ଇସ୍ରାଏଲ ରାତିକରେ ୪୫୦ ଟାର୍ଗେଟ୍‌ ଧ୍ବଂସ…

gaz

ତେଲ ଅଭିଭ: ଇସ୍ରାଏଲ-ହମାସ ଯୁଦ୍ଧକୁ ମଙ୍ଗଳବାର ଏକ ମାସ ପୂରିଥିବା ବେଳେ ଲଢ଼େଇ ଥମିବାର ନାଁ ଧରୁନାହିଁ। ଇସ୍ରାଏଲ ସେନା ସୋମବାର ଉତ୍ତର ଗାଜାରେ ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଜାରି ରହିଛି। ଇସ୍ରାଏଲ ସେନା ରବିବାର ବିଳମ୍ବିତ ରାତିରେ ଘୋଷଣା କରିଥିଲା ଯେ ସେମାନେ ଗାଜା ସିଟିକୁ ଘେରାଉ କରିଛନ୍ତି ଏବଂ ଏହାକୁ ଉତ୍ତର-ଦକ୍ଷିଣ ଭାବେ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ତେବେ ଗାଜାକୁ ସହାୟତା ଯୋଗାଣ ଓ ବନ୍ଦୀମାନଙ୍କ ମୁକ୍ତି ପାଇଁ ‘ରଣନୈତିକ ସାମୟିକ ଯୁଦ୍ଧବିରତି’ ପାଇଁ ଇସ୍ରାଏଲ ରାଜି ହୋଇଥିବା ଜଣାପଡ଼ିଛି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ତାଙ୍କ ଦେଶ ଗାଜାକୁ ମାନବିକ ସହାୟତା ଯୋଗାଣ ଏବଂ ବନ୍ଦୀମାନଙ୍କୁ ବାହାର କରିବା ପାଇଁ ‘ରଣନୀତିକ ଯୁଦ୍ଧବିରତି’ ଉପରେ ବିଚାର କରିବ। ହ୍ୱାଇଟ୍ ହାଉସ୍ ମୁଖପାତ୍ର ଜନ୍ କିର୍ବି ମଧ୍ୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ନେତନ୍ୟାହୁଙ୍କ ଆଲୋଚନା ସମ୍ପର୍କରେ ସୂଚନା ଦେବା ସମୟରେ ‘ରଣନୈତିକ ବିରତି’ ବିଷୟରେ ଉଲ୍ଲେଖ କରିଛନ୍ତି। ଆମେରିକା ଓ ଇସ୍ରାଏଲ ସରକାର ଏଭଳି ସମ୍ଭାବ୍ୟ ଅସ୍ଥାୟୀ ବିରତି ସମ୍ପର୍କରେ ଯୋଗାଯୋଗରେ ରହିବେ ବୋଲି କିର୍ବି କହିଛନ୍ତି। ଦକ୍ଷିଣ ଆଫ୍ରିକା ଗାଜା ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହ ଇସ୍ରାଏଲରୁ ନିଜର କୂଟନୀତିଜ୍ଞମାନଙ୍କୁ ଫେରାଇ ଆଣିବାକୁ ଘୋଷଣା କରିଛି। ଇସ୍ରାଏଲ ସୋମବାର ଦକ୍ଷିଣ ଆଫ୍ରିକାର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛି।
ଅକ୍ଟୋବର ୭ରେ ଆତଙ୍କବାଦୀ ସଙ୍ଗଠନର ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲର ପ୍ରତିଆକ୍ରମଣରେ ପାଲେଷ୍ଟାଇନରେ ମୃତ୍ୟୁ ସଂଖ୍ୟା ୧୦,୦୦୦ ଅତିକ୍ରମ କରିଛି। ଅନ୍ୟପକ୍ଷରେ ହମାସ ଆକ୍ରମଣରେ ୧୪୦୦ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କୁ ଗାଜାପଟିରେ ବନ୍ଧକ ରଖାଯାଇଛି। ହମାସ ଏପର୍ଯ୍ୟନ୍ତ ୪ ଜଣ ବନ୍ଧକଙ୍କୁ ମୁକ୍ତ କରିଛି। ଗାଜା ପରିସ୍ଥିତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ସୋମବାର କହିଛନ୍ତି ଯେ ଏହି ଅଞ୍ଚଳ ‘ପିଲାମାନଙ୍କ ପାଇଁ କବରସ୍ଥାନ’ରେ ପରିଣତ ହେଉଛି।
ଇସ୍ରାଏଲ କହିଛି ଯେ ସେ ଗତରାତିରେ ୪୫୦ଟି ଟାର୍ଗେଟ ଉପରେ ଆକ୍ରମଣ କରି ଏ‌ହାକୁ ଧ୍ବସ୍ତ କରାଯାଇଛି ଏବଂ ଏକାଧିକ ହମାସ କମାଣ୍ଡର ନିପାତ ହୋଇଛନ୍ତି। ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ଆତଙ୍କବାଦୀ ସଂଗଠନ ଦାୟୀ କାରଣ ସେମାନେ ଆବାସିକ ଅଞ୍ଚଳରେ ରହି କାର୍ଯ୍ୟ କରୁଛନ୍ତି ବୋଲି ଇସ୍ରାଏଲ କହିଛି। ରାତିସାରା ଆକ୍ରମଣ ଯୋଗୁଁ ଶାଟି ଶରଣାର୍ଥୀ ଶିବିରର ଘରଗୁଡ଼ିକ ମଧ୍ୟ ଭାଙ୍ଗି ଯାଇଥିଲା।

nis-ad
Leave A Reply

Your email address will not be published.