ବ୍ୟାପକ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ମହିଳାଙ୍କୁ ବିନା ମୂଲ୍ୟରେ ବାର୍ଷିକ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା

ଭୁବନେଶ୍ବର: ସାଧାରଣ ଜନତାଙ୍କର ସ୍ବାସ୍ଥ୍ୟର ଉନ୍ନତି ଓ ଅର୍ଥ ଚିନ୍ତାକୁ ଦୃଷ୍ଟିରେ ରଖି ବିଜେଡି ସରକାର ଓଡ଼ିଶାବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ଲାଗୁ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ସରକାର ବଡ଼ ଉଦ୍ୟମ କରିଛନ୍ତି। ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଖରେ ବିଏସ୍‌କେୱାଇ ଯୋଜନା ପହଞ୍ଚାଇବାକୁ ମଧ୍ୟ ଚେଷ୍ଟା କରିଛନ୍ତି।
ବିଏସକେୱାଇ କାର୍ଡ଼ ମାଧ୍ୟମରେ ପୂର୍ବରୁ କେବଳ ଗ୍ରାମାଞ୍ଚଳ ଗରିବ ଶ୍ରେଣୀର ଲୋକମାନେ ଚିକିତ୍ସା ସୁବିଧା ପାଉଥିବା ବେଳେ ଏବେ ଏହା ସହରାଞ୍ଚଳ ଲୋକଙ୍କୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। କେବଳ ସହରାଞ୍ଚଳ ଲୋକ ନୁହଁନ୍ତି। ବରଂ ବିଜେଡି ସରକାରଙ୍କ ଏହି ଯୋଜନାର ଲାଭ ସରକାରୀ ଚାକିରିଆମାନେ ମଧ୍ୟ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଡ଼ ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ପରିବାର ବିନା ମୂଲ୍ୟରେ କୌଣସି ବି ଘରୋଇ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ। ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ ପୁରୁଷମାନଙ୍କ ପାଇଁ ବର୍ଷକୁ ୫ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ସେହିପରି ମହିଳାମାନେ ବାର୍ଷିକ ୧୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପାଇପାରୁଛନ୍ତି। ଏହା ବିଜେଡି ସରକାରର ସବୁଠୁ ସଫଳ ଯୋଜନା ବୋଲି କୁହାଯାଇଛି।
ବିଏସ୍‌କେୱାଇ ଯୋଜନା ମାଧ୍ୟମରେ ଏବେ ରାଜ୍ୟର୯୬.୫% ପରିବାର ଉପକୃତ ହେଉଛନ୍ତି। ଜଟିଳରୁ ଜଟିଳ ରୋଗର ଚିକିତ୍ସା ବିନା ପଇସାରେ ହୋଇପାରୁଛି। ଏହା କେବଳ ସରକାରୀ ହସ୍ପିଟାଲ ନୁହେଁ। ବରଂ ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ବଡ଼ବଡ଼ ହସ୍ପିଟାଲରେ ରାଜ୍ୟର ଗରିବ ଲୋକମାନେ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି। ଯଦି ରାଜ୍ୟ ବାହାରେ କାମ କରୁଥିବା ଓଡ଼ିଶା ଲୋକଙ୍କ କଥା କହିବା ତେବେ ସେମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରୁଛନ୍ତି। ଚଳିତ ନିର୍ବାଚନରେ ବିଜେଡି ଏହାକୁ ରାଜ୍ୟ ସରକାରଙ୍କର ବଡ଼ ସଫଳ ଯୋଜନା ବୋଲି ପ୍ରଚାର କରୁଛି।

nis-ad
Leave A Reply

Your email address will not be published.