ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୮ ଲକ୍ଷ ଇନାମି ମାଓବାଦୀ ନିହତ, ବହୁ ମାଓ ସାମଗ୍ରୀ ଜବତ….


ମାଲକାନଗିରି,: ୧୭।୧୦ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବୀଜାପୁର ଜିଲ୍ଲାରେ ଆଜି ପୁଣି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯେଉଁଥିରେ ପୋଲିସ ଗୁଳିରେ ଜଣେ ୮ ଲକ୍ଷ ଇନାମି ମାଓବାଦୀ ନିହତ ହୋଇଥିବା ବେଳେ ସେଠାରୁ ଅନେକ ମାଓ ସାମଗ୍ରୀ, ବନ୍ଧୁକ ଓ ଗୋଳା ବାରୁଦ ଜବତ ହୋଇଛି । ସୂଚନା ଅନୁଯାୟୀ ଛତିଶଗଡର ବିଜାପୁରରୁ ଜିଲ୍ଲାରେ ମାଓ ଦମନ ସର୍ଚ ଅପରେସନ ପାଇଁ ଡିଆରଜି ଯବାନ, ପୋଲିସ ଟିମ, ଏସଟିଏଫ ସହ ସ୍ଵତନ୍ତ୍ର ଯବାନଙ୍କ ଏକ ମିଳିତ ଟିମ ବାହାରିଥିଲେ । ମଦେଡ ଥାନା ଅଞ୍ଚଳରେ ଥିବା ଜଙ୍ଗଲରେ ସର୍ଚ ଅପରେସନ ବେଳେ ବନ୍ଦେପାରା ଜଙ୍ଗଲରେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ମାଓବାଦୀ ମାନେ ପୋଲିସ ଟିମକୁ ଦେଖି ତାଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହାର ଜବାବରେ ପୋଲିସ ଟିମ ମଧ୍ୟ ଗୁଳି ଚାଳନା କରାଯାଇଥିଲା । ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ପୋଲିସର ସାମ୍ନା କରି ନପାରି ମାଓବାଦୀ ମାନେ ଜଙ୍ଗଲ ମଧ୍ୟରେ ଲୁଚି ପଳାଇଥିଲେ । ଗୁଳି ବିନିମୟ ବନ୍ଦ ହେବା ପରେ ପୋଲିସ ଟିମ ଘଟଣା ସ୍ଥଳରେ ସର୍ଚ ଅପରେସନ କରିଥିଲା । ଏହି ସର୍ଚ ଅପରେସନ ବେଳେ ଗୋଟିଏ ମାଓ ପୋଷାକ ଧାରୀ ପୁରୁଷ ମାଓବାଦୀର ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା । ଏହା ସହ ଘଟଣା ସ୍ଥାଲରୁ ଗୋଟିଏ ଏକେ ୪୭ ରାଇଫଲ, ଏହାର ୩ ମାଗାଜିନ୍ ତଥା ୫୪ ରାଉଣ୍ଡ ଗୁଳି, ବିସ୍ଫୋରକ ସାମଗ୍ରୀ, ମାଓ ସାହିତ୍ୟ, ୟୁନିଫର୍ମ, ବ୍ୟାନର, ବିଦ୍ୟୁତ ତାର ଏବଂ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉଦ୍ଧାର କରାଯାଇଛି । ତେବେ ମୃତ ମାଓବାଦୀ ଜଣଙ୍କ ମାଓ ସଙ୍ଗଠନର ଡିଭିସିଏମ୍ ନାଗେଶ ପଦ୍ମ ବୋଲି ଜଣା ପଡିଥିବା ବେଳେ ତା ନାମରେ ପୂର୍ବରୁ ସରକାର ୮ ଲକ୍ଷ ଟଙ୍କାର ଇନାମ ଘୋଷଣା କରିଥିବା ଜଣା ପଡିଛି । ଏହି ଗୁଳି ବିନିମୟରେ ଅନେକ ମାଓବାଦୀ ଆହତ ହୋଇଥିବା ମଧ୍ୟ କୁହାଯାଉଥିବା ବେଳେ ବର୍ତ୍ତମାନ ମଧ୍ୟ ଘଟଣା ସ୍ଥଳରେ ସର୍ଚ ଅପରେସନ ଜାରି ରହିଥିବା ଜଣା ପଡିଛି । ତେବେ ମୃତ ମାଓବାଦୀ ନାମରେ ବିଭିନ୍ନ ପୋଲିସ ଷ୍ଟେସନରେ ମୋଟ ୧୦୮ଟି ମାମଲା ରହିଥିବା ବେଳେ ତାର ମୃତ୍ୟୁ ପୋଲିସ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି ।

nis-ad
Leave A Reply

Your email address will not be published.