ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ପକ୍ଷରୁ ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ରବିବାର ଉଦଯାପିତ ହୋଇଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ଆଇନଜୀବୀ ଅଶୋକ କୁମାର ଶୁକ୍ଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ତଥା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ତଥା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଡକ୍ଟର ଗୀତାଞ୍ଜଳି ଦାଶ ଯୋଗଦାନ କରି ହ୍ୟାଣ୍ଡବଲ ଖେଳ ପ୍ରତି ପିଲାଙ୍କ ଆଗ୍ରହ ଓ ନିଷ୍ଠା ସହ ମିଳୁଥିବା ସଫଳତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ହ୍ୟାଣ୍ଡବଲ ପ୍ରତିଯୋଗିତାର ଆୟୋଜନ କରିବା ନେଇ ଖେଳାଳିମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥି ସହିତ ହ୍ୟାଣ୍ଡବଲ ଖେଳପଡିଆର ଉନ୍ନତି କରିବା ପାଇଁ ସେ ଧ୍ୟାନ ଦେବେ ବୋଲି କହିଥିଲେ।। ସମ୍ମାନିତ ଅତିଥି ଭାବେ ଜାତୀୟ ପଦକ ପ୍ରାପ୍ତ କ୍ରୀଡ଼ାବିତ ତଥା ସେଣ୍ଟ୍ରାଲ ଏକ୍ସସାଇଜ ଏବଂ କଷ୍ଟମସ ବିଭାଗର ଅଧିକ୍ଷକ ଡି. ବିଜୟ କୁମାର ଯୋଗ ଦେଇ ପିଲାମାନଙ୍କୁ ଖେଳରେ ଆଗେଇ ଆଣିବାକୁ ହେଲେ ଅଭିଭାବକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଖେଳିବା ଦ୍ୱାରା ଉଭୟ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥତା ରହିବା ସହ ଭବିଷ୍ୟତ ଗଠନରେ ମଧ୍ୟ ବେଶ ସହାୟକ ହେବ ବୋଲି ପରାମର୍ଶ ଦେଇଥିଲେ।ଉତ୍ସବରେ କ୍ରୀଡାବିତ ମିତେନ୍ ଭୂୟାଁ ଏବଂ ଜିଲ୍ଲା ସମ୍ପାଦକ ସୁରେଶ ଚନ୍ଦ୍ର ପାଢି, ମୁଖ୍ୟ କୋଚ ତଥା (ଏନ ଆଇ ଏସ) କୋଚ ପ୍ରଶାନ୍ତ କୁମାର ରଥ, କୋଷାଧ୍ୟକ୍ଷ ଡକ୍ଟର ମନୋଜ କୁମାର ପାତ୍ର, ସମାଜସେବୀ ଶ୍ରୀକାନ୍ତ ସାବତ, ପ୍ରିୟବ୍ରତ ପାଣିଗ୍ରାହୀ ଏବଂ କ୍ରୀଡାବିତ ବିରଳା ପ୍ରସାଦ ମାଝୀ, ନୀଳକଣ୍ଠ ନଗର ସରସ୍ୱତୀ ବିଦ୍ୟା ମନ୍ଦିର ଅଧ୍ୟକ୍ଷ ସୁବ୍ରତ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିବିର ଗତ ମେ ୩ତାରିଖ ଠାରୁ ଆରମ୍ଭ ହୋଇଥିଲା। ଏଥିରେ ସହରର ତଥା ଉପକଣ୍ଠରେ ଥିବା ବିଭିନ୍ନ ବିଦ୍ୟାଳୟରୁ ବିଭିନ୍ନ ବର୍ଗରେ ପ୍ରାୟ 250ଜଣ ଉତ୍ସାହି ଖେଳାଳି ଅଂଶଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ। ଦୀର୍ଘ ଏକ ମାସ ଧରି ଚାଲିଥିବା ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରରେ N.I.S କୋଚ ପ୍ରଶାନ୍ତ କୁମାର ରଥଙ୍କ ସହ ବହୁ ସିନିଅର ଖେଳାଳି ଅକ୍ଲାନ୍ତ ପରିଶ୍ରମ କରି ଶିବିରାର୍ଥୀଙ୍କୁ ବିଭିନ୍ନ କୌଶଳ ସମ୍ପର୍କିତ ତାଲିମ ଦେଇଥିଲେ। ଶେଷରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଙ୍କ ଦ୍ଵାରା ବିଶିଷ୍ଟ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ରଥ ଓ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପାଢିଙ୍କୁ ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ସଙ୍ଘ ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ପରେ ସଙ୍ଘ ପକ୍ଷରୁ ଉଭୟ ମୁଖ୍ୟ ଅତିଥି ପ୍ରଫେସର ଦାଶ ଓ ସମ୍ମାନିତ ଅତିଥି ବିଜୟ କୁମାରଙ୍କୁ ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ ଶୁକ୍ଳଙ୍କ ଦ୍ଵାରା ଓ ଅନ୍ୟତମ ଅତିଥି ସୁବ୍ରତ ପାଣିଗ୍ରାହୀ, ବିରଳା ପ୍ରସାଦ ମାଝି ଓ ମିତେନ ଭୂୟାଁଙ୍କୁ ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀଙ୍କ ଦ୍ୱାରା ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ପଦକ ସହ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ହେବାକୁ ଥିବା ବିଭିନ୍ନ ଅନ୍ତଃଜିଲ୍ଲା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଏହି ଶିବିରରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କ ମଧ୍ୟରୁ ଟିମ ଚୟନ କରାଯିବ ବୋଲି ଜିଲ୍ଲା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରର ଉଦଯାପନି ଉତ୍ସବକୁ ସଂଘର ସାଙ୍ଗଠନିକ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଖେଳାଳିମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାମୁହିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

nis-ad
Leave A Reply

Your email address will not be published.