ବୀରମହାରାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି: ମହିଳା ମୃତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ଲୁତୁରପଙ୍କ ପଞ୍ଚାୟତର ମେଣ୍ଡିଲିପାଲି ଗ୍ରାମରେ ଗୋଟିଏ ପରିବାରର ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ମୃତ ମହିଳା ହେଲେ ଅହଲ୍ୟା ପାତ୍ର (୩୦)। ଗୁରୁତରମାନେ‌ ହେଲେ ଭଗବାନ ମହାକୁଡ଼ (୬୨) ତାଙ୍କ ସ୍ତ୍ରୀ ଶୈଳ ମହାକୁଡ଼ (୫୫)।
ମିଳିଥିବା ସୂଚନା ଅନୁସାରେ ଭଗବାନ ମହାକୁଡ଼, ତାଙ୍କର ସ୍ତ୍ରୀ ଶୈଳ ମହାକୁଡ଼ ଓ ପୁତ୍ରବଧୂ ଅହଲ୍ୟା ଗତକାଲି (ଶୁକ୍ରବାର) ଝାଡ଼ାବାନ୍ତିର ଶିକାର ହୋଇଥିଲେ। ସମସ୍ତ ତିନି ଜଣଙ୍କୁ ପ୍ରଥମେ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଅହଲ୍ୟାଙ୍କର ମୃତ୍ୟୁ ଘଟିଥିବା ବେଳେ ଭଗବାନ ଓ ଶୈଳଙ୍କୁ ଗୁରୁତର ଅବସ୍ଥାରେ ସୋନପୁରସ୍ଥିତ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ଦଂପତିଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ତେଣୁ ସେମାନଙ୍କୁ ଡାକ୍ତର ବୁର୍ଲା ବଡ଼ଡାକ୍ତରଖାନା ସ୍ଥାନାନ୍ତରିତ କରିଥିଲେ।
ଅହଲ୍ୟା ଦୁଇବର୍ଷ ତଳେ ଭଗବାନ ମହାକୁଡ଼ଙ୍କ ପୁଅ ରାମେଶ୍ଵରଙ୍କୁ ବିବାହ କରିଥିଲେ। ତାଙ୍କର ଏକ ସାତ ମାସର କନ୍ୟା ସନ୍ତାନ ରହିଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅହଲ୍ୟାଙ୍କ ସବ ସତ୍କାର କରାଯାଇଥିଲା। ସ୍ବାମୀ ରାମେଶ୍ବର ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାରରେ ଅହଲ୍ୟାଙ୍କ ତିନି ଭାଇ ସୁଜିତ୍, ସାମନ୍ତ ଓ ସୁବୋଧ ପାତ୍ର ଓ ଅନ୍ୟାନ୍ୟ ପରିବାର ବର୍ଗ ସାମିଲ ହୋଇଥିଲେ।
ଝାଡ଼ାବାନ୍ତି କେବଳ ମେଣ୍ଡିଲିପାଲିରେ ନାହିଁ। ବରଂ ବୀରମହାରାଜପୁର ଅଞ୍ଚଳର ଅନ୍ୟ ସ୍ଥାନରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପିଛି। ଶନିବାର ଦିନ ଗୌଡ଼କେଲା ଗ୍ରାମର ଆର୍ତ୍ତତ୍ରାଣ ବଗର୍ତ୍ତି (୩୬), କେନ୍ଦୁପାଲି ଗ୍ରାମର ବୈଦ୍ୟନାଥ ସେଠୀ (୬୫) ଓ ଜଟିଆ ପାଲିର ହୃଷୀକେଶ ତାଣ୍ଡିଆ (୫୫)ଙ୍କୁ ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସାଧାରଣ ନିର୍ବାଚନରେ ପ୍ରଶାସନ ବ୍ୟସ୍ତ ଥିବାବେଳେ ଝାଡ଼ାବାନ୍ତି ବ୍ୟାପୁଥିବାରୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ସାଧାରଣରେ ଆଲୋଚନା ହେଉଛି। ଏଣୁ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ସମାସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଅବସ୍ଥା ଆହୁରି ସଙ୍କଟାପନ୍ନ ହେବା ସହିତ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ଦେଖାଯାଇଛି।

nis-ad
Leave A Reply

Your email address will not be published.