ମାଲକାନଗିରି ଜିଲ୍ଲାର ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର..!! ,ବିଦ୍ୟାଳୟର ଭିତ୍ତିଭୂମି ଅଭାବରୁ ରାଜରାସ୍ତାରେ ସ୍ଵପ୍ନ ସାଉଁଟିବା ଚେଷ୍ଟାରେ ଶିକ୍ଷାର୍ଥୀ..!!

ପ୍ରଶାସନ ର କାଦୁଅ ଛଟା ଭିତରେ ଶିକ୍ଷଣ ଓ ଶିକ୍ଷାଦାନ ବାଧାପ୍ରାପ୍ତ..!!


ବାଲିମେଳା:ଚରିତ୍ରଗଠନ ଏବଂ ରାଷ୍ଟ୍ରର ଭବିଷ୍ୟତ ନିର୍ମାଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ସ୍ବାଧୀନତାର ଦୀର୍ଘ ୭୬ ବର୍ଷ ବିତି ଯାଇଥିବା ପରେ ମଧ୍ୟ ଭିତ୍ତିଭୂମି ଅଭାବରୁ ଶ୍ରେଣୀଗୃହ ଭିତରେ ଛାତରୁ ପାଣି ଖସିବା ହେଉ ବା ଛାତ ସ୍ଲାପ୍ ଖସିବା ଭୟ କିମ୍ବା ଶିକ୍ଷକ ଅଭାବ ଭିତରେ ସୁନେଲୀ ଭବିଷ୍ୟତ ନିର୍ମାଣରେ ଲାଗିପଡ଼ିଥିବା ଭଳି ଅଭାବନୀୟ ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ଏହା ସତ କିନ୍ତୁ ଅଧିକାଂଶ ଦଳିତ, ଆଦିବାସୀ, ଦିନ ମଜୁରିଆ, ଗରିବ, ଚାଷୀ, ମୂଲିଆ ଓ ଖଟିଖିଆ ମାନଙ୍କ ଛୁଆ ପଢୁଥିବା ଏହି ବିଦ୍ୟାଳୟର ସମସ୍ୟାକୁ ପ୍ରଶାସନିକ ଅବହେଳା ଓ ଦାୟିତ୍ବହୀନତା ମାଧ୍ୟମରେ କେବଳ କାଗଜ ଓ କଲମ ଭିତରେ ହିଁ ସୀମିତ ରଖାଯାଉଥିବା ଦେଖିବାକୁ ମିଳିଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରି ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳାର କଲୋନୀ ୧୨ ବିଦ୍ୟାଳୟର ଜରାଜୀର୍ଣ୍ଣ ଅବସ୍ଥା ଏବଂ ପ୍ରଶାସନିକ ଅବହେଳା ଆଜି ପଦାରେ ପଡ଼ିଛି ।
ବିଗତ ଜୁଲାଇ ୨୦୨୨ ରେ ଏକାଧିକ ଗଣମାଧ୍ୟମରେ ପ୍ରତିଫଳିତ ହୋଇଥିଲା ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ନଂ ୱାର୍ଡ଼ ସ୍ଥିତ କଲୋନୀ ୧୨ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଅଭାବ ଜନିତ ବିକଳ ଚିତ୍ର । ତେବେ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦପ୍ତରରୁ ମାଲକାନଗିରି ଜିଲ୍ଲାପାଳଙ୍କୁ ୧୯୦୯/୨୦୨୨ ଜରିଆରେ ଏକ ଲିଖିତ ଚିଠି ପଠାଇଥିଲେ ଯେଉଁଥିରେ 5th SFC ଅଧୀନରେ ୭ଲକ୍ଷ ବ୍ୟୟ ବରାଦ କରାଯାଇଥିବା ଜଣା ପଡ଼ିଥିଲା।
ଘଟଣାକ୍ରମେ ଏକ ବର୍ଷର ପ୍ରଶାସନିକ ନୀରବତାକୁ ଭଙ୍ଗ କରିଥିଲା ୧୨ ଅଗଷ୍ଟ ୨୦୨୩ ରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ବିଦ୍ୟାଳୟରେ ତାଲାବନ୍ଦ୍ ଏବଂ ଅସନ୍ତୋଷ। ସେହି ସମୟରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଆସିଷ୍ଟାଣ୍ଡ୍ ଇଞ୍ଜିନିୟର ଉତ୍ତେଜନା ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ସହ ୭ଲକ୍ଷରୁ ୭ଲକ୍ଷ ୭୦ହଜାର ଟଙ୍କାକୁ ବ୍ୟୟ ଅଟକଳ ବୃଦ୍ଧି ଜରିଆରେ ଖୁବ୍ ଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ରାଜସ୍ବ ନିରୀକ୍ଷକଙ୍କ ପକ୍ଷରୁ ଦରୀ ମାଧ୍ୟମରେ ଶ୍ରେଣୀଗୃହରେ ବର୍ଷା ପାଣି ନ ପଡ଼ିବା ନିମନ୍ତେ ଜରୁରୀକାଳୀନ ବନ୍ଦୋବସ୍ତ କରି ଦିଆଯାଇଥିଲା । ଇତିମଧ୍ୟରେ ପୁଣି ଏକ ବର୍ଷ ପ୍ରାୟ ବିତି ଯାଇଛି ସତ କିନ୍ତୁ ଆଜି ମଧ୍ୟ ମରାମତି ଅଭାବରୁ ଶ୍ରେଣୀଗୃହରେ ବର୍ଷା ପାଣି ପଡୁଛି, ବାରଣ୍ଡାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି କୋମଳମତି ଛାତ୍ରଛାତ୍ରୀ । ତେବେ ଚଳିତ ୨୦୨୪ ଶିକ୍ଷାବର୍ଷ ଆରମ୍ଭ ସୁଦ୍ଧା ମଧ୍ୟ କୌଣସି ପଦକ୍ଷେପ ନେଇ ନଥିବା ଜାଣିବାପରେ ବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ସ୍ଥାନୀୟ ସହଯୋଗ ଟିମ୍ ର ସଦସ୍ୟ ସଦସ୍ୟା, ସମାଜସେବୀ ଓ ଜନପ୍ରତିନିଧି, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଖୋଦ୍ ଉପଜିଲ୍ଲାପାଳ ଏହି ଦାବିପତ୍ର ଗ୍ରହଣ କରିଥିଲେ । ସମସ୍ୟାର ଗମ୍ଭୀରତା କୁ ଯାଇ ଚଳିତ ଗ୍ରୀଷ୍ମ ଅବକାଶରେ ବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠ ଗୁଡ଼ିକୁ ଯାଞ୍ଚ କରି ଆବଶ୍ୟକ ସ୍ଥଳେ ମରାମତି କିମ୍ବା ନୂତନ ଭାବେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିଥିଲେ । ଇତି ଅବସରରେ ଗ୍ରୀଷ୍ମ ଅବକାଶ ଶେଷ ହୋଇ ଯାଇଛି କିନ୍ତୁ ଧାରା ଶ୍ରାବଣରେ ପିଲାମାନେ ପୂର୍ବ ଅବସ୍ଥାରେ ଶିକ୍ଷାଗ୍ରହଣ କରୁଥିବା ଜାଣିପାରି ପୁଣି ଥରେ ଉପରୋକ୍ତ ସମସ୍ତ ବିଷୟକୁ ନେଇ ଗତ ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ବିଷୟରେ ଅବଗତ କରାଯାଇଥିଲା । ବର୍ଷା ପଡ଼ିବା ସହ ଶ୍ରେଣୀଗୃହରେ ବର୍ଷା ଜଳ ପଶିବା ଓ ବହୁବାର ଛାତରୁ ସିମେଣ୍ଟ ଛେଲା ଖସିବା ଯୋଗୁଁ ଅତିଷ୍ଠ ହୋଇ ଅଭିଭାବକ ମାନେ ଆଜି ସକାଳୁ ପିଲାମାନଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ଆସି ରାଜରାସ୍ତାରେ ସାମୂହିକ ଧାରଣାରେ ବସିଥିଲେ । ଏ ବିଷୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପରେ ଜିଲ୍ଲାପାଳ ନିଜେ କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବାଲିମେଳା ରାଜସ୍ବ ନିରୀକ୍ଷକ, କୋରୁକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଗ୍ରାଉଣ୍ଡ୍ ଜିରୋରୁ ରିପୋର୍ଟ୍ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗଣମାଧ୍ୟମରୁ ଖବର ପାଇ ସ୍ଥାନୀୟ ବିଧାୟକ ଶ୍ରୀ ମଙ୍ଗୁ ଖିଲ ଓ ଜନପ୍ରତିନିଧି ମାନେ ମଧ୍ୟ କୋମଳମତି ଶିକ୍ଷାର୍ଥୀଙ୍କ ରାଜରାସ୍ତାରେ ବସିଥିବା ଦୁର୍ଭାଗ୍ୟଜନକ ପରିସ୍ଥିତିରେ ସହଭାଗୀ ହୋଇ ଜିଲ୍ଲାପ୍ରଶାସନ ଓ ରାଜ୍ଯ ସରକାରଙ୍କୁ ଚେତାଇବା ପାଇଁ ଏହି ଧାରଣାକୁ ସମର୍ଥନ କରି ବସିଥିଲେ । ଦୀର୍ଘ ୪ଘଣ୍ଟାର ଗଣଧାରଣା ଭିତରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ପରେ ଆଗାମୀ ୭ଦିନ ସୁଦ୍ଧା ବିଦ୍ୟାଳୟ ମରାମତି କାର୍ଯ୍ୟ ଆରମ୍ଭ, ଖେଳିବା ପାଇଁ ଖେଳ ପଡ଼ିଆ ଚିହ୍ନଟ, ପିଲାଙ୍କ ପଢ଼ିବା ପାଇଁ ସକାଳେ ଓ ଦିନ ବେଳେ ବିଦ୍ୟାଳୟ ପରିଚାଳନା, ଅତିରିକ୍ତ ଦୁଇ ଶିକ୍ଷକ ନିଯୁକ୍ତି, ପିଇବା ପାଣି ଓ ଶୌଚାଳୟ ନିମନ୍ତେ ପାଣିର ଯୋଗାଣ ନିଷ୍ପତ୍ତି ପରେ ଧାରଣାରୁ ସମସ୍ତେ ଓହରିଥିଲେ । ଆସନ୍ତା ମଙ୍ଗଳବାର ଠାରୁ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ଶ୍ରେଣୀ ପରିଚାଳନା ସକାଳ ୬ରୁ ୧୧ ଏବଂ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପରିଚାଳନା କାର୍ଯ୍ୟ ଦିନ ୧୧ରୁ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ନିୟମିତ ଶିକ୍ଷା ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଏହି ବିଷୟ ଅବଗତି ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଆଞ୍ଚଳିକ ସାଧନ ନିରୀକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ଏକ ଲିଖିତ ନିର୍ଦ୍ଧାରଣ କରିଥିଲେ । ସମୟ ପରିବର୍ତ୍ତନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ଅବଗତି ଓ ଅନୁମତି ନିମନ୍ତେ ଏହାର ଏକକିତା ନକଲ ପଠାଇଥିବା ଜଣାପଡ଼ିଛି।
ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଜରିଆରେ ପ୍ରାଥମିକ ବିଦ୍ୟାଳୟରେ ୩୦ ଛାତ୍ରଛାତ୍ରୀ ଅନୁପାତରେ ଜଣେ ଶିକ୍ଷକ ନିଯୁକ୍ତିର ନିୟମକୁ କେବେ ରାଜ୍ୟ ସରକାର ଓ ପ୍ରଶାସନ ନିଶ୍ଚିତ କରାଇବେ ତାହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନ ଦେଖିବାକୁ ଅପେକ୍ଷା ରହିଲା, ଦୀର୍ଘ ୪ବର୍ଷ ଧରି ଜରାଜୀର୍ଣ୍ଣ ଶ୍ରେଣୀଗୃହରେ କୋମଳମତି ଶିକ୍ଷାର୍ଥୀଙ୍କ ଭବିଷ୍ୟତ ନିର୍ମାଣର ସ୍ବପ୍ନକୁ, ୪ଘଣ୍ଟା ରାଜରାସ୍ତାରେ ଧାରଣା ପରେ ଜନପ୍ରତିନିଧି ତଥା ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ମିଳିତ ନିଷ୍ପତ୍ତି କେତେ ଶୀଘ୍ର ସାକାର କରିବ ଓ କେତେଶୀଘ୍ର ବିଦ୍ୟାଳୟର ଭିତ୍ତିଭୂମି ସୁଧାର ହୋଇ ଶିକ୍ଷଣ ଓ ଶିକ୍ଷାଦାନ ସ୍ଵାଭାବିକ ହେବ..?

nis-ad
Leave A Reply

Your email address will not be published.