ନେପାଳ ସରକାରଙ୍କ ମୁଖପାତ୍ର ରେଖା ଶର୍ମା କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଏକ ମୌଳିକ ଅଧିକାର, କିନ୍ତୁ ଟିକ୍ ଟକ୍ କୁ ନିଷିଦ୍ଧ କରିବା ର ନିଷ୍ପତ୍ତି ଏହି ପ୍ଲାଟଫର୍ମରେ କାର୍ଯ୍ୟକଳାପରୁ ସୃଷ୍ଟି ହୋଇଛି ଯାହା ନେପାଳରେ ସାମାଜିକ ସୌହାର୍ଦ୍ଦ୍ୟକୁ ବ୍ୟାହତ କରୁଥିବା ବୋଲି ବିଶ୍ୱାସ କରାଯାଉଛି । ରିପୋର୍ଟ ଅନୁଯାୟୀ, ଗତ ୪ ବର୍ଷ ମଧ୍ୟରେ ଏହି ଚାଇନିଜ୍ ଆପରେ ୧୬୪୭ଟି ସାଇବର ଅପରାଧ ମାମଲା ସାମ୍ନାକୁ ଆସିଛି। ନେପାଳ ପୋଲିସର ସାଇବର ବ୍ୟୁରୋ, ଗୃହ ମନ୍ତ୍ରଣାଳୟ ଏବଂ ଟିକଟକ୍ ର ପ୍ରତିନିଧିମାନେ ଗତ ସପ୍ତାହ ପ୍ରାରମ୍ଭରେ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ।
ସୋସିଆଲ ମିଡିଆ କମ୍ପାନିମାନଙ୍କ ପାଇଁ ନେପାଳ ସରକାର ନୂଆ ନିୟମ ଆଣିଛନ୍ତି । ନୂଆ ନିୟମ ଅନୁଯାୟୀ ନେପାଳରେ ସକ୍ରିୟ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ନେପାଳରେ ନିଜର କାର୍ଯ୍ୟାଳୟ ଖୋଲିବାକୁ ପଡିବ । ଗତ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଫେସବୁକ, ଏକ୍ସ (ପୂର୍ବରୁ ଟ୍ୱିଟର), ଟିକ୍ ଟକ୍ ଏବଂ ୟୁଟ୍ୟୁବ୍ ଭଳି ସୋସିଆଲ ମିଡିଆ ସାଇଟ୍ ଗୁଡ଼ିକ ପାଇଁ ନେପାଳରେ ସେମାନଙ୍କର କାର୍ଯ୍ୟାଳୟ ଖୋଲିବା ବାଧ୍ୟତାମୂଳକ କରାଯାଇଥିଲା।