ସାଇବର ସୁରକ୍ଷା ସଚେତନତା ଅଭିଯାନର ଶୁଭାରମ୍ଭ

ଫୁଲବାଣୀ : ଗାନ୍ଧୀ ଜୟନ୍ତୀ-୨୦୨୩ ପାଳନ ଅବସରରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ କାର୍ଯ୍ୟକ୍ରମ ସାଇବର ସୁରକ୍ଷା ସଚେତନତା ଅଭିଯାନ ଆଜି ଶୁଭାରମ୍ଭ କରାଯାଇଛି। ଏହି ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ସାଧାରଣ ଜନତା ଏବଂ ବିଭିନ୍ନ ବିଭାଗୀୟ ସରକାରୀ ପଦାଧିକାରୀମାନଙ୍କୁ ନେଇ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହେବା ସହିତ ଗୋଟିଏ ଭିଡିଓ ୱାଲ ଥ‌ିବା ସଚେତନ ରଥକୁ ଜିଲ୍ଲା ପରିଭ୍ରମଣ ଉଦ୍ଦେଶ୍ୟରେ ଶୁଭାରମ୍ଭ କରାଯାଇଛି ।ମାନ୍ୟବର କନ୍ଧମାଳ ବିଧାୟକ ଅଙ୍ଗଦ କହଁର କହିଲେ, ଆଜିର ତାରିଖରେ ସାଇବର ଅପରାଧ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ପାଲଟିଛି। ୨୦୧୭ ମସିହାରୁ ଲୁଚାଇଥିବା ସାଇବର ଠକେଇ ଘଟଣାକୁ କେବଳ ସଚେତନ କରାଇବା ପାଇଁ ଅଜି ଏହି ସଭାରେ ଖୋଲିଥିଲେ। ଲୋଭ ବଶତଃ ଲାଭ କରିବା ବଦଳରେ ସେ ୨୦ହଜାର ଟଙ୍କା ହରାଇଥିଲେ । ସେ ସେହି ଦିନ ଠାରୁ ପେଟିଏମ୍ ବ୍ୟବସ୍ଥାକୁ ବନ୍ଦ କରିଥିବା କଥା କହିଥିଲେ । ସେହିପରି, କନ୍ଧମାଳ ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ ବ୍ୟାଙ୍କ ଆକାଉଣ୍ଟରେ ଅଧିକ ଟଙ୍କା ରଖିଥିବା ବ୍ୟକ୍ତିମାନଙ୍କୁ ଏହା ଉପରେ ଅଧିକ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର କହିଲେ, ଦେଶରେ ତଥା ରାଜ୍ୟରେ ଯେଉଁ ମାତ୍ରାରେ ଇଣ୍ଟରନେଟ୍‌ର ବ୍ୟବହାର ବଢ଼ିଚାଲିଛି ସେହି ମାତ୍ରାରେ ସାଇବର ଅପରାଧ ମଧ୍ୟ ବଢ଼ିଚାଲିଛି । ତେବେ, ଡିଜିଟାଲ ଯୁଗରେ ଇଣ୍ଟରନେଟ୍‌ର ବ୍ୟବହାରକୁ କମାଇପାରିବା ନାହିଁ ବରଂ ସତର୍କ ରହିବା ଆବଶ୍ୟକ । କାରଣ ଧନ ଜୀବନ ନଷ୍ଟ ହେବା ପରେ ପୋଲିସ ତା’ର କାରଣ ଖୋଜିବ । ତେଣୁ ଠକାମିର ଶିକାର ନ ହେବା ପାଇଁ ଆମେ ସଜାଗ ହେବା ଆବଶ୍ୟକ। ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି କହିଲେ, ଲୋକମାନେ ଜାଣିଶୁଣି ଲୋଭ ବଶତଃ ଠକାମିର ଶିକାର ହେଉଛନ୍ତି ।

