ବିଜେଡି-ବିଜେପି ମେଣ୍ଟ: ଛିଣ୍ଡୁନି ଅଙ୍କ, ଏକାକୀ ଲଢ଼ିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ରାଜ୍ୟ ରାଜନୀତି ବେଶ କିଛି ଦିନ ହେବ ସରଗରମ ଥିଲା । ଶୁଣିବାକୁ ମିଳୁଥିଲା ଉଭୟ କେନ୍ଦ୍ର ରାଜ୍ୟ ମିଶି ଚଳିତ ନିର୍ବାଚନ ଲଢ଼ିବେ । ଅର୍ଥାତ ବିଜେଡି-ବିଜେପି ମେଣ୍ଟ କରିବେ । ଭୁବନେଶ୍ବରରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଘନ ଘନ ବୈଠକ ମଧ୍ୟ ବସିଥିଲା । ଗତକାଲି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ଫାଇଭ-ଟି ଅଧ୍ୟକ୍ଷ ଦିଲ୍ଲୀ ଗସ୍ତରେ ଯିବା ପରେ ରାଜ୍ୟ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଥିଲା । କେଉଁ ସମୟରେ ଦଳ ମୁଖିଆ ବଡ଼ ନିଷ୍ପତି ଘୋଷଣା କରିପାରନ୍ତି । ଏଭଳି ଚର୍ଚ୍ଚା ଭିତରେ  ଓଡ଼ିଶା ଫେରିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ଭିକେ ପାଣ୍ଡିଆନ । ଶଙ୍ଖ ଭବନରେ ଉଭୟ ନେତା ପହଞ୍ଚିବା ପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତେବେ ମେଣ୍ଟ ନେଇ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ଆସି ପାରୁନି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆସନ ବୁଝାମଣାକୁ ନେଇ ଅଙ୍କ ଛିଣ୍ଡୁନଥିବା ବେଳେ ମେଣ୍ଟ ନେଇ ସସପେନ୍ସ ଲାଗି ରହିଛି । ଉଭୟ ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନକୁ ନେଇ ଉଭୟ ଦଳ ମଧ୍ୟରେ ଅଙ୍କ ଛିଣ୍ଡୁନି । ଏହି ୨ ଆସନ ବିଜେଡି ରଖିବାକୁ ଚାହୁଁଛି ।

ଅନ୍ୟପଟେ ବିଜେପି ୧୦୦ରୁ ଅଧିକ ଆସନ ବିଜେଡିକୁ ଛାଡିବାକୁ ଚାହୁଁନି । ରାଜ୍ୟରେ ବିଜେପି ଏକାକୀ ଲଢିଲେ ଭଲ ପ୍ରଦର୍ଶନ କରିବ ବୋଲି ରାଜ୍ୟ ନେତୃତ୍ୱ କେନ୍ଦ୍ର ନେତୃତ୍ୱଙ୍କୁ ଜଣାଇଛନ୍ତି । ସେପଟେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଭିତରେ ବଡ ବୟାନ ରଖିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ବିଜେଡି-ବିଜେପି ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ସେ ବାବଦରେ କୌଣସି ଆଲୋଚନା ହୋଇନି ବୋଲି କହିଛନ୍ତି ପୃଥ୍ବୀରାଜ । ରାଜ୍ୟ ନେତୃତ୍ୱ କେନ୍ଦ୍ରୀୟ ନେତୃତ୍ୱଙ୍କ ସାମ୍ନାରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢିଲେ ଭଲ ପ୍ରଦର୍ଶନ କରିବ । ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାହାକୁ ମାନି ଆଗକୁ ବଢିବ ଦଳ  ବୋଲି କହିଛନ୍ତି ପୃଥ୍ବୀରାଜ । ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ହୋଇ ପାରୁନଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

କିଛି ଦିନ ହେବ ଜାରି ରହିଥିବା ଚର୍ଚ୍ଚା ଭିତରେ ଗୋଟେ ପଟେ ବିରାମ ଲାଗି ଯାଇଥିବା ଚର୍ଚ୍ଚା ହେଉଛି । ହେଲେ ଏପର୍ଯ୍ୟନ୍ତ କୌଣସି ଦଳ କିଛି ସ୍ପଷ୍ଟ ପ୍ରତିକ୍ରିୟା ଦେଉନଥିବା ବେଳେ ଏବେବି ସସପେନ୍ସ ଜାରି ରହିଛି ।

nis-ad
Leave A Reply

Your email address will not be published.