ମହାପ୍ରଭୁଙ୍କ ଇଚ୍ଛାରେ ୪୬ ବର୍ଷ ପରେ ମହତ ଉଦ୍ଦେଶ୍ୟ ନେଇ ଖୋଲାଗଲା ରତ୍ନଭଣ୍ଡାର: ମୁଖ୍ୟମନ୍ତ୍ରୀ

ପୁରୀ: ୪୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ଦ୍ବାର। ଅନ୍ତ ହେଲା ଦୀର୍ଘ ବର୍ଷର ଅପେକ୍ଷା। ରତ୍ନଭଣ୍ଡାର ଭିତରକୁ ଯିବା ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ବ୍ୟକ୍ତ କରିଛନ୍ତି। ରତ୍ନଭଣ୍ଡାର ଖୋଲାଯିବା ନେଇ ସିଏମ୍‌ଓ ପକ୍ଷରୁ ଟୁଇଟ୍‌ କରାଯାଇଛି।

ମୁଖ୍ୟମନ୍ତ୍ରୀ ପୋଷ୍ଟରେ ଲେଖିଛନ୍ତି, “ମହାପ୍ରଭୁଙ୍କ ଇଚ୍ଛାରେ ୪୬ ବର୍ଷ ପରେ ଖୋଲାଗଲା ରତ୍ନଭଣ୍ଡାର। ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲାଗଲା। ଏ ମହାନ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି। ଜୟ ଜଗନ୍ନାଥ ହେ ମହାପ୍ରଭୁ! ତୁମେ ଲୀଳାମୟ। ତୁମ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି। ତୁମେ ଓଡ଼ିଆ ଜାତିର ହୃତ୍‌ ସ୍ପନ୍ଦନ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ।

ତୁମ ଇଚ୍ଛାରେ ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିଲା। ତୁମ ଆଶୀର୍ବାଦରେ ପ୍ରତ୍ୟେକ ଓଡ଼ିଆ ଜାତି, ଗୋଷ୍ଠୀ, ବର୍ଣ୍ଣ ଓ ସର୍ବୋପରି ରାଜନୀତିର ଭେଦକୁ ଭୁଲି ଆଧ୍ୟାତ୍ମିକ ଓ ଭୌତିକ ଜଗତରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ, ଏତିକି ପ୍ରାର୍ଥନା। ଜୟ ଜଗନ୍ନାଥ!”

ଅନ୍ୟପଟେ ରତ୍ନଭଣ୍ଡାରର ଅଳଙ୍କାରକୁ ରଖିବା ପାଇଁ ପୁରୀରେ ପହଞ୍ଚିଛି ୬ଟି ସିନ୍ଦୁକ। ତେବେ ପ୍ରାଥମିକ ସୂଚନା ମୁତାବକ, ଶାଗୁଆନ୍ କାଠରେ ଏହି ସିନ୍ଦୁକକୁ ପ୍ରସ୍ତୁତ କରାଯାଇଛି। ତା ସହ ଏଥିରେ ପିତ୍ତଳର ଲେପ ମଧ୍ୟ ଦିଆଯାଇଛି। ରତ୍ନଭଣ୍ଡାରର ଅଳଙ୍କାର ସବୁକୁ ଏହି ସିନ୍ଦୁକରେ ରଖାଯିବ ବୋଲି କୁହାଯାଉଛି। ବର୍ତ୍ତମାନ ଏହି ସିନ୍ଦୁକକୁ ଶ୍ରୀମନ୍ଦିର ଭିତରକୁ ନିଆଯାଉଛି। ଏଥିସହ ତାଲା ଭାଙ୍ଗିବାକୁ କଟର୍ ମେସିନ୍ ମଧ୍ୟ ଯାଇଛି। ତେବେ ଦୀର୍ଘ ୪୬ ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର । ୧୯୭୮ରେ ଶେଷ ଥର ପାଇଁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇ ଗଣତିମଣତି କରାଯାଇଥିଲା ।

nis-ad
Leave A Reply

Your email address will not be published.