ଦୁବାଇରେ ପ୍ରବଳ ଝଡ଼-ବର୍ଷା; ଭାରତର ୨୮ଟି ବିମାନ ବାତିଲ୍

ନୂଆଦିଲ୍ଲୀ : ମଧ୍ୟ ପୂର୍ବର ଆର୍ଥିକ କେନ୍ଦ୍ର ଦୁବାଇରେ ପ୍ରବଳ ବର୍ଷା ଓ ଝଡ଼ କାରଣରୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଛି। ଗୋଟିଏ ଦିନରେ ଏପରି ବର୍ଷା ହୋଇଛି ଯେ, ଚାରିଆଡ଼େ କେବଳ ପାଣି ହିଁ ପାଣି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ୨୮ଟି ବିମାନକୁ ବାତିଲ୍ କରାଯାଇଛି।
ରିପୋର୍ଟ ଅନୁସାରେ, ଦୁବାଇ ଏୟାରପୋର୍ଟରୁ ଉଡାଣ ଭରିବାକୁ ଥିବା ଏବଂ ଏଠାକୁ ଯାତ୍ରା କରିବାକୁ ଥିବା ୫୦୦ରୁ ଅଧିକ ବିମାନ ପଥ ପରିବର୍ତ୍ତନ କିମ୍ବା ବାତିଲ୍ କରାଯାଇଛି। ସେଥି ମଧ୍ୟରୁ ଭାରତରୁ ଯାତ୍ରା କରିବାକୁ ଥିବା ଏବଂ ଭାରତରୁ ଉଡ଼ାଣ ଭରିବାକୁ ଥିବା ମୋଟ ୨୮ଟି ବିମାନ ରହିଛି, ଯାହା ସମ୍ପୂର୍ଣ୍ଣ ରୂପେ ବାତିଲ୍ ହୋଇଯାଇଛି।
ଭାରତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ, ଦୁବାଇ ଅଭିମୁଖେ ଯାଉଥିବା ପ୍ରାୟ ୧୫ଟି ବିମାନକୁ ବାତିଲ କରାଯାଇ ଥିବାବେଳେ ଭାରତକୁ ଆସିବାକୁ ଥିବା ୧୩ଟି ବିମାନ ବାତିଲ ହୋଇଛି।
ଦୁବାଇର ଫ୍ଲାଗସିପ୍ ଏମିରେଟ୍ସ ଏୟାରଲାଇନ୍ସ କହିଛି ଯେ, ଖରାପ ପାଗକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ପାଇଁ ସମସ୍ତ ଚେକ୍ ଇନ୍ ବନ୍ଦ କରାଯାଇଛି। ସ୍ଥିତିରେ ସୁଧାର ଆଣିବା ପାଇଁ ସମସ୍ତ ଚେଷ୍ଟା ଚାଲିଛି।
ଗତକାଲି ଦୁବାଇରେ ରେକର୍ଡ ବର୍ଷା ହୋଇଛି, ଯାହା ୟୁଏଇ ସହର ଗଠନ ପରେ ପ୍ରଥମ। ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୧୯୭୧ରେ ୟୁଏଇ ଗଠନ ପୂର୍ବରୁ ୧୯୪୯ ମସିହାରେ ଏପରି ଝଡ଼-ବର୍ଷା ହୋଇଥିଲା।
ବର୍ଷା ଯେ କେବଳ ଦୁବାଇକୁ ପ୍ରଭାବିତ କରିଛି ତାହା ନୁହେଁ, ସମଗ୍ର ୟୁଏଇ ଏବଂ ପଡୋଶୀ ବହାରେନରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ୍-କଲେଜ ଛୁଟି ଘୋଷଣା କରାଯାଇଛି।

nis-ad
Leave A Reply

Your email address will not be published.