ଶାରଦୀୟ ଦୁର୍ଗାପୂଜାର ଆଦ୍ୟ ଆବାହନ…

ରାଜନଗର (୨୭/୦୯) : ଶାରଦୀୟ ଦୁର୍ଗାପୂଜାର ଆଦ୍ୟ ଆବାହନ ସ୍ବରୂପ ପବିତ୍ର ସୁନିଆଁ ରାଜନଗର ବ୍ଲକ୍ ରେ ଏକ ଉତ୍ସବର ରୂପ ନେବାରେ ଲାଗିଛି। ଦଶହରା ଉପଲକ୍ଷେ ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ପୂଜାକମିଟି ମାଧ୍ଯମରେ ଏହିଦିନ ଦେବୀଙ୍କ ପୂଜାର୍ଚ୍ଚନା ପାଇଁ ମାଟିଉଠାଣ ବିଧି ଶାରଦୀୟ ଆନନ୍ଦ ଉଲ୍ଲାସର ପ୍ରଥମ ବାର୍ତ୍ତା ବହନ କରିଛି। ଏହିକ୍ରମରେ ଆଜି ଶୁଭ ମୁହୂର୍ତ୍ତରେ ରାଜନଗରର ଅତି ପ୍ରାଚୀନ ଅନୁଷ୍ଠାନ ଶାରଦୀୟ ଜୟଦୁର୍ଗା ପୂଜାକମିଟି ତରଫରୁ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ହଂସୁଆ ନଦୀରୁ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଉଠାଣ କାର୍ଯ୍ୟ ବିଧିବିଧାନ ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ରାଜନଗର ଜୟଦୁର୍ଗା ପୂଜା କମିଟିର ନିୟୋଜିତ ପୂଜକ ପୁରୋହିତମାନେ ଦେବୀମନ୍ଦିରରୁ ଏହି ଶୁଭଯାତ୍ରା ଆରମ୍ଭ କରିଥିଲେ। କମିଟିର ସଭାପତି ତଥା ଆଇଆଇସି ଅଜୟ କୁମାର ଜେନା ଓ ସଂପାଦକ ପ୍ରଭାତ ଚନ୍ଦ୍ର ମିଶ୍ରଙ୍କ ସମେତ ସମସ୍ତ ସଦସ୍ଯ,ସେବାୟତ ଓ ଗ୍ରାମବାସୀମାନେ ଏହି କାର୍ଯ୍ଯକ୍ରମରେ ସାମିଲ୍ ହୋଇଥିଲେ। ପାରମ୍ପରିକ ବାଦ୍ଯ ଘଣ୍ଟଘଣ୍ଟା ଶଙ୍ଖଧ୍ବନିରେ ରାଜନଗର ବଜାର ପରିକ୍ରମା କରି ହଂସୁଆ ନଦୀକୂଳରେ ପହଞ୍ଚିବା ପରେ ହୋମ ପୂଜାପାଠ ସହ ମାଟିଉଠାଣ କାର୍ଯ୍ଯ ଯଥାବିଧି ଅନୁଷ୍ଠିତ ହୋଇଥିଲା। ପରେପରେ ରାଜନଗର ଗଳିଦାଣ୍ଡର ମା’ ବୁଢୀମଙ୍ଗଳା ଗ୍ରାମ୍ଯ କମିଟି ତରଫରୁ ବନଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ନିମନ୍ତେ ମଧ୍ଯ ହଂସୁଆନଦୀରୁ ମାଟିଉଠାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୂଜକ ବ୍ରାହ୍ମଣ ଏବଂ କମିଟିର ସମସ୍ତ ସଦସ୍ଯ,ସେବାୟତମାନେ ବାଦ୍ଯ ଓ ଘଣ୍ଟଧ୍ବନି ସହ ଶୋଭାଯାତ୍ରାରେ ବାହାରି ନଦୀକୂଳରେ ପହଞ୍ଚିବା ପରେ ପୂଜାର୍ଚ୍ଚନା ସହ ମାଟି ଉଠାଯାଇଥିଲା।ଏହିପରି ଆଜି ଏ ଅଞ୍ଚଳର ଅନେକ ପୂଜା ଅନୁଷ୍ଠାନ ତରଫରୁ ମାଟି ଉଠାଣ ପର୍ବ ମହା ସମାରୋହରେ ଅନୁଷ୍ଠିତ ହେଉଛି।

nis-ad
Leave A Reply

Your email address will not be published.