ରାମନବମୀକୁ ନେଇ ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ: ‘ଦଙ୍ଗା ସୃଷ୍ଟି ପାଇଁ ହୋଇଛି ଷଡ଼ଯନ୍ତ୍ର’

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅଭିଯୋଗ କରିଛନ୍ତି ଯେ ରାମନବମୀ ଅବସରରେ ରାଜ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ଯୋଜନା କରାଯାଉଛି। ଗତବର୍ଷ ରାଜ୍ୟରେ ହିଂସା କାଣ୍ଡ ଘଟିଥିଲା, ଯାହା ଫଳରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବ୍ୟାପକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
‘ସେମାନେ ଆଜି ଦଙ୍ଗାରେ ଲିପ୍ତ ରହିବେ। ଦଙ୍ଗା ହେବାର ସମ୍ଭାବନା ରହିଛି। ଏବଂ ସେମାନେ ଦଙ୍ଗା ଓ ଭୋଟ୍‌ ଲୁଟ୍‌ କରି ନିର୍ବାଚନ ଜିତିବେ’ ବୋଲି ମମତା ବାନାର୍ଜୀ ଏକ ନିର୍ବାଚନୀ ରାଲିରେ ଅଭିଯୋଗ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ରାମନବମୀର ଶୁଭେଚ୍ଛା ଜଣାଇବା ସହ ଏହି ଉତ୍ସବରେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ତେବେ ବିଜେପି ଏହାକୁ ନିନ୍ଦା କରି କହିଛି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାରତୀୟ ଓ ସନାତନୀ ସଂସ୍କୃତିକୁ ଅପମାନିତ କରୁଛନ୍ତି।
‘ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାନ୍ତି ବଜାୟ ରଖିବାକୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି, ଏହା ରାମନବମୀ ପର୍ବକୁ ଅପମାନିତ କରୁଛି କାରଣ ଅନ୍ୟ ଧାର୍ମିକ ଅବସରରେ ଆପଣ (ମମତା ବାନାର୍ଜୀ) ଶାନ୍ତିର ବାର୍ତ୍ତା ଦେଇଛନ୍ତି, କିନ୍ତୁ ଏଠାରେ ଆପଣ ଶାନ୍ତି ଏବଂ ସମୃଦ୍ଧିର ବାର୍ତ୍ତା ଦେବା ପରିବର୍ତ୍ତେ ‘ଶାନ୍ତି ବଜାୟ ରଖିବାକୁ’ କହୁଛନ୍ତି, ଏପରି କରି ଆପଣ ଭାରତୀୟ ଏବଂ ସନାତନୀ ସଂସ୍କୃତିକୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି’ ବୋଲି ବିଜେପି ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି।

nis-ad
Leave A Reply

Your email address will not be published.