ଓଡ଼ିଶା ଜଳବିଜ୍ଞାନ ତଥ୍ୟ କେନ୍ଦ୍ର ଉଦ୍‌ଘାଟିତ…

fshfhfhfhfhfh-750x430

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ଜଳସମ୍ପଦ ବିଭାଗରେ ଓଡ଼ିଶା ଜଳବିଜ୍ଞାନ ତଥ୍ୟ କେନ୍ଦ୍ର(ହାଇଡ୍ରୋଲୋଜିକାଲ୍‌ ଡାଟା ସେଣ୍ଟର୍‌)ର ଉଦ୍‌ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଜଳସଂପଦର ସୁପରିଚାଳନା ପାଇଁ ପାଣିପାଗଜନିତ ତଥ୍ୟର ବୈଜ୍ଞାନିକ ବିଶ୍ଳେଷଣ କରାଯିବ। ବର୍ଷା, ନଦୀ ଜଳ ଓ ଜଳାଶୟମାନଙ୍କର ଜଳଧାରଣ କ୍ଷମତାର ଠିକ୍‌ ସମୟାନୁକ୍ରମିକ ତଥ୍ୟ ସଂଗ୍ରହ କରାଯାଇ ଏହାର ବିଶ୍ଳେଷଣ ହେବ। ରାଜ୍ୟ ଜଳବିଜ୍ଞାନ ତଥ୍ୟ କେନ୍ଦ୍ର ଦ୍ୱାରା ଜଳସମ୍ପଦ ବିଭାଗର ଦକ୍ଷତା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇବ। ଏହି କେନ୍ଦ୍ରରେ ପାଣିପାଗ, ବର୍ଷା, ନଦୀ ମାନଙ୍କର ଜଳପ୍ରବାହ, ଭୂତଳ ଜଳ ତଥା ଜଳାଶୟ ମାନଙ୍କରେ ଉପଲବ୍ଧ ହେଉଥିବା ଜଳର ଆକଳନ ଆଦିର ତଥ୍ୟ କମ୍ପ୍ୟୁଟର ମାଧ୍ୟମରେ ସଂଗ୍ରହ କରାଯିବ। ଜଳସଂପଦ ବିଭାଗ, ସୂଚନା ପ୍ରଯୁକ୍ତି ଓ ଜଳବିଜ୍ଞାନର ସହାୟତାରେ ଏ ସଂପର୍କିତ ସମସ୍ତ ତଥ୍ୟ ସଂଗ୍ରହ, ସଂରକ୍ଷଣ ତଥା ବିଶ୍ଳେଷଣ କରାଯିବ।

ରାଜ୍ୟ ଜଳବିଜ୍ଞାନ କେନ୍ଦ୍ରର ପରିଚାଳନା, ବିଭାଗର ତୃଣମୂଳସ୍ତର ତଥା ଅନ୍ତର୍ବିଭାଗୀୟ ସମନ୍ୱୟ ରକ୍ଷା, ବନ୍ୟା ବିପର୍ଯ୍ୟୟ ସମୟରେ ୨୪ ଘଣ୍ଟିଆ ତଦାରଖ ଓ ନିର୍ଦ୍ଦେଶନା କାର୍ଯ୍ୟନିର୍ବାହ କରିବା ପାଇଁ ଏକ ସମନ୍ୱିତ ନିର୍ଦ୍ଦେଶ ନିୟନ୍ତ୍ରଣ କେନ୍ଦ୍ର (ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ‌କଣ୍ଟ୍ରୋଲ ସେଣ୍ଟର) ମଧ୍ୟ ଗଠନ କରାଯାଇଛି। ଜଳସମ୍ପଦ ବିଭାଗର ସୂଚନା ଓ ଜଳବିଜ୍ଞାନରେ ରୁଚି ରଖିଥିବା ଯନ୍ତ୍ରୀମାନେ ଏଥିରେ ନିୟୋଜିତ ହୋଇଛନ୍ତି। ଜଳସମ୍ପଦ ବିଭାଗ (ରାଜୀବ ଭବନ)ର ୮ମ ମହଲାରେ ଆନୁଷଙ୍ଗିକ ସୁବିଧା ସହ ଏହି ତଥ୍ୟ କେନ୍ଦ୍ର ଅବସ୍ଥାପିତ ହୋଇଛି।

ଉଲ୍ଲେଖ ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିହତ କରିବା ପାଇଁ ଜଳସଂପଦର ବିକାଶ ସହିତ ଜଳ ସୁପରିଚାଳନାର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଛି। ଦୈନନ୍ଦିନ ଓ ବର୍ଷା ଋତୁରେ ଘଣ୍ଟା ପ୍ରତି ସଂଗୃହୀତ ଏହି ତଥ୍ୟ ସମୂହରୁ ଜଳ ଉତ୍ସଗୁଡ଼ିକର ମୂଲ୍ୟାଙ୍କନ, ବର୍ଷା ପୂର୍ବାନୁମାନ, ବର୍ଷାଜନିତ ବିପର୍ଯ୍ୟୟ ପରିଚାଳନା, କୃଷି ପାଇଁ କେନାଲ ମାଧ୍ୟମରେ ଜଳ ଯୋଗାଣ, କ୍ଷୁଦ୍ର, ମଧ୍ୟମ ଓ ବୃହତ ଜଳଭଣ୍ଡାରମାନଙ୍କର ପରିଚାଳନା ଆଦି କାର୍ଯ୍ୟ ଏହି ଜଳବିଜ୍ଞାନ ତଥ୍ୟ କେନ୍ଦ୍ର ମାଧ୍ୟମରେ କରାଯିବ। ଏହାବାଦ୍ କୃଷି ଓ କୃଷକ ସଶକ୍ତୀକରଣ, ସ୍ୱତନ୍ତ୍ର ରିଲିଫ କମିସନର ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆଦି ଆନ୍ତ ବିଭାଗୀୟ ବ୍ୟବହାର ଓ ବିଶ୍ଳେଷଣ ପାଇଁ ଜଳବିଜ୍ଞାନ କେନ୍ଦ୍ରର ତଥ୍ୟ ଯୋଗାଇ ଦିଆଯିବ। ଏଥିପାଇଁ ଜଳସମ୍ପଦ ବିଭାଗର ୱାଟର ଇଆରପି ପୋର୍ଟାଲର ପରିକଳ୍ପନା ଓ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। କାର୍ଯ୍ୟକ୍ରମରେ ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ, ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ, ଉନ୍ନୟନ କମିସନର ଅନୁ ଗର୍ଗ, ସ୍ୱତନ୍ତ୍ର ରିଲିଫ୍ କମିସନର ସତ୍ୟବ୍ରତ ସାହୁ ଓ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.