ନୂଆଦିଲ୍ଲୀ: ଇସ୍ଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ଟିମ୍ ଶନିବାର ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୧ଟି ସ୍ଥାନରେ ଚଢ଼ାଉ କରି ୧୫ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ପୁଣେରୁ ଆସିଥିଲେ ଏବଂ ସେମାନେ ଇସ୍ଲାମିକ୍ ଷ୍ଟେଟ୍ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ।
କର୍ଣ୍ଣାଟକର କେତେକ ସ୍ଥାନରେ ଏନଆଇଏର ଚଢ଼ାଉ ଚାଲିଥିବା ବେଳେ ମହାରାଷ୍ଟ୍ରରେ ପୁଣେ, ଥାନେ ଗ୍ରାମୀଣ, ଥାନେ ସହର ଏବଂ ମୀରା ଭାୟନ୍ଦରରେ ଚଢ଼ାଉ ଜାରି ରହିଛି।
ଜାତୀୟ ତଦନ୍ତକାରୀ ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାରେ ଅନ୍ତର୍ଜାତୀୟ ସଂପୃକ୍ତି ଏବଂ ବିଦେଶୀ ଆଇଏସ୍ ଆଇଏସ୍ ହେଣ୍ଡଲରଙ୍କ ସମ୍ପୃକ୍ତି ଥିବା ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଭାରତ ଭିତରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଉଗ୍ରବାଦୀ ବିଚାରଧାରାର ପ୍ରଚାର ପ୍ରସାର ପାଇଁ ପ୍ରତିଶ୍ରୁତିବଦ୍ଧ ବ୍ୟକ୍ତିମାନଙ୍କର ଏକ ଜଟିଳ ନେଟୱାର୍କକୁ ତଦନ୍ତ କାଳରେ ପଦାକୁ ଆଣିବାରେ ଏନଆଇଏ ସଫଳ ହୋଇଛି।
ଏହି ନେଟୱାର୍କ ଆଇଏସଆଇଏସର ସ୍ୱୟଂଘୋଷିତ ଖଲିଫା (ନେତା)ଙ୍କ ପ୍ରତି ଆନୁଗତ୍ୟର ଶପଥ ନେଇଥିଲା ଏବଂ ଅତ୍ୟାଧୁନିକ ‘ଇମ୍ପ୍ରୋଭାଇଜଡ୍’ ବିସ୍ଫୋରକ ଉପକରଣ (ଆଇଇଡି) ନିର୍ମାଣରେ ସମ୍ପୃକ୍ତ ଥିବା ଜଣାପଡିଥିଲା। ଏହି ନେଟୱାର୍କ ଭାରତ ମାଟିରେ ଆତଙ୍କବାଦୀ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା ବୋଲି ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) କହିଛି।