ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍

ସମ୍ବଲପୁର: ହୀରାକୁଦ ଡ୍ୟାମରେ ଉଡିଲା ଡ୍ରୋନ୍ । ସୋସିଆଲ ମିଡିଆରେ ଭାଇରାଲ ହେଲା ଅପରେସନ ଗ୍ୟାଲେରୀର ଭିଡିଓ । ଖାଲି ସେତିକି ନୁହେଁ ଗତକାଲି ଗେଟ୍ ଖୋଲିବା ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯାହାକୁ ନେଇ ଏବେ ହୀରାକୁଦ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ହୀରାକୁଦରେ ସୁରକ୍ଷା କର୍ମୀ ୨୪ ଘଣ୍ଟା ମୁତୟନ ଥିଲେ ମଧ୍ୟ ଡ୍ରୋନ ଉଡିବାକୁ କିପରି ଚିହ୍ନଟ କରିପାରିଲେ ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ । ସେପଟେ ଏହାକୁ ନେଇ ଡ୍ୟାମର ମୁଖ୍ୟ ଯନ୍ତ୍ରୀ କହିଛନ୍ତି, ଏଭଳି ଘଟଣା ଘଟିବା କଥା ନୁହେଁ । କିଏ ଭିଡିଓ ଭାଇରାଲ କରିଛି ଓ ଡ୍ରୋନ୍ ଦୃଶ୍ୟ କିଏ ଉଠାଇଛି ତାହା ଜଣାନପଡିଥିଲେ ମଧ୍ୟ ଏନେଇ ତଦନ୍ତରୁ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ।

ତେବେ କହିରଖୁଛୁ, ଗତକାଲି ତିନୋଟି ପର୍ଯ୍ୟାୟରେ ମୋଟ ୨୦ଟି ଗେଟ୍ ଖୋଲିଛି ହୀରାକୁଦ । ୨୦ଟି ଗେଟ୍ ଦେଇ ମୁଣ୍ଡୁଳୀରୁ ମୋଟ ୨ ଲକ୍ଷ କ୍ୟୁସେକ, ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା କାରଣରୁ  ବନ୍ୟାଜଳ ନିଷ୍କାସନ କରାଯାଇଛି । ଅନ୍ୟପକ୍ଷରେ ଏହାର ପ୍ରଭାବରେ ଫୁଲିଛି ମହାନଦୀ । ଜଳସ୍ତର ୬୧୭ ପାଖାପାଖି ରହିଛି । ମହାନଦୀ ଜଳସ୍ତର ବଢିବା କାରଣରୁ ତଳିଆ ଅଞ୍ଚଳରେ ବନ୍ୟା ଭଳି ସ୍ଥିତି ଉପୁଜିଛି । ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ତଳି ଅଞ୍ଚଳରେ ଚାଷ ଜମିରେ ପାଣି ପଶିଛି । ତେବେ ଯଦି ଉପରମୁଣ୍ଡରେ ବର୍ଷା ଲାଗିରହେ ତାହାଲେ ଅଧିକ ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ହୋଇପାରେ ବୋଲି କହିଛନ୍ତି ହୀରାକୁଦ କର୍ତ୍ତୃପକ୍ଷ ।

nis-ad
Leave A Reply

Your email address will not be published.