୫ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖମନ୍ତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟର ବଲାଙ୍ଗୀର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ହେଲା – ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର ମନ୍ଦିର, କେନ୍ଦୁଝର ଜିଲ୍ଲା ଯୋଡାରେ ୨୫୮.୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କି.ମି. ବିଶିଷ୍ଟ ଓଡିଶାର ଦୀର୍ଘତମ ଫ୍ଲାଏ-ଓଭର ଓ ଖୋର୍ଦ୍ଧା ଜିଲ୍ଲା ଜଟଣି କୁଦିଆରୀରେ ୧୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୬୨ ମିଟର ଦୈର୍ଘ୍ୟବିଶିଷ୍ଟ ରେଳ ଓଭର-ବ୍ରିଜ ।

ସେହିପରି, ଆଠମଲ୍ଲିକ-ଧଳପୁର ରାସ୍ତାରେ ମହନଦୀ ଉପରେ ୧୫୯.୩୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କି.ମି ପରିବ୍ୟାପ୍ତ ଓଡିଶାର ଦୀର୍ଘତମ ସେତୁ, ରାକଡୋର- ଫସାଦ ରାସ୍ତାରେ ତେଲ ନଦୀ ଉପରେ ୪୫.୮୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ସେତୁ ଓ ୭୧.୫୯ କୋଟି ଟଙ୍କା ବ୍ୟୟରେ ବୌଦ୍ଧ-ମର୍ଯ୍ୟାକୁଦ ସଂଯୋଗିକରଣ ରାସ୍ତାରେ ମହାନଦୀ ଉପରେ ସେତୁ ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ଦିଆଯାଇଥିବା ପ୍ରକଳ୍ପ ଗୁଡିକ ହେଲା – କଟକ ଜିଲ୍ଲା ନେମାଳଠାରେ ୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠର ଉନ୍ନତିକରଣ କାର୍ଯ୍ୟ, ୩୨.୧୪ କୋଟି ଟଙ୍କା ବ୍ୟୟ ଅଟକଳରେ ଖୋର୍ଦ୍ଧା ମା’ ଉଗ୍ରତାରା ଶକ୍ତିପୀଠର ଉନ୍ନତିକରଣ କାର୍ଯ୍ୟ, ୧୫୫.୭୨ କୋଟି ଟଙ୍କା ବ୍ୟୟ ଅଟକଳରେ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ-ବୀରମହାରାଜପୁର ସଂଯୋଗୀକରଣ ରାସ୍ତାରେ ମହାନଦୀ ଉପରେ ୧୭୩୮ ମିଟର ଦୈର୍ଘ୍ୟବିଶିଷ୍ଟ ସେତୁ ନିର୍ମାଣ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଯେ, 5-T ଉପକ୍ରମରେ କାର୍ଯ୍ୟକାରୀ ହୋଇଥିବା ଏହି ପ୍ରକଳ୍ପ ଗୁଡିକ ପର୍ଯ୍ୟଟନ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଓଡିଶାର ଏକ ପ୍ରମୁଖ ପୀଠ ହେଉଛି ହରିଶଙ୍କର। Integrated Development of Heritage and Monuments and Tourist destination ଯୋଜନାରେ ହୋଇଥିବା ଏହି ପୀଠର ରୂପାନ୍ତରଣ କାର୍ଯ୍ୟ ଏଠାକୁ ଆସୁଥିବା ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇବାରେ ସଫଳ ହେବା ସହ ଅଞ୍ଚଳବାସୀଙ୍କ ଆର୍ଥିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ମୁଖ୍ୟମନ୍ତ୍ରୀଆହୁରି ମଧ୍ୟ କହିଥିଲେ ଯେ, ସଂସ୍କୃତି ଗୋଟିଏ ଜାତିର ଅସ୍ମିତାର ପରିଚୟ । ଏହାର ସୁରକ୍ଷା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ । କଟକ ଜିଲ୍ଲାର ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଗାଦି ଓ ପୀଠ ଏବଂ ଖୋର୍ଦ୍ଧା ଜିଲ୍ଲାର ମା’ ଉଗ୍ରତାରା ପୀଠର ରୂପାନ୍ତରଣ ପାଇଁ ଆଜି ଭିତ୍ତି ଦିଆଗଲା । ଏହି ମହାନ ପୀଠ ଗୁଡିକର ବିକାଶ ଦ୍ୱାରା ଓଡିଆ ଜାତିର ଭାବଗତ ବନ୍ଧନ ଆହୁରି ମଜବୁତ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

କେନ୍ଦୁଝରର ଯୋଡାଠାରେ ରାଜ୍ୟର ସବୁଠାରୁ ବଡ ଫ୍ଲାଏ ଓଭର, ଜଟଣୀ ଠାରେ ରେଳ ଓଭରବ୍ରିଜ, ତେଲ ନଦୀ ଉପରେ ହାଇ ଲେଭଲ ସେତୁ, ମର୍ଯ୍ୟାକୁଦ ରାସ୍ତା ହାଇ ଲେଭଲ ସେତୁ ଏବଂ ଆଠମଲ୍ଲିକ-ଧଳପୁର ରାସ୍ତାରେ ସବୁଠାରୁ ବଡ ସେତୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହିସବୁ ପ୍ରକଳ୍ପ ଆମର ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ମଜବୁତ୍‌ କରିବା ସହିତ ଯାତ୍ରା ସମୟକୁ ମଧ୍ୟ ହ୍ରାସ କରିବ । ଏହି ସବୁ ପ୍ରକଳ୍ପ ଦ୍ୱାରା ଲକ୍ଷ ଲକ୍ଷ ଲୋକ ଉପକୃକ ହେବେ ।

ବିକାଶର ଏହି ଯାତ୍ରାରେ ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ ଆମକୁ ଶକ୍ତି ଦେଉଛି ବୋଲି କହି ନୂଆ ଓଡିଶା ସଶକ୍ତ ଓଡିଶା ଗଠନ ପାଇଁ ଏହି ସହଯୋଗ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

nis-ad
Leave A Reply

Your email address will not be published.