ଶିଖରଚଣ୍ଡୀ ପାହାଡ଼ରେ ଜବରଦଖଲ ହୋଇଥିବା ଆଶ୍ରମର ଉଚ୍ଛେଦ

uchheda

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ପାହାଡ଼ ଓ ଏହାର ପରିଧିକୁ ଏକ ପର୍ଯ୍ଯଟନସ୍ଥଳୀରେ ପରିଣତ କରିବା ଯୋଜନାର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଶନିବାର ଶିଖରଚଣ୍ଡୀଠାରେ ଥିବା ଏକ ସରକାରୀ ପ୍ଲଟ ଉପରେ ହୋଇଥିବା ବେଆଇନ ଜବରଦଖଲକୁ ଉଚ୍ଛେଦ କରିଛନ୍ତି।

ବିଡିଏ ଅଧିକାରୀଙ୍କ କହିବାନୁସାରେ, ଅଲେଖ ମହିମା ଆଶ୍ରମ ପ୍ଲଟ ଉପରେ ଛିଡା ହୋଇଥିଲା। ବିଏମସି ସ୍କ୍ବାଡ୍ ଓ ପୁଲିସ ଉପସ୍ଥିତିରେ ଉଚ୍ଛେଦ ବେଳେ 9ଟି ଘର, 4ଟି ଚାଳିଘର, ଗୋଟିଏ ଲୁହା ଗେଟ୍, ଗୋଟିଏ ବଡ଼ ମନ୍ଦିର ଓ 100 ଫୁଟ୍ ବାଉଣ୍ଡାରୀ କାନ୍ଥକୁ ଭାଙ୍ଗି ଦିଆଯାଇଛି। ଭୁବନେଶ୍ୱର ତହସିଲଦାରଙ୍କ ପକ୍ଷରୁ ଉଚ୍ଚେଦ ପୂର୍ବରୁ ନୋଟିସ ଦିଆଯାଇଥିଲା। ଉଚ୍ଛେଦ ହୋଇଥିବା ଅଞ୍ଚଳରେ ବୃକ୍ଷରୋପଣ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।

25 କୋଟି ଟଙ୍କା ଖର୍ଚ୍ଚ କରି ମନୋରମ ଶିଖରଚଣ୍ଡୀ ପାହାଡ଼କୁ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପ 54 ଏକର ଜମିରେ କାର୍ଯ୍ୟକାରୀ ହେଉଛି।

ସେପଟେ ଶିଖରଚଣ୍ଡୀ ପାହାଡ଼ରେ ନିର୍ମାଣ କାମକୁ ନେଇ ଚାଲିଥିବା ମାମଲାର ଶୁଣାଣି ପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ରାୟ ସଂରକ୍ଷିତ ରଖିଛନ୍ତି।

ଏହି ମାମଲାରେ ଖୋର୍ଦ୍ଧା ଜିଲ୍ଲାପାଳ ସତ୍ୟପାଠରେ ଦାଖଲ କରିଥିଲେ ଯେ ପାହାଡରେ ରାଜ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରସ୍ତାବିତ ବିକାଶ କାମ ପାଇଁ କୌଣସି ଜଙ୍ଗଲ ଅନୁମତି ଆବଶ୍ୟକ ନାହିଁ କାରଣ ଅକ୍ଟୋବର 1980 ଯାଏଁ ଏହି ଅଞ୍ଚଳ ଜଙ୍ଗଲ ଭାବରେ ରେକର୍ଡ କରାଯାଇ ନଥିଲା ଏବଂ ଜଙ୍ଗଲ ସଂରକ୍ଷଣ ଅଧିନିୟମ 1980 ର ପରିସରରୁ ବାଦ୍ ଦିଆଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ 3 ଏକର ଜମିରେ ଉଠାଯାଇଥିବା ଜଳଭଣ୍ଡାର ପାଇଁ ପରିବେଶ ମଞ୍ଜୁରି କିମ୍ବା ପରିବେଶ ଆକଳନ ଅଧ୍ୟୟନର ଆବଶ୍ୟକତା ନାହିଁ। କାରଣ 2006ର MoEF-ଇଆଇଏ ବିଜ୍ଞପ୍ତି ଅନୁଯାୟୀ ପ୍ରଦାନ କରାଯାଇଥିବା କୋଠା ଓ ନିର୍ମାଣ ପ୍ରକଳ୍ପ ପାଇଁ 20 ହଜାର ସ୍କୋୟାର ମିଟର ସୀମାକୁ ଏହା ପୂରଣ କରିନାହିଁ।

ଏହି ସତ୍ୟପାଠରେ ଓଡ଼ିଶା ବନ ଉନ୍ନୟନ ନିଗମକୁ ବିଡିଏ ପକ୍ଷରୁ ଶିଖରଚଣ୍ଡୀ ପାହାଡ଼ରେ 18 ହଜାର ଚାରା ରୋପଣ ପାଇଁ 5 ବର୍ଷ ପାଇଁ ପ୍ରାୟ 3.51 କୋଟି ଟଙ୍କା ମଞ୍ଜୁର କରାଯାଇଥିବା ଉଲ୍ଲେଖ ରହିଛି। ଏଥିରେ ଆହୁରି କୁହାଯାଇଛି ଯେ ସେପ୍ଟେମ୍ବର 26 ସୁଦ୍ଧା ପାହାଡିଆ ଅଞ୍ଚଳରେ ପ୍ରାୟ 14 ହଜାର ଚାରା ରୋପଣ ହୋଇସାରିଛି।

ଏହି ପ୍ରକଳ୍ପକୁ ଚାଲେଞ୍ଜ୍ କରିଥିବା ଆବେଦନକାରୀ ଏନଜିଟିରୁ ରାଜ୍ୟ ଜୈବ ବିବିଧତା ବୋର୍ଡ ଓଡ଼ିଶାକୁ ପଦକ୍ଷେପ ନେବା ସହ ପାହାଡକୁ ଜୈବ ବିବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ। ଜଳଭଣ୍ଡାର ପ୍ରକଳ୍ପ ପାଇଁ ବିକଳ୍ପ ସ୍ଥାନ ଖୋଜିବା ପାଇଁ ମଧ୍ୟ ଆମେ ଅନୁରୋଧ କରିଛୁ। ଯଦି ଚିହ୍ନଟ ହେବାକୁ ଥିବା କୌଣସି ସ୍ଥାନ ଏହି ପ୍ରକଳ୍ପ ପାଇଁ ସମ୍ଭବ ନୁହେଁ, ତେବେ ଶେଷ ଉପାୟ ଭାବରେ ସେମାନେ (ସରକାରୀ କର୍ତ୍ତୃପକ୍ଷ) ସେହି ସ୍ଥାନରେ ସେମାନଙ୍କର ପ୍ରକଳ୍ପ ଜାରି ରଖିବାକୁ ଚେଷ୍ଟା କରନ୍ତି ବୋଲି ଆବେଦନକାରୀଙ୍କ ଓକିଲ ଶଙ୍କର ପ୍ରସାଦ ପାଣି କହିଛନ୍ତି।

nis-ad
Leave A Reply

Your email address will not be published.