କିଛି ସାଂସଦ ଭୟରେ ବାହାରକୁ ଦୌଡ଼ି ଥିଲେ। ହେଲେ କିଛି ସାଂସଦ ଭୟଭୀତ ନ ହୋଇ ଅନୁପ୍ରବେଶକାରୀ ଯୁବକକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। କଂଗ୍ରେସ ସାଂସଦ ଗୁରଜୀତ ସିଂହ ଔଜଲା ବେଶ ସାହସ ଦେଖାଇଥିଲେ।
ସେ ଅନୁପ୍ରବେଶକାରୀ ହାତରୁ ଗ୍ୟାସସ ଡବାକୁ ଛଡ଼ାଇ ଆଣି ବାହାରକୁ ଫିଙ୍ଗି ଦେଇଥିଲେ। ସେହିପରି କିଛି ସାଂସଦ ମଧ୍ୟ ଯୁବକ ଜଣକୁ ଧରିଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ତାକୁ ଓ ତା’ର ସହଯୋଗୀକୁ ବାହାରକୁ ନେଇଥିଲେ।
କଂଗ୍ରେସ ସାଂସ କାର୍ତ୍ତି ଚିଦାମ୍ବରମ କହିଛନ୍ତି, ଦୁଇ ଯୁବକ କିଛି ନାରା ଦେଇଥିଲେ ଓ ବାଚସ୍ପତିଙ୍କ ଆସନ ଆଡ଼କୁ ଯିବାକୁ ଚାହିଁଥିଲେ। ଏମାନଙ୍କ ବୟସ ପ୍ରାୟ ୨୦ ବର୍ଷ ଲେଖାଏ ହେବ। ସେମାନେ ହାତରେ ଗ୍ୟାସ ଡବା ଧରି ଆଗକୁ ଯିବା ପାଇଁ ଚେଷ୍ଟା କରିଥିଲେ। ଗ୍ୟାସ ସ୍ପ୍ରେ ଯୋଗୁ ପୂରା ଗୃହ ହଳଦିଆ ହୋଇଯାଇଥିଲା ବୋଲି ସେ କହିଛନ୍ତି।
ଜଣେ ଅନୁପ୍ରବେଶକାରୀକୁ କାବୁ କରିବା ସହ ଗ୍ୟାସ ଡବା ଛଡ଼ାଇ ଆଣିବାକୁ ସକ୍ଷମ ହୋଇଥିବା ଗୁରଜୀତ କହିଛନ୍ତି, “ଯୁବକ ଜଣକ ହାତରେ ଏମିତି କିଛି ଜିନିଷ ଧରିଥିଲା, ଯାହା ଭିତରୁ ହଳଦିଆ ଧୂଆଁ ବାହାରୁ ଥିଲା। ମୁଁ ତା’ଠାରୁ ଏହାକୁ ଛଡ଼ାଇ ଆଣିଥିଲି ଓ ବାହାକୁ ଫିଙ୍ଗି ଦେଇଥିଲି। ଏହା ବଡ଼ଧରଣର ସୁରକ୍ଷା ତ୍ରୁଟି। ସବୁ କିଛି ବହୁତ କମ ସମୟ ମଧ୍ୟରେ ହୋଇଥିଲା। ତେଣୁ ଭାବିବା ପାଇଁ କାହା ପାଖରେ ସମୟ ନଥିଲା।”
କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ କହିବା କଥା ଯେ ସାଂସଦମାନେ ମିଳିତ ଭାବେ ଦୁଇ ଅନୁପ୍ରେବଶକାରୀଙ୍କୁ କାବୁ କରିଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବାହାରକୁ ଆଣିଥିଲେ। ସୁରକ୍ଷାରେ ତ୍ରୁଟି ହୋଇଥିବା ଚୌଧୁରୀ କହିଛନ୍ତି।