ମହୁଲପଲ୍ଲୀ ଗ୍ରାମ ଶଶ୍ମାନରୁ ନରକଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ.. !

୧୪ ତାରିଖରୁ ଯୁବକ ଜଣଙ୍କ ନିଖୋଜ ଥିଲେ, ନିଖୋଜ ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ ସ୍ତ୍ରୀ…

ସ୍କୁଟି ଓ ମୋବାଇଲ ଜବତ, ସାଇଣ୍ଟଫିକ୍ ଟିମ୍‌ର ତନାଘନା ଜାରି…


ହିଞ୍ଜିଳିକାଟୁ, ତା ୨୪ା୯(): ଶନିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ମହୁଲପଲ୍ଲୀ ଗ୍ରାମ ହରିଜନ ଶଶ୍ମାନରୁ ଜଣେ ଯୁବକଙ୍କ ନରକଙ୍କାଳକୁ ପୁଲିସ ଉଦ୍ଧାର କରିଛି । ପାରିପାର୍ଶିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଘଟଣା ସ୍ଥଳରୁ ମିଳିଥିବା ସ୍କୁଟି, ମୋବାଇଲ ଫୋନ, ପ୍ୟାଣ୍ଟ ଓ ଚଦରକୁ ଆଧାର କରି ମୃତକଙ୍କ ସ୍ତ୍ରୀ ରୁନୁ ଦାସ ଉଦ୍ଧାର ହୋଇଥିବା ନରକଙ୍କାଳ ତାଙ୍କ ସ୍ୱାମୀଙ୍କ ହୋଇଥିବା ନେଇ ଅଶା ପ୍ରକଟ କରିଛନ୍ତି । ଉଦ୍ଧାର ନରକଙ୍କାଳର ସଠିକ ପରିଚୟ ମିଳିପାରିନଥିଲେ ମଧ୍ୟ ଆଶା ପ୍ରକଟ କରାଯାଉଥିବା ଯୁବକ ଜଣଙ୍କ ଗୋଳନ୍ଥରା ଥାନା ପଦ୍ମପୁର ଗ୍ରାମର ପ୍ରତାପ ଦାସ(୩୫) ବୁଲି ପୁଲିସ ଅନୁମାନ କରୁଛି । ପ୍ରତାପଙ୍କ ଭାଇ କାର୍ତ୍ତିକ ଦାସଙ୍କ ଅଭିଯୋଗ ପ୍ରକାରେ ହିଞ୍ଜିଳି ଥାନାରେ କେସ ନଂ- ୨୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ନରକଙ୍କାଳକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ଶଶ୍ମାନ ନିକଟସ୍ଥ ଏକ ଗଛରେ ଚଦରେ ବନ୍ଧା ହୋଇ ରହିଥିବା ବେଳେ ଗଛ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ନରକଙ୍କାଳ ପଡିରହିଛି । ଶରୀରର ବିଭିନ୍ନ ଅଙ୍ଗପ୍ରତଙ୍ଗ ଏଣେ ତେଣେ ବିଛାଡି ହୋଇ ପଡିଥିବା ବେଳେ ନିକଟରୁ ଏକ ଜିନ ପ୍ୟାଣ୍ଟ, ମୋବାଇଲ ଫୋନ, ଗାଡି ଚାବି ସହ ଏକ ସ୍କୁଟି(ଓଡି୦୭ଏଏଲ ୯୯୯୫)କୁ ଜବତ କରିଛି । ଖବର ପାଇ ଘଟଣା ସ୍ଥଳରେ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଛି । ଉଦ୍ଧାର ନରକଙ୍କାଳର ବ୍ୟବଛେଦ ଏବଂ ଡିଏନଏ ପରୀକ୍ଷା କରାଯିବା ପରେ ମୃତ୍ୟୁର ସଠିକ୍ କାରଣ ସହ ମୃତକଙ୍କ ପରିଚୟ ସ୍ପଷ୍ଟ ହେବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି କହିଛନ୍ତି ।


ମିଳିଥିବା ସୂଚନା ପ୍ରକାରେ, ଗୋଳନ୍ଥରା ଥାନା ପଦ୍ମପୁର ଗ୍ରାମର ପ୍ରତାପ ଗତ ୧୪ ତାରିଖ ଠାରୁ ନିଖୋଜ ଥିଲେ । ନିଖୋଜ ଘଟଣା ନେଇ ୧୭ ତାରିଖରେ ସ୍ତ୍ରୀ ରୁନୁ ଦାସ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ । ପ୍ରାୟ ୧୦ ଦିନ ଧରି ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ ମଧ୍ୟ ଯୁବକଙ୍କ ସନ୍ଧାନ ମିଳି ପାରିନଥିଲା । ଶନିବାର ସନ୍ଧ୍ୟାରେ ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ ହିଞ୍ଜିଳି ଥାନା ମହୁଲପଲ୍ଲୀ ଗ୍ରାମ ହରିଜନ ଶଶ୍ମାନ ନିକଟରେ ଯୁବକ ଜଣଙ୍କ ସାଙ୍ଗରେ ଆଣିଥିବା ଶଳାଙ୍କ ସ୍କୁଟିକୁ ଦେଖିବାକୁ ପାଇଥିଲେ । ସନ୍ଦେହ କରି ଶଶ୍ମାନ ଭିତରକୁ ଯିବା ବେଳେ ଏକ ଗଛରେ ଗାମୁଛା ବନ୍ଧା ହୋଇଥିବା ବେଳେ ଗଛ ନିକଟରେ ଯୁବକଙ୍କ ପିନ୍ଧା ଜିନ ପ୍ୟାଣ୍ଟ ଓ ମୋବାଇଲ ଫୋନ ପଡିଥିବା ଦେଖିବାକୁ ପାଇଥିଲେ । ଗଛ ଠାରୁ ୧୦୦ ମିଟର ଦୂରରେ ଏକ ନରକଙ୍କାଳ ପଡିଥିବା ଦେଖି ପରିବାର ଲୋକେ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଶନିବାର ବିଳମ୍ବିତ ରାତିରେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରି ଫେରିଥିଲେ । ରବିବାର ସକାଳେ ହିଞ୍ଜିଳି ପୁଲିସ ଓ ସାଇଣ୍ଟଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଗଛରେ ବନ୍ଧା ହୋଇଥିବା ଗାମୁଛା ସହ ନିକଟରେ ବିକ୍ଷିପ୍ତ ଭାବେ ପଡିଥିବା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଓ କଙ୍କାଳକୁ ଜବତ କରିଥିଲେ । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ବେଳେ ମୃତଦେହ ପଚିସଢି ଯିବା ପରେ ବିଲୁଆ କୁକୁର ଭକ୍ଷଣ କରିଥିବା ପୁଲିସ ସନ୍ଦେହ କରୁଥିବା ବେଳେ ପାରିପାର୍ଶିକ ସ୍ଥିତିକୁ ଅନୁଧ୍ୟାନ କଲେ ଯୁବକଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଲକ୍ଷ୍ୟରେ ଏଭଳି ଘଟଣା ଭିଆଇ ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

nis-ad
Leave A Reply

Your email address will not be published.