ଭିଜିଲାସନ୍ସ ନେଲା ପାଇଖାନା ମହାଦୁର୍ନୀତି ର ଫାଇଲ

ଉମରକୋଟ / ଝରୀଗାଁ (୦୬/୦୭/୨୦୨୪ ) ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ଦୁର୍ନୀତିର ଫାଇଲ ଖୋଲିବ ସରକାର,ଏହି ମହାଦୁର୍ନୀତିର କିଙ୍ଗପିନଙ୍କ ମୁଖା ଖୋଲତାଡ଼ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ଏଥିପାଇଁ ବିଗତ ଦୁଇ ଦିନ ପୂର୍ବେ ଝରୀଗାଁ ବ୍ଲକରୁ ପାଇଖାନା ଯୋଜନାର ଫାଇଲ ସବୁ ସଂଗ୍ରହ କରିଛି ଭିଜିଲାନ୍ସ ବିଭାଗ। ନବରଙ୍ଗପୁର ଜିଲ୍ଲାରେ ପାଇଖାନା ନିର୍ମାଣରେ ପ୍ରାୟ ୧୦୦କୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା ପୂର୍ବ ସରକାର ଥିବା କାଳୀନ ସମୟରେ ଅଭିଯୋଗ ହୋଇଥିଲା। ପୂର୍ବତନ ଝରୀଗାଁ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଥିବା ସମୟରେ ଏହି ପାଇଖାନା ଦୁର୍ନୀତିର ପ୍ରମୁଖ ମୁଦ୍ଦା ସରକାରଙ୍କ ଅବଗତ କରାଇବା ସତ୍ତେ ବି କିଛି ସୁଫଳ ମିଳି ନ ଥିଲା। ୨୦୨୩ମସିହା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରଦୀପ ମାଝୀ ବିଜେଡିରେ ଯୋଗଦେବା ପରେ ବି ଏହି ଦୁର୍ନୀତି ପଛର କାର୍ପଟଦାରଙ୍କୁ ଧରିବା ପାଇଁ ଦାବୀ କରିଥିଲେ କିନ୍ତୁ ଉଚ୍ଚ ପଦସ୍ତ ଅଧିକାରୀ ମାନେ କର୍ଣ୍ଣ ପାତ କିମ୍ବା ଭୁକ୍ଷେପ କରି ନ ଥିଲେ। ସେତେବେଳେ ପାଇଖାନା ଦୁର୍ନୀତିର ବଡ଼ ପ୍ରସଙ୍ଗ ଓ ଜନଆକ୍ରୋଶ ଚାପ ପଡିବାରୁ ପ୍ରଶାସନ ଏହି ଦୁର୍ନୀତିର ବିଭାଗୀୟ ତଦନ୍ତ କରି ତତ୍କାଳୀନ ଝରୀଗାଁ ବିଡ଼ିଓ ବାହାଦୁର ସିଂ ଧରୁଆ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଦେବବ୍ରତ ଦାସ ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ସାମଲ ନିଲମ୍ବିତ ହୋଇଥିଲେ। ଏହି ପାଇଖାନା ଦୁର୍ନୀତି କେବଳ ଝରୀଗାଁ ନୁହଁ ରାଇଘର ବ୍ଲକ, କୋଷାଗୁମୁଡା ବ୍ଲକ , ଉମରକୋଟ ବ୍ଳକ ଓ ପାପଡାହାଣ୍ଡି ବ୍ଲକରେ ମଧ୍ୟ ତଦନ୍ତ ପାଇଁ ଦାବୀ ହୋଇଥିଲା। ତତ୍କାଳୀନ ସମୟରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ କରି କିଛି ବ୍ଲକରୁ ଫାଇଲ ମଧ୍ୟ ସଂଗ୍ରହ କରିଥିଲେ କିନ୍ତୁ ଭିଜିଲାନ୍ସ ତଦନ୍ତ ରିପୋର୍ଟ ଲୋକଲୋଚନକୁ ଆସି ପାରିଲାନାହିଁ। ପ୍ରାୟ ଦୁଇବର୍ଷ ଧରି ତଦନ୍ତ କୋମା ସ୍ଥିତିରେ ରହିଥିଲା, କିଛିଦିନ ତଳେ “ଶୀତଳ ଭଣ୍ଡାର”ରେ ୧୦୦କୋଟି ଟଙ୍କାର ପାଇଖାନା ଦୁର୍ନୀତି ଖବର ଗଣମାଧ୍ୟମରେ ପ୍ରକାଶ ପାଇବାରୁ ଭିଜିଲାନ୍ସ ବିଭାଗ ପୁଣି ତତ୍ପରତା ପ୍ରକାଶ କରିଛନ୍ତି।ନବରଙ୍ଗପୁର ଭିଜିଲାନ୍ସ ବିଭାଗ ୪/୭/୨୦୨୪ ରିଖ ଝରୀଗାଁ ବ୍ଲକ କାର୍ଯ୍ୟାଳୟରୁ ପାଇଖାନା ଫାଇଲ ସବୁ ସଂଗ୍ରହ କରି ନିଜ ଆୟତରେ ନେଇଛନ୍ତି। ” ଝରୀଗାଁ ବ୍ଲକ ଓ ଉମରକୋଟ ସବଡ଼ିଭିଜନାଲ ଲୋକଙ୍କ ଏଠି ସବୁଠୁ ବଡ଼ ପ୍ରଶ୍ନ ” କେବଳ ଝରୀଗାଁ ବ୍ଲକ ନା ସାରା ଜିଲ୍ଲାରେ ଏଭଳି ତଦନ୍ତ ହେବ ? ତାହା ସ୍ପଷ୍ଟ କରି ନାହାନ୍ତି ନବରଙ୍ଗପୁର ଭିଜିଲାନ୍ସ ବିଭାଗ। ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀଙ୍କ କହିବା ପ୍ରକାରେ ନବରଙ୍ଗପୁର ଜିଲ୍ଲାରେ ଆନୁମାନିକ ପ୍ରାୟ ୩୦୦/-କୋଟି ଟଙ୍କାର ପାଇଖାନା ଦୁର୍ନୀତି ହୋଇଛି,ତେଣୁ ଭିଜିଲାନ୍ସ ବିଭାଗକୁ ସାରା ନବରଙ୍ଗପୁର ଜିଲ୍ଲାରେ ପାଇଖାନା ଦୁର୍ନୀତିର ତଦନ୍ତ କରି ପର୍ଦାଫାଶ କରିବାକୁ ପ୍ରଦୀପ ମାଝୀ ଦାବୀ କରିଛନ୍ତି।

nis-ad
Leave A Reply

Your email address will not be published.