ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମନି ଲଣ୍ଡରିଂ ଆଇନ୍(ପିଏମ୍ଏଲ୍ଏ) ଅନୁଯାୟୀ ଗିରଫ କରାଯାଇଛି। କୋର୍ଟ ତାଙ୍କୁ ମାର୍ଚ୍ଚ ୨୬ ଯାଏ ଇଡି ରିମାଣ୍ଡରେ ପଠାଇଛି। ଏହାକୁ ସମସ୍ତ ବିରୋଧୀ ଦଳ ଗଣତନ୍ତ୍ରର ହତ୍ୟା ବୋଲି ଅବିହିତ କରୁଛନ୍ତି। ଏପରିକି ଦେଶରେ ଅଘୋଷିତ ଜରୁରୀକାଳିନ ପରିସ୍ଥିତି ଲାଗୁ ହୋଇଥିବା କହୁଛନ୍ତି। କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅନେକେ ଅଭିଯୋଗ ଲଗାଉଛନ୍ତି। ସେହିଭଳି କଂଗ୍ରେସ ମଧ୍ୟ ଅଭିଯୋଗ କରୁଥିବା ଦେଖାଯାଇଛି। ତେବେ କହିବାକୁ ଗଲେ କଂଗ୍ରେସ ବିରୋଧରେ ଆନ୍ଦୋଳନ କରି ରାଜନୈତିକ ଶିଡି ଚଢ଼ିଛନ୍ତି କେଜ୍ରିଓ୍ବାଲ। ଏହାକୁ ରାଜନୈତିକ ଅଭିସନ୍ଧି କହିପାରିବା କାରଣ ଏହି କଂଗ୍ରେସ ହିଁ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର କେଜ୍ରିଓ୍ବାଲ ସରକାରଙ୍କ ବିରୋଧରେ ଅଭିଯୋଗ କରିଥିଲା।
୨୦୨୨ ଜୁନ୍ ୩ର କଥା। ଯେତେବେଳେ କଂଗ୍ରେସ ଦିଲ୍ଲୀ ସରକାରଙ୍କ ମଦ ନୀତି ମାମଲାକୁ ନେଇ ଅଭିଯୋଗ କରିଥିଲା। ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅନିଲ ଚୌଧୁରୀ ନିଜେ ଉପରାଜ୍ୟପାଳ ବି କେ ସକ୍ସେନା ଏବଂ ପୋଲିସ କମିଶନରଙ୍କୁ ଭେଟି ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। କେବଳ ଏହା ନୁହେଁ ସେତେବେଳେ ନିଜ ଅଭିଯୋଗର ନକଲ ଟୁଇଟରରେ ଶେୟାର କରିଥିଲେ। ମାମଲାର ଯାଞ୍ଚ ଆରମ୍ଭ ହେବା ପରେ କଂଗ୍ରେସ ଏହାକୁ ନିଜର ବିଜୟ ବୋଲି କହିଥିଲା। ହେଲେ ଏବେ କଂଗ୍ରେସର ସ୍ବର ବଦଳିଛି। ଦଳ ଏହି ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ଗିରଫ କରାଯିବା ଗଣତନ୍ତ୍ର ପ୍ରତି ବିପଦ ବୋଲି କହୁଛି।
ସେତେବେଳେ କଂଗ୍ରେସ ନେତା ଅଜୟ ମାକନ ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ଏଥିନେଇ ସେ ଖବରଦାତା ସମ୍ମିଳନୀ ରଖି କହିଥିଲେ ଯେ, ମଦ ଘୋଟାଲା ମାମଲାରେ ଅତିକମ୍ରେ ୧୦୦ କୋଟି ଲାଞ୍ଚ ନିଆଯାଇଥିଲା। କଂଗ୍ରେସକୁ ହରାଇବା ଲାଗି ସେ ଏହି ଘୋଟାଲ କରିଥିଲେ। ଏଣୁ କେଜ୍ରିଓ୍ବାଲଙ୍କ ସହ ତାଙ୍କର ମନ୍ତ୍ରୀଙ୍କୁ ଆସନରେ ବସିବାର ନୈତିକ ଅଧିକାର ନାହିଁ ବୋଲି ସେ କହିଥିଲେ।
କଂଗ୍ରେସର ପୂର୍ବ ଏମ୍ପି ସନ୍ଦୀପ ଦୀକ୍ଷିତ କିଛି ଦିନ ପୂର୍ବେ କେଜ୍ରିଓ୍ବାଲ ଜେଲ ଯିବେ ବୋଲି ଭବିଷ୍ୟବାଣୀ କରିଥିଲେ। ହେଲେ ତାଙ୍କୁ ଗିରଫ କରାଯିବା ପରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲିଙ୍କ ସହ ଅନେକ ନେତା ମୁଖ୍ୟମନ୍ତ୍ରୀ ନିବାସରେ ପହଞ୍ଚି କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେଇଥିଲେ। କେବଳ ଏତିକି ନୁହେଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟୁଇଟ୍ କରି କେନ୍ଦ୍ର ସରକାର ଏବଂ ମୋଦିଙ୍କୁ କଟାକ୍ଷ କରିଛନ୍ତି।
ଗୋଟିଏ ପଟେ କିଛି କଂଗ୍ରେସ ନେତା କେଜ୍ରିଓ୍ବାଲ ଏବଂ ଏଏପିକୁ ସମର୍ଥନ କରୁଥିବା ବେଳେ କିଛି ଚୁପ୍ ରହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ କେଜ୍ରିଓ୍ବାଲଙ୍କୁ ଗିରଫ କରିବା ପରେ କଂଗ୍ରେସ ତାଙ୍କ ସହ ଥିବାର ଦେଖାଯାଉଥିଲେ ହେଁ ମନରେ ଆଉ କିଛି ଅଛି। ଯେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଥିଲା, ସେତେବେଳେ କେଜ୍ରିଓ୍ବାଲ ଅନ୍ନା ହଜାରେଙ୍କ ନେତୃତ୍ୱରେ ବଡ଼ ଆନ୍ଦୋଳନ କରି କଂଗ୍ରେସ ଉପରେ ହେରଫେର, ଘୋଟାଲା ଭଳି ଅଭିଯୋଗ ଆଣିଥିଲେ। ସେବେ କଂଗ୍ରେସକୁ ଦୁର୍ନୀତିର ଗଙ୍ଗା ବୋଲି ମଧ୍ୟ କେଜ୍ରିଓ୍ବାଲ କହିଥିଲେ। ହେଲେ ରାଜନୈତିକ ସ୍ଥିତିକୁ ଦେଖି ଉଭୟ INDIA ମେଣ୍ଟର ଅଂଶ।
Sign in
Sign in
Recover your password.
A password will be e-mailed to you.
Prev Post