ପୁଣି ଡରାଇଲାଣି ଜାପାନିଜ୍ ଏନସେଫାଲାଇଟିସ୍, ଅନୁଗୁଳରୁ ୪ ଆକ୍ରାନ୍ତ ଚିହ୍ନଟ

ଅନୁଗୁଳ: ଓଡ଼ିଶାରେ ପୁଣି ଜାପାନିଜ୍ ଏନ୍‌ସେଫାଲିଟିସ୍ (ଜେଇ) ଆତଙ୍କ ଦେଖା ଦେଇଛି । ଏହି ଜେଇ ରୋଗରେ ଅନୁଗୁଳ ଜିଲ୍ଲାରୁ ୪ ଜଣ ପୀଡ଼ିତ ଥିବା ଜଣାପଡ଼ିଛି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ତନାଘନା ଆରମ୍ଭ କରିଛି । ଅନୁଗୁଳରେ କେଉଁ ପରିସ୍ଥିତିରେ ଜେଇ ବ୍ୟାପିଲା ଓ ଏହାର ପ୍ରକୃତ କାରଣ କ’ଣ ରହିଛି ଏହାର କାରଣ ଖୋଜିବାକୁ ସ୍ବାସ୍ଥ୍ୟ ବିଭାଗରୁ ଏକ ଚାରି ଜଣିଆ ଟିମ୍ ଅନୁଗୁଳ ଗସ୍ତରେ ଆସିଛନ୍ତି । ସେମାନେ ଜିଲ୍ଲାରେ ମ୍ୟାଲେରିଆଠାରୁ ଆରମ୍ଭ କରି ଜେଇ ସମ୍ପର୍କରେ ତଥ୍ୟ ହାସଲ କରିବେ ।

ସୂଚନା ଅନୁସାରେ, କୋଶଳା ଏବଂ ବନ୍ତଳା ଅଞ୍ଚଳରୁ ଦୁଇ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଜେଇ ସଂକ୍ରମଣ ଚିହ୍ନଟ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଏହି ରୋଗ ଘୁଷୁରୀ ଯୋଗୁଁ ବ୍ୟାପିଵାର ଆଶଙ୍କା ଥିବା ଯୋଗୁଁ ବିଭିନ୍ନ ଅଞ୍ଚଳରେ ତଦନ୍ତ ଚାଲିଛି । ତେବେ ଅନେକ ସମୟରେ ଏହି ରୋଗ ପାଇଁ ଟୀକା କରଣ ହେଉଥିବା ଯୋଗୁଁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହୁଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବନନ୍ଦ ମହାନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ୨୦୧୨ରେ ମାଲକାନଗିରି ଜିଲ୍ଲାରେ ଜେଇ ଆତଙ୍କ ସୃଷ୍ଟି କରିଥିଲା । ଏହି ରୋଗରେ ସେଠାରେ ୨୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଏହାବ୍ୟତୀତ ଦୁଇ ଶହରୁ ଊର୍ଦ୍ଧ୍ବ ପୀଡ଼ିତ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଆରଏମଆରସି ପକ୍ଷରୁ ଏହାର କାରଣ ଖୋଜା ଯାଇଥିଲା । ଜଣା ପଡ଼ିଥିଲା ମଶା ପାଇଁ ଲୋକେ ଏହି ରୋଗରେ ପୀଡ଼ିତ ହେଉଛନ୍ତି ।

nis-ad
Leave A Reply

Your email address will not be published.