ପିଲାମାନଙ୍କୁ ଅନ୍‌ଲାଇନ୍‌ରେ ପାଠପଢ଼ିବା ପାଇଁ ମୋବାଇଲ୍ ଦେବା ଠିକ୍ ମାତ୍ର ସେ ସେଥିରେ କ’ଣ କରୁଛି ତା’ର ତଦାରଖ କରିବାର ଆବଶ୍ୟକତା ମଧ୍ୟ ରହିଛି ବୋଲି ସେ କହିଥିଲେ । ଫୁଲବାଣୀ ସହରରେ ରାତି ପେଟ୍ରୋଲି” ପାଇଁ ଆରକ୍ଷୀ ଅଧୀକ୍ଷକଙ୍କୁ ସେ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ତା, ବସନ୍ତ ପାତ୍ର ଏବଂ ଫୁଲବାଣୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ, ସୁବାଷ ଚନ୍ଦ୍ର ପ୍ରଧାନ ମଧ୍ୟ ସଚେତନତାକୁ ଅଧିକ ଗୁରୁତ୍ବ ଦେଇଥିଲେ। ଫୁଲବାଣୀ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏ’ ଦିଗରେ ସଚେତନତା ବୃଦ୍ଧି ପାଇଁ ଆଜି ଅପରାହ୍ନରେ କନ୍ଧମାଳ ପୋଲିସ ତରଫରୁ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଛି ଏବଂ କୃତୀ ପ୍ରତିଯୋଗୀ ମାନଙ୍କୁ ଉଦ୍‌ଯାପନୀ ଦିବସ ଦିନ ପୁରସ୍କୃତ କରାଯିବ ବୋଲି ସ୍ଥିର କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମର ଅନ୍ୟତମ ପ୍ରାୟୋଜକ ତଥା ସେଣ୍ଟ୍ରାଲ ବ୍ୟାଙ୍କର ଶାଖା ପରିଚାଳକ ମଧୁସ୍ମିତା ଭୋଇ ବ୍ୟାଙ୍କ ଆକାଉଣ୍ଟରୁ କିଭଳି ଟଙ୍କା ଠକି ନେଉଛନ୍ତି ସେ ବିଷୟରେ ବୁଝାଇଥିଲେ ଏବଂ ସଚେତନ ମଧ୍ୟ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଲଳିତ କୁମାର ପଟ୍ଟନାୟକ ତାଙ୍କ ପ୍ରାରମ୍ଭିକ ଭାଷଣରେ କହିଥିଲେଯେ, ଯଦି ଆମେ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆର ବ୍ୟବହାର ଠିକ୍‌ଭାବେ କରିବା ତେବେ ଏହି ଅପରାଧକୁ ରୋକିବାରେ ସକ୍ଷମ ହୋଇପାରିବା। ଗତ ତିନି ବର୍ଷ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ୮୦ଟି ସାଇବର ଅପରାଧିକ ମାମଲା ରୁଜୁ ହୋଇଛି । ସେଥ‌ିରୁ ୧୦ଟି ମହିଳା ଓ ଶିଶୁ ଜନିତ ଏବଂ ୪୮ଟି ଅର୍ଥନୈତିକ ଜନିତ ଅପରାଧରେ ୨୨ ଜଣ ଅପରାଧୁଙ୍କୁ ଗିରଫ କରାଯାଇଛି । ତେବେ, ଜନସାଧାରଣଙ୍କୁ ଏହା ଉପରେ ସଚେତନ କରିବା ପାଇଁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ସାଇବର ଅପରାଧ ସଚେତନ ରଥ ଆମ ଜିଲ୍ଲାର ୧୭ଟି ଥାନା ଏବଂ ୧୨ଟି ବ୍ଲକ ଅଞ୍ଚଳ ପରିଭ୍ରମଣ କରି ଲୋକଙ୍କ ମଧ୍ୟରେ ତଥା ସ୍କୁଲ କଲେଜରେ ମଧ୍ୟ ସଚେତନତା ସୃଷ୍ଟି କରିବାର କାର୍ଯ୍ୟକ୍ରମ ରହିଛି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇନ୍ ପ୍ରତିଯୋଗିତା ଓ ଜନଗହଳି ଯାଗାରେ ଭିଡିଓ ପ୍ରଦର୍ଶନ, ପ୍ରଚାର ପତ୍ରିକା ବିତରଣ, ସର୍ବସାଧାରଣ ସ୍ଥାନରେ ସଚେତନତା ସଭା ଆୟୋଜନ କରିବା, ଅଙ୍ଗନୱାଡ଼ି କର୍ମୀ, ମିଶନ ଶକ୍ତି, ଆଶା କର୍ମୀମାନଙ୍କ ଦ୍ଵାରା ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ସଚେତନତା କରାଇବା ସହିତ ପଥପ୍ରାନ୍ତ ସଭା ଓ ବିଭିନ୍ନ ସାଂସ୍କୃତିକ ସଭାମାନ ଆୟୋଜନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ବୋଲି ସେ କହିଥିଲେ । ଏବଂ ଆଜିର ଏହି ସଭାରେ ସ୍ଥାନୀୟ ଜନସାଧାରଣ, ପୋଲିସ ଅଧିକାରୀ ତଥା ବିଭାଗୀୟ ପଦାଧିକାରୀ, ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇ ଥିଲେ ।

nis-ad
Leave A Reply

Your email address will not be published.