ମୁଖଗହ୍ବର କ୍ୟାନସର୍‌ ଶୀଘ୍ର ଚିହ୍ନଟ ହେବ…

sfhsfhfhfshh-750x430

ଭୁବନେଶ୍ବର: ରାଜ୍ୟର ଜଣେ ମହିଳା ଡାକ୍ତର ଏକ ଅଭିନବ ନିଦାନ ଉତ୍ପାଦ ବିକାଶ କରିଛନ୍ତି ଯାହା ମୁଖଗହ୍ବର କ୍ୟାନସର ନିଦାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ସେ ହେଉଛନ୍ତି ଡାକ୍ତର ସ୍ବାଗତିକା ପଣ୍ଡା। ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡେଣ୍ଟାଲ୍‌ ସାଇନ୍‌ସେସ୍‌ରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ସ୍ବାଗତିକାଙ୍କ ସେହି ଉତ୍ପାଦକୁ ଦେଶର ଅଗ୍ରଣୀ ଔଷଧ କଂପାନି ସୁପ୍ରିୟା ଲାଇଫ୍‌ ସାଇନ୍‌ସେସ୍‌ କିଣିଛି।
ଉତ୍ପାଦ ସମ୍ପର୍କରେ ସ୍ବାଗତିକା କହିଛନ୍ତି ଯେ ସାଧାରଣତଃ ମୁଖଗହ୍ବର କ୍ୟାନସରର ନିଦାନ କରିବା ଲାଗି ୧୦ ଦିନ ସମୟ ଲାଗିଯାଏ। ଏହି କାମ କିଭଳି ଶୀଘ୍ର ହୋଇପାରିବ ତାହା ଭାବି ମୁଁ ଏହି ଉତ୍ପାଦ ବିକାଶ କରିଛି। ମୁଁ ଯାହା ବିକାଶ କରିଛି ତାହା ଏକ ରଙ୍ଗ ଭଳି ଉପାଦାନ ଯାହାକୁ ପାଟି ଭିତରେ ହୋଇଥିବା ଘା’ରେ ଲଗାଇଲେ ସେଥିରେ କ୍ୟାନସର ରୋଗ ତତ୍ତ୍ବ ରହିଛି ନା ନାହିଁ ଜଣାପଡ଼ୁଛି। ୫୦୦ ରୋଗୀଙ୍କଠାରେ ତାହାର ପରୀକ୍ଷଣ କରାଯାଇଥିଲା ଯାହାର ସଫଳତା ହାର ୯୬ ପ୍ରତିଶତରୁ ଅଧିକ ଥିଲା। ଏହି ଉତ୍ପାଦ ବିକାଶ କରିବା ଲାଗି ମୋତେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ଶିଳ୍ପ ଗବେଷଣା ସହାୟତା ପରିଷଦ (ବାଇରାକ୍‌) ଓ ଷ୍ଟାର୍ଟଅପ୍‌ ଓଡ଼ିଶାଠାରୁ ପାଣ୍ଠି ମିଳିଥିଲା। ୨୦୨୨ ମାର୍ଚ୍ଚରେ ଏଥିପାଇଁ ମୁଁ ପେଟେଣ୍ଟ୍‌ ମଧ୍ୟ ପାଇଥିଲି। ଏହାକୁ ଔଷଧ କ୍ଷେତ୍ରର ନିୟାମକ ସଂସ୍ଥା ଡିସିଜିଆଇର ଅନୁମୋଦନ ମଧ୍ୟ ମିଳିଛି। କିଟ୍‌-ଟିବିଆଇରେ ସହଯୋଗରେ ‌ଏହି ଉତ୍ପାଦ ଔଷଧ କଂପାନି ପାଖରେ ପହଞ୍ଚିପାରିଥିବା ସ୍ବାଗତିକା କହିଛନ୍ତି।

ସେହିପରି ଝାଡ଼ଖଣ୍ଡର ଅଶୋକ ସାରୋନ ବିକାଶ କରିଥିବା ଏକ କ୍ଷତ ଭରଣା କ୍ରିମ୍‌ର ମୂଳ ଫର୍ମୁଲାକୁ ମଧ୍ୟ ସୁପ୍ରିୟା ଲାଇଫ୍ ସାଇନ୍‌ସେସ୍‌ କିଣିଛି। ଦୁଇଟି ଉତ୍ପାଦ ଲାଗି ସୁପ୍ରିୟା ଲାଇଫ୍‌ ସାଇନ୍‌ସେସ୍‌ର ସିଏମ୍‌ଡି ଡକ୍ଟର ସତୀଶ ବମନ ୱାଘ ଓ କିଟ୍ ବିଶ୍ବବିଦ୍ୟାଳୟର ଡିଜି (ଆର୍‌ଆଣ୍ଡ୍‌ଡି) ଡକ୍ଟର ମୃତ୍ୟୁଞ୍ଜୟ ସୁଆରଙ୍କ ମଧ୍ୟରେ ଏହି ବୁଝାମଣା ସ୍ବାକ୍ଷର ହୋଇଛି। ଶିକ୍ଷାନୁଷ୍ଠାନର ନବସୃଜନକୁ ଶିଳ୍ପ ଜଗତ ବ୍ୟବହାର କରିବା ଦିଗରେ ଏହି ଚୁକ୍ତି ଏକ ବଡ଼ ଉପଲବ୍ଧି ବୋଲି କିଟ୍‌-ଟିବିଆଇର ଟେକ୍ନୋଲୋଜି ଟ୍ରାନ୍ସଫର ଅଫିସ ମୁଖ୍ୟ ଡକ୍ଟର ଅମରେଶ ପଣ୍ଡା କହିଛନ୍ତି।

nis-ad
Leave A Reply

Your email address will not be published.