ମଦ୍ୟପାନ କରି ଚିକିତ୍ସା ସେବା ନକରିବା ଓ ରୋଗୀ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିବା ପଡିଲା ମହଙ୍ଗା, ସ୍ବାସ୍ଥ୍ୟ କର୍ମଚାରୀ ନିଳମ୍ବିତ

ହିଞ୍ଜିଳିକାଟୁ : ଜଣେ ଗୁରୁତର ଆହତ ନାବାଳକଙ୍କୁ ଚିକିତ୍ସା ସେବା ଯୋଗାଇନଦେବା ସହ ମଦ୍ୟପାନ କରି ନାବାଳକଙ୍କ ଅଭିଭାବକଙ୍କୁ ଦୁର୍ବ୍ୟବହାର କରିବା ମହଙ୍ଗା ପଡିଛି। ଘଟଣା ପ୍ରଘଟ ହେବା ପରେ ସଂପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ମେଡିକାଲ ଅଧିକ୍ଷକ ଚାକିରୀରୁ ନିଲମ୍ବନ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ବୁଧବାର ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ବୁଧବାର ରାତିରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ନୂଆଁଗଡ ଗ୍ରାମର କବିରାଜ ସେଠିଙ୍କ ନାବାଳକ ପୁତ୍ର ଇଶ୍ବର ସେଠି (୬) ଘର ବାରଣ୍ଡାରେ ଖେଳୁଥିବା ବେଳ ଅସାବଧାନତା ବଶତଃ ଖସିପଡି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଆହତ ନାବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ନାବାଳକଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିବାରୁ ସିଲେଇ ଓ ବ୍ୟାଣ୍ଡେଜ କରିବା ପାଇଁ ମାଇନର ଓଟିକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ ସିଦ୍ଧେଶ୍ବର ମଲିକ ପ୍ରଚୁର ମଦ୍ୟପାନ କରିବା ସହ ନାବାଳକଙ୍କୁ ସିଲେଇ ଓ ବ୍ୟାଣ୍ଡେଜ କରିବା ପାଇଁ ମନା କରିଦେଇଥିଲେ। ନାବାଳକଙ୍କ ଅଭିଭାବକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଆଟେଣ୍ଡାଣ୍ଟ ସିଦ୍ଧେଶ୍ବର ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଘଟଣା ନେଇ ଆହତଙ୍କ ଅଭିଭାବକ ଡାକ୍ତରଙ୍କୁ ଅବଗତ କରାଇଥିଲେ। ଘଟଣା ପରେ କାର୍ଯ୍ୟରତ ଡାକ୍ତର ଜଣଙ୍କ ଓଟିକୁ ଯାଇ ଦେଖିବା ବେଳକୁ ଆଟେଣ୍ଡାଣ୍ଟ ସିଦ୍ଧେଶ୍ବର ପ୍ରଚୁର ମଦ୍ୟପାନ କରିଥିବା ଜାଣିବାକୁ ପାଇଥିଲେ। ଘଟଣା ନେଇ ସଂପୃକ୍ତ ଡାକ୍ତର ଜଣଙ୍କ ଅନ୍ୟଜଣେ ଆଟେଣ୍ଡାଣ୍ଟଙ୍କ ସହାୟତାରେ ନାବାଳକଙ୍କ ଚିକିତ୍ସା କରିବା ପରେ ଘଟଣା ସମ୍ପର୍କରେ ଚିକିତ୍ସାଳୟ ଅଧିକ୍ଷକଙ୍କୁ ଜଣାଇଥିଲେ। ଘଟଣାର ଗୁରୁତ୍ୱକୁ ନେଇ ମେଡିକାଲ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ କୁମାର ସାହୁଙ୍କୁ ସଂପୃକ୍ତ ଆଟେଣ୍ଡାଣ୍ଟ ସିଦ୍ଧେଶ୍ୱର ମଲିକଙ୍କୁ ଗୁରୁବାର ଚାକିରୀରୁ ନିଲମ୍ବିତ କରିଥିବା ଅଧିକ୍ଷକ ସାହୁଙ୍କ ସୂତ୍ରରୁ ପ୍ରକାଶ।‌ ପ୍ରକାଶ ତାଙ୍କରି ସଂପୃକ୍ତ ଆଟେଣ୍ଡାଣ୍ଟଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ବହୁବାର ଏଭଳି ଅଭିଯୋଗ ହୋଇ ଆସୁଥିଲା। ଗୁରୁବାର ଅଧିକ୍ଷକଙ୍କ ଏଭଳି ପଦକ୍ଷେପ ଗ୍ରହଣ ପରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ସେବାରେ ଅବହେଳା କରୁଥିବା କିଛି ସ୍ବାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି।

nis-ad
Leave A Reply

Your email address will not be published.