କେରଳ ହାଇକୋର୍ଟ ଜଷ୍ଟିସ ପି.ବି କୁନ୍ହିକୃଷ୍ଣନ ପିଲାମାନଙ୍କ ପାଇଁ ରନ୍ଧା ଖାଦ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍ୱିଗି କି ଜମାଟୋରୁ ଖାଦ୍ୟ ଅର୍ଡର ନ କରି ଅଭିଭାବକମାନଙ୍କୁ ହାତ ତିଆରି ଖାଦ୍ୟ କରି ପିଲାମାନଙ୍କୁ ଖୁଆଇବା ପାଇଁ କହିଛନ୍ତି । ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର କରିବାରୁ ପିଲାମାନଙ୍କୁ ଦୂରେଇ ରଖିବାକୁ ମଧ୍ୟ କହିଛନ୍ତି ଏବଂ ମୋବାଇଲ ଫୋନର କୁପ୍ରଭାବ ଉପରେ ଚେତାବନୀ ଦେଇଛନ୍ତି ।
ବର୍ତ୍ତମାନର ଅଭିଭାବକମାନେ ଅନ୍ୟକାମରେ ଏପରି ବ୍ୟସ୍ତ ରହୁଛନ୍ତି ଯେ, ପିଲାମାନେ ଅନଲାଇନ ହେଉ କିମ୍ବା ଅଫ୍ଲାଇନ ଖାଦ୍ୟ ଅର୍ଡର କରି ଖାଉଛନ୍ତି, ଯାହାଦ୍ୱାରା ସେମାନଙ୍କ ଶରୀର ଅସୁସ୍ଥ ହେଉଛି । ମଙ୍ଗଳବାର ଦିନ ପର୍ନୋଗ୍ରାଫି ଦେଖିବା ସମ୍ବନ୍ଧୀୟ ଏକ ମାମଲାର ରାୟ ଶୁଣାଣି ବେଳେ କେରଳ ହାଇକୋର୍ଟ ପିଲାଙ୍କ ଖାଦ୍ୟକୁ ନେଇ ଏପରି ରାୟ ଦେଇଛନ୍ତି । ରିପୋର୍ଟ ମୁତାବକ, ହାଇକୋର୍ଟ ଏହି ପର୍ନୋଗ୍ରାଫି ମାମଲାର ଶୁଣାଣି କରି ସେହି ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ଅଭିଯୋଗକୁ ଖାରଜ କରିଦେଇଥିଲେ । ଅଦାଲତ କହିଥିଲେ ଯେ, ଅନ୍ୟମାନଙ୍କ ସହିତ ସେୟାର ନକରି କେବଳ ଅଶ୍ଳୀଳ ଭିଡିଓ ଦେଖିବାକୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୯୨ ଅନୁଯାୟୀ ଅପରାଧ ବୋଲି ଧରାଯିବ ନାହିଁ ।
ପିଲାମାନଙ୍କୁ ବାହରକୁ ଖେଳିବାକୁ ପଠାଇବା ପାଇଁ ଅଭିଭାବକମାନଙ୍କୁ କହିଛନ୍ତି । ଏତଦ୍ ବ୍ୟତୀତ, ନାବାଳକ ମାନଙ୍କୁ ମୋବାଇଲ ଫୋନ୍ ଦେବାର ଅପବ୍ୟବହାର ଉପରେ ଅଭିଭାବକମାନଙ୍କୁ ସାବଧାନ କରିଛନ୍ତି । କାରଣ ଇଣ୍ଟରନେଟ୍ ଥିବାରୁ ମୋବାଇଲ ଫୋନ୍ ମାଧ୍ୟମରେ ସେମାନେ ପର୍ନୋଗ୍ରାଫି ସମେତ କିଛି ଅଶ୍ଳୀଳ ଭିଡିଓ ଦେଖିବା ଆଶଙ୍କା ରହୁଛି ।