୮ ସପ୍ତାହ ମଧ୍ୟରେ ଉପଯୁକ୍ତ ପଦକ୍ଷେପ ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ ଏନ୍‌ଏଚ୍‌ଆରସିଙ୍କ ନିର୍ଦ୍ଦେଶ…

nhrc-750x430

ଭୁବନେଶ୍ବର: ଅପହଞ୍ଚ ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତର ଜନ୍ତାରି ଗାଁରେ ଗତ ପାଞ୍ଚ ମାସ ଭିତରେ ୯ ଜଣ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବିକ ଅଧିକାର କମିସନ (ଏନ୍‌ଏଚ୍‌ଆରସି) ଅବଗତ ହୋଇଛନ୍ତି। ଏନେଇ ଏନ୍‌ଏଚ୍‌ଆରସି ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ଜଣାଯାଏ ଯେ, କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ଜନ୍ତାରି ଗ୍ରାମ ଠାରୁ ୧୫ କିଲୋମିଟର ଦୂରରେ ଗୋନାସିକା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ସେହିପରି ଏହି ଗାଁ ଠାରୁ ୪୦ କିଲୋମିଟର ଦୂରରେ ବଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଥିବାରୁ ଲୋକେ ଏତେ ଦୂର ଆସିପାରୁନାହାଁନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି। ବିଗତ ଦିନରେ ୫ ମାସ ମଧ୍ୟରେ ୯ ଜଣ ଜୁଆଙ୍ଗ ଆଦିବାସୀଙ୍କର ମୃତ୍ୟୁ ହୋଇଥିଲା। ଏଥିର ୬ ବର୍ଷର ଶିଶୁ ମଧ୍ୟ ସାମିଲ ଥିଲା। ଏବେ ବି ଏହି ଗାଁରେ ୧୦ରୁ ଅଧିକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ପଡ଼ି ରହିଛନ୍ତି। ଏଠାକୁ ସ୍ୱାସ୍ଥ୍ୟ କର୍ମୀମାନେ କେବେ ଯାନ୍ତି ନାହିଁ।
ଏହି ଘଟଣାକୁ ଗୁରୁତ୍ବପୂର୍ଣ୍ଣ ମନେ କରି ହାଇକୋର୍ଟର ଆଇନଜୀବୀ ଶ୍ରୀ ଅଖଣ୍ଡ ଗତ ୮ ତାରିଖରେ ଜାତୀୟ ମାନବିକ ଅଧିକାର କମିସନଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ। ଏହାକୁ ବିଚାର କରି ଆଠ ସପ୍ତାହ ମଧ୍ୟରେ ଏହି ଘଟଣାର ତଦନ୍ତ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ କମିସନ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ବିଭାଗୀୟ ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ମଧ୍ୟ କମିସନ ନିର୍ଦ୍ଦେଶ ଦେଇଛନ୍ତି।

nis-ad
Leave A Reply

Your email address will not be published.