nis-ad
Leave A Reply

Your email address will not be published.