ବୁଣାକାରଙ୍କୁ ମିଳିବ ୧.୩୦ ଲକ୍ଷ ଟଙ୍କାର ଅନୁଦାନ, ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଲା ମହାସଂଘ…

bun

ଭୁବନେଶ୍ୱର : ରାଜ୍ୟର ବୁଣାକାର ଏବଂ ଆନୁଷଙ୍ଗିକ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କର ବଡ଼ ସମସ୍ୟା ଦୂର କରିଛନ୍ତି ରାଜ୍ୟ ସରକାର। ଇନ୍ଦିରା ଆବାସ ଯୋଜନା/ବିଜୁ ପକ୍କା ଘର/ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ବୁଣାକାରଙ୍କୁ ନିଜ ବାସଗୃହ ପାଖରେ କର୍ମସ୍ଥଳ ଅବା ତନ୍ତଶାଳା ନିର୍ମାଣ ପାଇଁ ଅଧିକ ସ୍ଥାନ ମିଳିବ। ଏଥିଲାଗି ଉଦ୍ଦିଷ୍ଟ ନିୟମରେ ପରିବର୍ତ୍ତନ କରାଯାଇଛି। ବୁଣାକାରମାନଙ୍କ ଏକ ପ୍ରମୁଖ ସମସ୍ୟା ଦୂର କରିଥିବାରୁ ଓଡ଼ିଶା ବୁଣାକାର ମହାସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏ ନେଇ ଆଜି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ସରକାରୀ ବାସଗୃହ ଯୋଜନାରେ ସାମିଲ ହୋଇଥିବା ବୁଣାକାରମାନଙ୍କ ପାଇଁ ବାସଗୃହ ସହ ତନ୍ତଶାଳା ନିର୍ମାଣ ବ୍ୟବସ୍ଥା ହୋଇଛି। ଲୁଗା ବୁଣିବା ଏବଂ ଏଥିରେ ବ୍ୟବହୃତ ମୂଲ୍ୟବାନ୍‌‌ ସାମଗ୍ରୀକୁ ସୁରକ୍ଷିତ ଭାବେ ରଖିବା ଲାଗି ପର୍ଯ୍ୟାପ୍ତ ସ୍ଥାନର ଅଭାବ ଦେଖାଦେଉଥିଲା। ଏହାଦ୍ବାରା ସେମାନଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହେଉଥିଲା। ଏନେଇ ଓଡ଼ିଶା ବୁଣାକାର ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାକୁ ବିଚାର କରି ସରକାର ବିହିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ନିଷ୍ପତ୍ତି ଅନୁସାରେ, ତନ୍ତଶାଳାର ସମୁଦାୟ ଆୟତନ ୨୨ବର୍ଗମିଟର (୨୪୦ ବର୍ଗଫୁଟ୍‌‌) ରହିବ। ତନ୍ତଶାଳା ପାଇଁ ପକ୍କାଘର ନିର୍ମାଣ କରିବା ଲାଗି ଆର୍ଥିକ ସହାୟତା ମିଳିବ। ଇଣ୍ଟିଗ୍ରେଟେଡ୍‌‌ ଆକ୍ସନ୍‌‌ ପ୍ଲାନ୍‌‌ (ଆଇଏପି)ରେ ଅନ୍ତର୍ଭୁକ୍ତ ଜିଲ୍ଲାର ବୁଣାକାରମାନଙ୍କୁ ତନ୍ତଶାଳା ନିର୍ମାଣ ଲାଗି ୧, ୩୦, ୦୦୦ ଟଙ୍କା ଏବଂ ଅଣ ଆଇଏପି ଜିଲ୍ଲାର ବୁଣାକାରଙ୍କୁ ୧, ୨୦, ୦୦୦ ଟଙ୍କା ମିଳିବ। ସେହିପରି ଦିବ୍ୟାଙ୍ଗ ବୁଣାକାର ଏବଂ ଆନୁସଙ୍ଗିକ କାମରେ ନିୟୋଜିତ କର୍ମଚାରୀଙ୍କୁ ଅତିରିକ୍ତ ଭାବେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ।

ଏଥିସହ ଯେଉଁ ବୁଣାକାର ପ୍ରଥମ କିସ୍ତି ପାଇବାର ତିନି ମାସ ଓ ଚାରିମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ତନ୍ତଶାଳା ନିର୍ମାଣ କାର୍ଯ୍ୟ ଶେଷ କରିବେ, ସେମାନଙ୍କୁ ପ୍ରୋତ୍ସାହନ ବାବଦରେ ଯଥାକ୍ରମେ ୨୦ହଜାର ଟଙ୍କା ଏବଂ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ଚାରିଟି କିସ୍ତିରେ ହିତାଧିକାରୀଙ୍କୁ ଆର୍ଥିକ ଅନୁଦାନ ଡିବିଟି ମାଧ୍ୟମରେ ମିଳିବ। ପ୍ରଥମ କିସ୍ତି ମିଳିବାର ଅତିବେଶିରେ ୬ମାସ ଭିତରେ କାମ ଶେଷ କରିବା ଜରୁରୀ। ଆର୍ଥିକ ସହାୟତା ପାଇବା ଲାଗି ହିତାଧିକାରୀମାନେ ଅନ୍‌‌ଲାଇନ୍‌‌ ମାଧ୍ୟମରେ ହସ୍ତତନ୍ତରୁ ଆୟ ସମ୍ପର୍କିତ ସତ୍ୟପାଠ ସହିତ ତହସିଲଦାରଙ୍କଠାରୁ ପ୍ରାପ୍ତ ଆୟ ପ୍ରମାଣପତ୍ର, ଜମି ପଟ୍ଟା ନକଲ, ଆଧାର କାର୍ଡର ନକଲ, ବ୍ୟାଙ୍କ ପାସ୍‌‌ବୁକ୍‌‌ର ପ୍ରଥମ ପୃଷ୍ଠାର ନକଲ ସହିତ ଆବେଦନ କରିବେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଏହି ଆବେଦନପତ୍ର ସମୀକ୍ଷା କରି ଅନୁମୋଦନ ପାଇଁ ପଦକ୍ଷେପ ନେବେ। ଆବେଦନପତ୍ର ଅନୁମୋଦନ ସମୟରେ ବିଧବା, ଅସହାୟ, ଛାଡ଼ପତ୍ର ପ୍ରାପ୍ତ ମହିଳା, ଦିବ୍ୟାଙ୍ଗ (୫୦%ରୁ ଅଧିକ ଅକ୍ଷମତା), ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ୪୦ବର୍ଷରୁ ଅଧିକ ବୟସର ଆବେଦନକାରୀଙ୍କୁ ଅଗ୍ରାଧିକାର ମିଳିବ। ଜୋନ୍‌‌ସ୍ତରୀୟ ବୟନ କାର୍ଯ୍ୟାଳୟ ଏହି କାର୍ଯ୍ୟକ୍ରମର ପରିଚାଳନା କରିବ।

nis-ad
Leave A Reply

Your email address will not be published.