୪୦ ଡିଗ୍ରି ଉପରେ ରାଜ୍ୟର ୩୦ ସହର: ତାଳଚେରରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରି‌ ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମଲହରି ଜାରି ରହିଛି। ସକାଳ ୭ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଶରୀରରୁ ଗମ୍‌ଗମ୍‌ ଝାଳ ବାହାରିପଡୁଛି। ଦିନସାରା ତତଲା ଝାଞ୍ଜି ବହୁଛି। ଆଜି ରାଜ୍ୟର ୩୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଏଥିରେ ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ତାଳଚେରରେ ଆଜି ତାପମାତ୍ରା ୪୩.୨ ଡିଗ୍ରି ରେକର୍ଡ ହୋଇଛି। ନୂଆପଡ଼ାରେ ୪୩, ପାରଳାଖେମୁଣ୍ଡି ବୌଦ୍ଧରେ ୪୨.୮, ଅନୁଗୁଳ, ନୟାଗଡ଼ରେ ୪୨.୬ ଓ ଟିଟିଲାଗଡ଼ରେ ୪୨.୫ ଡିଗ୍ରି ପାରା ଛୁଇଁଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରି ଜାରି ରହିବ। ୫ଟି ସହରରେ ତାପମାତ୍ରା ୪୫ ଡିଗ୍ରି ପହଞ୍ଚିପାରେ।
ଆସନ୍ତାକାଲି (ଏପ୍ରିଲ ୧୮ ତାରିଖ) ବାରିପଦାର ତାପମାତ୍ରା ୪୫ ଡିଗ୍ରି ହେବାର ଆକଳନ କରାଯାଇଥିବା ବେଳେ ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ମାଲକାନଗିରିରେ ତାପମାତ୍ରା ୪୪ ଡିଗ୍ରି ରେକର୍ଡ କରାଯାଇପାରେ। ନୂଆପଡ଼ା, ଝାରସୁଗୁଡ଼ା, ଭଦ୍ରକ, ଖୋର୍ଦ୍ଧା, ବାଲେଶ୍ବର ଓ ନୟାଗଡ଼ରେ ୪୩ ଡିଗ୍ରି ପାରା ପହଞ୍ଚିପାରେ।
ଏପ୍ରିଲ ୧୯ ତାରିଖରେ ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ, ବାରିପଦା ଓ ମାଲକାନଗିରିରେ ତାପମାତ୍ରା ୪୫ ଡିଗ୍ରି ରେକର୍ଡ ହେବାର ଆକଳନ କରାଯାଉଛି। ସମ୍ବଲପୁର, ନୂଆପଡ଼ା ଓ ଟିଟିଲାଗଡ଼ରେ ତାପମାତ୍ରା ୪୪ ଡିଗ୍ରି ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି। ଏପ୍ରିଲ ୨୦ ଓ ୨୦ ତାରିଖ ଦିନ ମଧ୍ୟ ତାତିରୁ ନିସ୍ତାର ମିଳିବ ନାହିଁ। ଏହି ଦୁଇ ଦିନ ସମ୍ବଲପୁରରେ ପାରା ୪୪ ଡିଗ୍ରି ରହିପାରେ। ଏପ୍ରିଲ ୨୦ରେ ସମ୍ବଲପୁର, ସୋନପୁର ଓ ଟିଟିଲାଗଡ଼ରେ ତାପମାତ୍ରା ୪୪ ଡିଗ୍ରି ରହିପାରେ। କିନ୍ତୁ ଅନ୍ୟ ସହରରେ ତାପମାତ୍ରା ୧ରୁ ୨ ଡିଗ୍ରି ହ୍ରାସ ପାଇବାର ଆଶଙ୍କା କରାଯାଉଛି।

nis-ad
Leave A Reply

Your email address will not be published.