ହିମାଚଳପ୍ରଦେଶରେ କ୍ରସ ଭୋଟିଂ ଆଶଙ୍କା ମଧ୍ୟରେ ବିଧାୟକଙ୍କ ଜରୁରୀକାଳୀନ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ ସୁଖୁ

ସିମଲା: ହିମାଚଳ ପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନରେ ଆଜି ରୋମାଞ୍ଚକର ରାଜନୈତିକ ସ୍ଥିତି ଦେଖିବାକୁ ମିଳିଛି | ରାଜ୍ୟସଭା ଆସନ ପାଇଁ ଭୋଟ୍ ମଧ୍ୟରେ ଆଜି ବିଧାନସଭା ଭିତରେ ଶାସକ ଦଳ ପୂର୍ବ ଭଳି ଦୃଢ ସ୍ଥିତିରେ ନଥିବା ଜଣାପଡିଛି। ବାସ୍ତବରେ ଆଜି ରାଜ୍ୟସଭା ସାଂସଦ ପାଇଁ ମତଦାନକୁ ନେଇ ଭାରତୀୟ ଜନତା ପାର୍ଟି ଦାବି କରିଥିଲା ଯେ କଂଗ୍ରେସର କିଛି ବିଧାୟକମାନେ ସେମାନଙ୍କ ଅନ୍ତରାତ୍ମାର କଥା ଶୁଣି ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କ ସପକ୍ଷରେ ମତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ମଧ୍ୟ ତାଙ୍କ ବିବୃତ୍ତିରେ କହିଥିଲେ ଯେ ଯଦି କଂଗ୍ରେସ ବିଧାୟକମାନେ ଘୋଡ଼ାବେପାରରେ ଭାଗ ନେଇନଥିବେ ତେବେ କଂଗ୍ରେସ ୪୦ଟି ଭୋଟ୍ ନିଶ୍ଚିତ ପାଇବ। ଚର୍ଚ୍ଚା ମୁତାବକ ପ୍ରାୟ ୬ଜଣ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିଥିବାର କୁହାଯାଉଛି |

ଏହାପରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ନେଇ ଜରୁରୀକାଳୀନ ବୈଠକ ଡ଼କାଇଥିଲେ | ବାସ୍ତବରେ ହିମାଚଳ ନିର୍ବାଚନ ସମ୍ପର୍କରେ କ୍ରସ ଭୋଟିଂକୁ ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଛି। ହିମାଚଳ ରାଜ୍ୟସଭା ପାଇଁ ଗୋଟିଏ ଆସନ ଥିବାବେଳେ ​​କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଭିଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନ ଅଛନ୍ତି । ଏସବୁ ଭିତରେ ବିରୋଧୀ ଦଳର ନେତା ଜୟରାମ ଠାକୁର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ କାର୍ଯ୍ୟକୁ ନେଇ ତାଙ୍କ ନିଜ ବିଧାୟକମାନେ ତାଙ୍କ ଉପରେ ରାଗିଛନ୍ତି। ବିରୋଧୀ ଦଳର ନେତା ଜୟରାମ ଠାକୁର ଏହା ମଧ୍ୟ ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ବିଶ୍ୱାସ ହରାଇଛନ୍ତି। ଏଭଳି ପରିସ୍ଥିତିରେ ସେ ନିଜ ପଦରୁ ଇସ୍ତଫା ଦେବା ଉଚିତ୍।

nis-ad
Leave A Reply

Your email address will not be published.