ଭୟଙ୍କର ହିମସ୍ଖଳନ, ଜଣେ ମୃତ, ଅନେକ ନିଖୋଜ

ଜମ୍ମୁ-କଶ୍ମୀର ଗୁଲମର୍ଗରେ ଭୟଙ୍କର ହିମସ୍ଖଳନ। ଏଥିଯୋଗୁ ଜଣେ ପର୍ଯ୍ୟଟଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ୬ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନେକ ନିଖୋଜ ଅଛନ୍ତି।

ସୂଚନା ମୁତାବକ, ଗୁଲମର୍ଗର କୋଙ୍ଗଦୁରି ପର୍ବତାଞ୍ଚଳ ନିକଟରେ ବ୍ୟାପକ ହିମସ୍ଖଳନ ହୋଇଛି। ଫଳରେ ସ୍କିଂ(ବରଫରେ ସ୍କେଟିଂ) କରିବାକୁ ଯାଇଥିବା କିଛି ବିଦେଶୀ ପର୍ଯ୍ୟଟକ ଏଥିରେ ଫସି ଯାଇଥିଲେ। ବରଫ ଭିତରେ ପୋତି ହୋଇ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ରୁଷର ନାଗରିକ ବୋଲି ଜଣାପଡିଛି।

ସେପଟେ ଖବର ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଉଦ୍ଧାର କାମରେ ସେନା ଓ ସ୍ଥାନୀୟ ପୁଲିସ ନିୟୋଜିତ ଅଛନ୍ତି। ସେନା ହେଲିକପ୍ଟର ଜରିଆରେ ବରଫ ଭିତରେ ଫଶି ରହିଥିବା ୬ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେହିପରି ପାଖାପାଖି ଅନ୍ୟ ୬ ଜଣ ଏବେବି ନିଖୋଜ ଅଛନ୍ତି। ସମସ୍ତ ପର୍ଯ୍ୟଟକ ବିଦେଶରୁ ଆସିଥିବା କୁହାଯାଉଛି। ସେମାନଙ୍କ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। 

ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଗୁଲମର୍ଗରେ ପ୍ରବଳ ତୁଷାରପାତ ପରେ କଶ୍ମୀର ଘାଟିର ବିଭିନ୍ନ ପର୍ବତାଞ୍ଚଳରେ ହିମସ୍ଖଳନ ଚେତାବନୀ ଜାରି କରିଥିଲା ପ୍ରଶାସନ। ତେବେ ଏହା ସତ୍ତ୍ୱେ ମଧ୍ୟ ସ୍ଥାନୀୟ ଲୋକଙ୍କ ବିନା ସହାୟତାରେ କିଛି ବଦେଶୀ ପର୍ଯ୍ୟଟକ ସ୍କିଂ କରିବା ପାଇଁ ଯାଇଥିଲେ।

ଜାନୁଆରୀ ମାସରେ ଗୁଲମର୍ଗରୁ ଗାଏବ ହୋଇଯାଇଥିଲା ବରଫ। ଏଠାରେ ବରଫ ଦେଖିବାକୁ ମିଳିନଥିଲା। ଫଳରେ ଏଠାକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ନିରାଶ ହୋଇଥିଲେ। ହେଲେ ଜାନୁଆରୀ ମାସ ଶେଷ ଆଡକୁ ତୁଷାରପାତ ପରେ ପୁଣିଥରେ ବରଫର ମୋଟା ଚାଦରରେ ଢ଼ାଙ୍କି ହୋଇଯାଇଛି ଗୁଲମର୍ଗ। 

nis-ad
Leave A Reply

Your email address will not be published.