ୟୁପିରେ କଂଗ୍ରେସକୁ ୧୭ ଆସନ, ୬୩ଟି ସ୍ଥାନରେ ଲଢ଼ିବ ସପା

ଲକ୍ଷ୍ନୌ : ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ କେବଳ ୧୭ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ। ବାକି ୬୩ଟି ଲୋକସଭା ଆସନରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ଇଣ୍ତିଆ ମେଣ୍ଟରେ ଥିବା ଅନ୍ୟ ଦଳଗୁଡ଼ିକ ଲଢ଼େଇ କରିବେ।
ଦୁଇ ଦଳ ମଧ୍ୟରେ ସିଟ ଶେୟାରିଂକୁ ନେଇ ଚାଲିଥିବା ଅଙ୍କକଷାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦୁଇ ଦଳ ଆସନ୍ତା ଲୋକସଭା ନିର୍ବାଚନ ଏକାଠି ଲଢ଼ିବେ ବୋଲି ଡିଲ ଫାଇନାଲ କରିଛନ୍ତି। ପ୍ରଥମଥର ପାଇଁ ଇଣ୍ଡିଆ ମେଣ୍ଟରେ ଥିବା ଦୁଇ ଦଳ ମଧ୍ୟରେ କୌଣସି ରାଜ୍ୟରେ ସିଟ ଶେୟାରିଂ ଫର୍ମୁଲା କାର୍ଯ୍ୟକାରୀ ହୋଇଛି।
ମେଣ୍ଟ ସମ୍ପର୍କରେ ସୂଚନା ଦେଇ ଉତ୍ତର ପ୍ରଦେଶର କଂଗ୍ରେସ ପ୍ରଭାରୀ ଅଭିନାଶ ପାଣ୍ଡେ କହିଛନ୍ତି, “ମୁଁ ଆପଣମାନଙ୍କୁ ବେଶ ଖୁସିର ସହ କହିବାକୁ ଚାହୁଁଛି ଯେ ଜାତୀୟ କଂଗ୍ରେସ ଉତ୍ତର ପ୍ରଦେଶର ୧୭ଟି ଆସନରେ ପ୍ରାର୍ଥୀ ଦେବ। ବାକି ୬୩ଟି ଆସନରେ ଇଣ୍ଡିଆ ମେଣ୍ଟରେ ଥିବା ସପା ଓ ଅନ୍ୟ ଦଳଗୁଡ଼ିକ ଲଢ଼େଇ କରିବେ।”
ବୁଝାମଣା ଅନୁଯାୟୀ, କଂଗ୍ରେସ ତା’ର ପ୍ରାର୍ଥୀ ରାଏ ବରେଲୀ ଓ ଆମେଠିରେ ଦେବ। ଏହାବାଦ ଦଳ କାନପୁର ନଗର, ଫତେପୁର ସିକ୍ରି, ବାସଗାଓଁ, ସାହରନପୁର, ପ୍ରୟାଗରାଜ, ମହାରାଜଗଞ୍ଜ, ଅମରୋହା, ଝାନସୀ, ବୁଲନ୍ଦଶହର, ଗାଜିଆବାଦ, ମଥୁରା, ସୀତାପୁର, ବାରବାଙ୍କି ଓ ଦେଓରିଆରେ ପ୍ରାର୍ଥୀ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥୀ ହେଉଥିବା ବାରାଣସୀରେ ମଧ୍ୟ କଂଗ୍ରେସ ହିଁ ପ୍ରାର୍ଥୀ ଛିଡ଼ା କରିବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସପା ସହ ସିଟ ଶେୟାରିଂ ଫର୍ମୁଲା ଅନିଶ୍ଚିତତା ମଧ୍ୟରେ ରହିଥିଲା। କିନ୍ତୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିଜେ ଅଖିଲେଶ ଯାଦବଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଦୁଇ ଦଳ ବୁଝାମଣା କରି ଏକାଠି ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି।
ବୈଠକ ପରେ ପ୍ରିୟଙ୍କା ଓ ଅଖିଲେଶ ମେଣ୍ଟ ହେବା ନେଇ ସଙ୍କେତ ଦେଇଥିଲେ। ଏବେ ସତକୁ ସତ ଦୁଇ ଦଳ ମେଣ୍ଟ କରି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

nis-ad
Leave A Reply

Your email address will not be published.