ଓଡ଼ିଶା ଆସିଥିବା କେରଳର ଛାତ୍ରଛାତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଧୀନରେ ଆରମ୍ଭ ହୋଇଥିବା ଯୁବା ସଂଗମର ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଆସିଥିବା କେରଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢୁଥିବା ଯୁବବର୍ଗଙ୍କୁ ଭେଟି ସେମାନଙ୍କର ଅନୁଭୂତି ଶୁଣିଛନ୍ତି । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଲୋଚନା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ହେଉଛି ଏକ ଭାରତ-ଶ୍ରେଷ୍ଠ ଭାରତ । ଶିକ୍ଷାନୁଷ୍ଠାନ ଗୁଡିକରେ ଆଜିର ଯୁବପିଢିଙ୍କୁ ଭାରତର ବିଭିନ୍ନ ରାଜ୍ୟକୁ ନେଇ ପର୍ଯ୍ୟଟକ ଭାବରେ ଭ୍ରମଣ କରାଇବା ସହ ସେଠାକାର ସାମାଜିକ ସମ୍ପର୍କ ସହ ସଂସ୍କୃତି, ପରମ୍ପରା, ଖାଦ୍ୟଶୈଳୀକୁ ଅନୁଭବ କରାଇବା ପାଇଁ ନେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ଯୁବା ସଂଗମର ତୃତୀୟ ପର୍ଯ୍ୟାୟ ଶୁଭାରମ୍ଭ ହୋଇଥିବା ବେଳେ ଆଇଆଇଏମ ସମ୍ବଲପୁର ନେତୃତ୍ୱରେ କେରଳର ବିଭିନ୍ନ ଶିକ୍ଷାନୁଷ୍ଠାନର ୪୨ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆସିଛନ୍ତି । ସେମାନେ ସମ୍ବଲପୁର, ପୁରୀ ଓ ଭୁବନେଶ୍ୱର ସହର ସମେତ ଅନ୍ୟାନ୍ୟ ବୁଲି ସ୍ଥାନୀୟ କଳା, ସଂସ୍କୃତି ଓ ସାମାଜିକ ସମ୍ପର୍କକୁ ଅନୁଭବ କରିଛନ୍ତି । ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଜ୍ଞାନ ପରମ୍ପରାକୁ ନେଇ ଛାତ୍ରଛାତ୍ରୀମାନେ ଗର୍ବ ଅନୁଭବ କରିଛନ୍ତି । ଛାତ୍ରଛାତ୍ରୀମାନେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବା ସହିତ ସମାଜ ଜୀବନର ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ ଭେଟି ନିଜର ଖୁସି ପ୍ରକାଶ କରିଛନ୍ତି । ଏହିପରି ଭାବରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ମଧ୍ୟ କେରଳର ଏନଆଇଟି କାଲିକଟ୍ ନେତୃତ୍ୱରେ ସେହି ରାଜ୍ୟକୁ ଯାଇ ସମାନ ଅନୁଭବ ନେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଦେଶରେ ବିବିଧତା ମଧ୍ୟରେ ଆମେ କିପରି ଏକ ଅଛୁ, ତାହାକୁ ଯୁବାଶକ୍ତିଙ୍କ ମାଧ୍ୟମରେ ପ୍ରଦର୍ଶନ କରିବାର ଏହା ଅନନ୍ୟ ପ୍ରୟାସ । ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଯୁବା ସଂଗମ ଏକ ଭାରତ ଶ୍ରେଷ୍ଠ ଭାବନାକୁ ସୁଦୃଢ଼ କରୁଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଏହି ଆଲୋଚନା କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ଓ ସଂସଦୀୟ ରାଷ୍ଟ୍ର ମନ୍ତ୍ରୀ ଭି ମୂରଲିଧରନ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.