ଲୁଟ୍‌ ଟଙ୍କାକୁ କ୍ଲବ୍‌ରେ ଉଡ଼ାଉଥିଲେ କ୍ରାଇମ୍‌ କୁଇନ୍‌ ମୁସ୍କାନ

Lootera_1697281128

ଭୁବନେଶ୍ୱର : ରୂପ ଦେଖାଇ ଟ୍ରେନ୍‌ ଯାତ୍ରୀ ଓ ଯବାନଙ୍କୁ ଫସାଇ ନିଶା ଦେଇ ଲୁଟ୍‌ ଘଟଣାରେ ଗିରଫ ହୋଇଥିବା କ୍ରାଇମ୍‌ କୁଇନ୍‌ ମୁସ୍କାନ ଓରଫ ସାରିଫ ଖାନ୍‌ଙ୍କ ସହ ୩ ସହଯୋଗୀ ଏବେ ଜେଲ୍‌ରେ ଅଛନ୍ତି। ମୁସ୍କାନ ଓ ତାଙ୍କ ଗ୍ୟାଙ୍ଗ୍‌ର ଗୋଟିକ ପରେ ଗୋଟିଏ ଅପରାଧ ସାମ୍ନାକୁ ଆସୁଥିବାବେଳେ ଫେରାର ଥିବା ମୁଖ୍ୟ ସହଯୋଗୀଙ୍କୁ ଖାରବେଳନଗର ଥାନା ପୋଲିସ ବଡ଼ଗଡ଼ ଅଞ୍ଚଳରୁ ଗିରଫ କରିବା ପରେ ଗ୍ୟାଙ୍ଗ୍‌ର ବଡ଼ ଆପରାଧିକ ପୃଷ୍ଠଭୂମି ପଦାକୁ ଆସିଛି। ଗିରଫ ଅଭିଯୁକ୍ତ ହେଲେ ଧଉଳି ଅଞ୍ଚଳର ରାକେଶ ମହାନ୍ତି ଓରଫ ଚିଣ୍ଟୁ। ସୋମବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଚିଣ୍ଟୁଙ୍କୁ ବିଭାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଚିଣ୍ଟୁଙ୍କ ନାମରେ ଭୁବନେଶ୍ବରର ବିଭିନ୍ନ ଥାନାରେ ପୂର୍ବରୁ ରାହାଜାନି, ହଣାକଟା, ଫାୟାରିଂ ଭଳି ୨୨ରୁ ଅଧିକ ଆପରାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି। ଅପରପକ୍ଷେ କ୍ରାଇମ୍‌ କୁଇନ ମୁସ୍କାନ ନାଇଟ୍‌ କ୍ଲବ୍‌ ଓ ଡ୍ୟାନ୍ସ ବାର୍‌ରେ ସହଯୋଗୀଙ୍କୁ ଧରି ମଉଜମସ୍ତି କରିବା ସହ ନାଚୁଥିବା ଭିଡିଓ ଭାଇରାଲ ହୋଇଛି। ଲୁଟ୍‌ ଟଙ୍କାରେ ଏସବୁ କରୁଥିବା ପୋଲିସ ଜାଣିବାକୁ ପାଇଛି। ତେବେ ମୁସ୍କାନଙ୍କ ଇଶାରାରେ ଆଉ କେତେଜଣ ଆପରାଧିକ କାର୍ଯ୍ୟରେ ସାମିଲ ଥିଲେ ତାହାର ଖୋଳତାଡ ଚାଲିଛି। ଏହାସହ ଏହି ଗ୍ୟାଙ୍ଗରେ କେତେଜଣ ଅଟୋ ଚାଳକ ଓ ଚା’ ଦୋକାନୀ ସଂପୃକ୍ତ ଥିବା ଜଣାପଡିବା ପରେ ପୋଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ କରୁଛି। ଅପରପକ୍ଷେ ମୁସ୍କାନଙ୍କୁ ତାଙ୍କ ସ୍ବାମୀ ୭ବର୍ଷ ତଳେ ଛାଡି ଦେଇଥିବାବେଳେ ସେ ଜଣେ ଯୁବକଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ। ହେଲେ ସମ୍ପୃକ୍ତ ଯୁବକ ଏବେ ଜେଲ୍‌ରେ ଅଛନ୍ତି। ଏଥିସହ ମୁସ୍କାନଙ୍କର ଏକ ଛୋଟ ପୁଅ ଥିବା ପୋଲିସ କହିଛି।
ସୂଚନାନୁସାରେ, ମୁସ୍କାନ ଲଣ୍ଡା ଗ୍ୟାଙ୍ଗ୍‌ ସହ ହାତ ମିଳାଇ ବଡ଼ବଡ଼ ଅପରାଧ ଘଟାଉଥିଲେ। ବିଶେଷକରି ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳ ସମେତ ସହର ଓ ଆଖପାଖ ଅଞ୍ଚଳରେ ଲୁଟ୍‌ପାଟ୍‌ କରୁଥିଲେ। ବିଶେଷକରି ଏକୁଟିଆ ଥିବା ଟ୍ରେନ ଯାତ୍ରୀ ଓ ଯବାନଙ୍କୁ ବିଭିନ୍ନ ବାହାନାରେ ପ୍ରଲୋଭିତ କରାଇ ଥଣ୍ଡା ପାନୀୟ, ଚା କିମ୍ବା ପାଉଁରୁଟିରେ ନିଶା ଦେଇ ସର୍ବସ୍ବ ଲୁଟି ନେଉଥିଲେ। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ପୋଲିସ ଗତ ୧୪ ତାରିଖରେ ସୁନ୍ଦରୀ ମୁସ୍କାନଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲା।

nis-ad
Leave A Reply

Your email address will not be published.