ଦିଲ୍ଲୀ ସରକାର ମାଗିଲେ ୧୦ ହଜାର କୋଟି ଟଙ୍କା, କେନ୍ଦ୍ର ବଜେଟ୍‌ ପୂର୍ବରୁ ଏହି ଦାବି ରଖିଲେ ଅର୍ଥମନ୍ତ୍ରୀ ଆତିଶୀ

ଜାତୀୟ ରାଜଧାନୀର ବିକାଶ ପାଇଁ କେନ୍ଦ୍ର ସରକାରଙ୍କଠାରୁ ୧୦,୦୦୦ କୋଟି ଟଙ୍କା ମାଗିଛନ୍ତି ଦିଲ୍ଲୀ ସରକାରଙ୍କ ଅର୍ଥମନ୍ତ୍ରୀ ଆତିଶୀ । ସେ କହିଛନ୍ତି ଯେ ଦିଲ୍ଲୀରୁ କେନ୍ଦ୍ର ସରକାରଙ୍କୁ ୨ ଲକ୍ଷ କୋଟି ଟଙ୍କାର ଟିକସ ମିଳୁଛି, କିନ୍ତୁ ଏହାର ପ୍ରତିବଦଳରେ ଦିଲ୍ଲୀକୁ କିଛି ମିଳୁ ନାହିଁ । ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି, ଦିଲ୍ଲୀରୁ ୨୫,୦୦୦ କୋଟି ଟଙ୍କା ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ସଂଗୃହୀତ ହୋଇଥାଏ ।

ଜୁଲାଇ ୨୩ରେ କେନ୍ଦ୍ରରେ ବଜେଟ୍ ଉପସ୍ଥାପନ କରାଯିବ, ଯାହାକୁ ଅପେକ୍ଷା କରିଛନ୍ତି ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ସାଧାରଣ ଜନତା । ଏହା କେନ୍ଦ୍ର ସରକାରଙ୍କ ପୂର୍ଣ୍ଣକାଳୀନ ବଜେଟ୍ ହେବ । କାରଣ, ସାଧାରଣ ନିର୍ବାଚନ ହେତୁ ଗତ ଫେବୃୟାରୀରେ ଅନ୍ତରୀଣ ବଜେଟ୍ ଆସିଥିଲା । କେନ୍ଦ୍ର ବଜେଟ୍ ପୂର୍ବରୁ ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶୀ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ଏକ ବଡ଼ ଦାବି ରଖି କହିଛନ୍ତି, ଦିଲ୍ଲୀର ମୌଳିକ ବିକାଶ ପାଇଁ କେନ୍ଦ୍ର ସରକାର ଅଧିକ ଅର୍ଥ ଦେବା ଉଚିତ୍, ଯାହାଦ୍ୱାରା ସଡ଼କ, ପରିବହନ ଏବଂ ଶକ୍ତି କ୍ଷେତ୍ରରେ ନିବେଶ କରି ରାଜଧାନୀକୁ ଅଧିକ ସୁନ୍ଦର କରାଯାଇପାରିବ ।

ସେ କହିଛନ୍ତି ଯେ ୨୦୦୧ ମସିହାରୁ ଏକ ଚୁକ୍ତିନାମା ଅଧୀନରେ କେନ୍ଦ୍ର ସରକାର ଦିଲ୍ଲୀକୁ ୩୨୫ କୋଟି ଟଙ୍କା ଦେଉଥିଲେ, କିନ୍ତୁ ଗତ ବର୍ଷ ଏହାକୁ ହଠାତ୍ ବନ୍ଦ କରିଦେଇଥିଲେ । ବର୍ତ୍ତମାନ ଦିଲ୍ଲୀକୁ ଗୋଟିଏ ଟଙ୍କା ମଧ୍ୟ ମିଳୁ ନାହିଁ । କହି ରଖୁଛୁ, ୧୮ତମ ଲୋକସଭା ଗଠନ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ରେ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିବେ ।

nis-ad
Leave A Reply

Your email address will not be published.