ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ବାରାମତି ଆସନରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ପ୍ରାର୍ଥୀ ଭାବେ ମୈଦାନରେ ଓହ୍ଲାଇପାରନ୍ତି । ତେବେ ବରିଷ୍ଠ ନେତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ବର୍ତ୍ତମାନ ବାରାମତିର ସାଂସଦ ଅଛନ୍ତି । ସୁଲେ ହେଉଛନ୍ତି ଅଜିତ ପାୱାରଙ୍କ ସମ୍ପର୍କୀୟ ଭଉଣୀ।
ଆଉ ସୁପ୍ରିୟାଙ୍କ ବିପକ୍ଷରେ ସୁନେତ୍ରା ଲଢ଼ିବା ପ୍ରସଙ୍ଗକୁ ନେଇ ବରିଷ୍ଠ ନେତା ଶରଦ ପାୱାର କହିଛନ୍ତି ଯେ ଗଣତନ୍ତ୍ରରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମସ୍ତଙ୍କର ଅଧିକାର ରହିଛି। ଶରଦ ପାୱାର କହିଛନ୍ତି ଯେ ଯଦି କେହି ତାଙ୍କ ଅଧିକାର ବ୍ୟବହାର କରୁଛନ୍ତି ତେବେ ଅଭିଯୋଗ କରିବାର କୌଣସି କାରଣ ନାହିଁ। ଜନସାଧାରଣ ଜାଣନ୍ତି ଗତ ୫୫-୬୦ ବର୍ଷ ମଧ୍ୟରେ ଆମେ କଣ କରିଛୁ। ଅନ୍ୟପଟେ ଶରଦଙ୍କ ଗୋଷ୍ଠୀର ନେତା କହିଛନ୍ତି ଯେ ସୁପ୍ରିୟା ଯେତିକି କାମ କରିଛନ୍ତି ଓ ଭବିଷ୍ୟତରେ କରିବେ, ତାହା ଆଉ କେହି କରିପାରିବେ ନାହିଁ |
ବାରାମତିର ଲୋକମାନେ ଜାଣନ୍ତି କିଏ ସେମାନଙ୍କୁ ସେବା କରୁଛନ୍ତି ଏବଂ ସେମାନେ ନିଶ୍ଚିତ ଭାବରେ ସେମାନଙ୍କୁ ଭୋଟ୍ ଦେବେ। ଅନ୍ୟପଟେ ଅଜିତ ପାୱାର କହିଛନ୍ତି ଯେ ସେ ବାରାମତିରୁ ଏମିତି ଜଣେ ପ୍ରାର୍ଥୀଙ୍କୁ ଟିକେଟ ଦେବେ ଯିଏ ପୂର୍ବରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି କିନ୍ତୁ ସେହି ପ୍ରାର୍ଥୀଙ୍କର ଅନୁଭବୀ ସମର୍ଥକ ରହିଛନ୍ତି। ସେ ତାଙ୍କ ପତ୍ନୀଙ୍କ ନାମ ଯଦିଓ ଘୋଷଣା କରିନାହାଁନ୍ତି କିନ୍ତୁ ସୁନେତ୍ରା ପାୱାରଙ୍କ ଫଟୋ ଥିବା ପ୍ରଚାର ଗାଡି ଏବେ ସ୍ଥାନୀୟ ଅଞ୍ଚଳରେ ବୁଲୁଛି | ସୂଚନା ଥାଉ କି ଯେ ଗତ ବର୍ଷ ଜୁଲାଇରେ ଅଜିତ ପାୱାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ରେ ବିଦ୍ରୋହ କରି କକେଇ ଶରଦ ପାୱାରଙ୍କୁ ଛାଡି ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଦେଇଥିଲେ। ତାଙ୍କୁ ବିଜେପି-ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା।