ପାଣ୍ଡିଆନଙ୍କୁ ସମାଲେଚାନା କରିବା ଦୁର୍ଭାଗ୍ୟଜନକ – ନବୀନ

ଭୁବନେଶ୍ବର : ଭିକେ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପାଇଁ ସିଧାସଳଖ ପାଣ୍ଡିଆନ ଏବଂ ତାଙ୍କ ଟିମକୁ ଦାୟୀ କରି ସେମାନଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଦଳର ଯୁବ-ଛାତ୍ର କର୍ମକର୍ତ୍ତାମାନେ ଏବେ ଏକଜୁଟ୍ ହେବାରେ ଲାଗିଛନ୍ତି । ଆଉ ଦଳରେ ବଢ଼ୁଥିବା ଏଭଳି ଆକ୍ରୋଶକୁ ଦେଖି ନବୀନ ଆଜି ଗଣମାଧ୍ୟମ ସମ୍ମୁଖକୁ ଆସି ପାଣ୍ଡିଆନଙ୍କୁ ସମାଲୋଚନା କରାଯିବାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ତେବେ ଦଳର ଏଭଳି ଶୋଚନୀୟ ପରାଜୟ କାହିଁକି ହେଲା, ସେ ନେଇ ମୁହଁ ଖୋଲିନାହାନ୍ତି ।
ନବୀନ ଆଜି ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଓ ପିଟିଆଇକୁ ଡାକି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶାବାସୀ ଦୀର୍ଘବର୍ଷ ହେବ ତାଙ୍କୁ ଆଶୀର୍ବାଦ କରିଛନ୍ତି । ବାରମ୍ବାର ମୁଖ୍ୟମନ୍ତ୍ରୀ ବାଛିଥିବାରୁ ଧନ୍ୟବାଦ । ନିର୍ବାଚନରେ ହାରିବା ଓ ଜିତିବା ଲାଗି ରୁହେ । ସାଢ଼େ ୪କୋଟି ଓଡ଼ିଶାବାସୀକୁ ସବୁବେଳେ ପରିବାର ଭାବି ଆସିଛି । ଆଗକୁ ଯେଉଁଭଳି ସେବା କରିପାରିବି ତାହା ଜାରି ରଖିବି । ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ପାଣ୍ଡିଆନଙ୍କୁ ସମାଲୋଚନା କରାଯାଉଥିବା ମୋ’ ନଜରକୁ ଆସିଛି । ପାଣ୍ଡିଆନଙ୍କୁ ସମାଲେଚାନା କରିବା ଦୁର୍ଭାଗ୍ୟଜନକ । ପାଣ୍ଡିଆନଙ୍କୁ ତାଙ୍କର ସତ୍ୟନିଷ୍ଠା ଓ ସାଧୁତା ପାଇଁ ସର୍ବଦା ମନେ ରଖାଯିବ । ସେ ଅଫିସର ଭାବେ ୧୦ବର୍ଷ ଧରି ବହୁତ ଭଲ କାମ କରିଛନ୍ତି । ବାତ୍ୟା ଓ କୋଭିଡ୍ ପରିଚାଳନାରେ ତାଙ୍କର କାର୍ଯ୍ୟ ଭଲ ରହିଥିଲା । ସେ ଚାକିରିରୁ ଅବସର ନେଇ ବିଜେଡିରେ ଯୋଗ ଦେଇଥିଲେ । ସେ ଦଳର କୌଣସି ପଦପଦବୀରେ ନଥିଲେ କିମ୍ବା ନିର୍ବାଚନ ଲଢ଼ିନାହାନ୍ତି । ପାଣ୍ଡିଆନ ମଧ୍ୟ ତାଙ୍କର ଉତ୍ତରାଧିକାରୀ ନୁହଁନ୍ତି ବୋଲି ନବୀନ ଆଜି ପୁଣିଥରେ ନିଜଆଡ଼ୁ ସ୍ପଷ୍ଟ କରିଛନ୍ତି ।
ତେବେ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ନେଇ ଆଜି ପ୍ରଥମଥର ପାଇଁ ନବୀନ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ଆଜି ସକାଳେ ଦଳର ବରିଷ୍ଠ ନେତାମାନଙ୍କୁ ଭେଟିବା ପରେ ନବୀନଙ୍କ ଏହି ପ୍ରତିକ୍ରିୟା ଆସିଛି । ନବୀନ ନିବାସରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ପ୍ରତାପ ଦେବ, କଳିକେଶ ସିଂହଦେଓ, ପ୍ରଣବପ୍ରକାଶ ଦାସ ଓ ଭିକେ ପାଣ୍ଡିଆନଙ୍କ ବୈଠକ ପରେ ନବୀନ ଏହି ପ୍ରତିକ୍ରିୟା ଦେବା ଦଳର ଲକ୍ଷ ଲକ୍ଷ କର୍ମୀଙ୍କୁ ନିରାଶ କରିଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.